ଭୁବନେଶ୍ବର: ଖୁବ୍ ଶୀଘ୍ର ରାଜଧାନୀର ବିଭିନ୍ନ ଅଞ୍ଚଳରେ ନୂଆ ସ୍ବେରେଜ୍ ଲାଇନ୍ ବିଛାଯିବ। ଏଥିପାଇଁ ୪୩୭କିମି ରାସ୍ତା ଚିହ୍ନଟ କରିଛି ୱାଟ୍କୋ। ୨ବର୍ଷରେ ଶେଷ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୬୧୨.୨୦ କୋଟି ଖର୍ଚ୍ଚ ହେବ। ଏହି କାମର ମାନ ଯେପରି ଠିକ୍ ରହିବ, ଠିକ୍ ସମୟରେ କାମ ସରିବ, ଠିକା ସଂସ୍ଥା ଯେତିକି କାମ କରିବେ ସେହି ଅନୁଯାୟୀ ତୁରନ୍ତ ପ୍ରାପ୍ୟ ପ୍ରଦାନ କରାଯିବ, ଭୁଲ୍ କାମ କଲେ କାମ ବନ୍ଦ କରାଯିବ ସେଥିପାଇଁ ଅଥରିଟି ଅଫ୍ ଇଞ୍ଜିନିୟର୍ସ ବଛାଯାଇଛି। ହେଲେ ଏନେଇ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ବଡ଼ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହେଲାଣି।
ଯେଉଁ ସଂସ୍ଥା ପାଇଁ ରାଜଧାନୀବାସୀ ଦୀର୍ଘ ୧୫ବର୍ଷ ସ୍ବେରେଜ୍ ଯନ୍ତ୍ରଣା ସହିଲେ ଏବେ ସେହି ସଂସ୍ଥା ନୂଆ ସ୍ବେରେଜ୍ ଲାଇନ୍ ବିଛାଇବାକୁ ଡିପିଆର୍ ପ୍ରସ୍ତୁତ କରିବା ସହ ଏହାର ଯାଞ୍ଚ କରିବା କାର୍ଯ୍ୟ ନେଇଛି। ରାଜଧାନୀରେ ୧୨ଟି ପ୍ୟାକେଜ୍ରେ ନୂଆ ବିକଶିତ ଅଞ୍ଚଳ ଏବଂ ଯେଉଁ ଅଞ୍ଚଳରେ ଏବେ ସ୍ବେରେଜ୍ ଲାଇନ୍ ବିଛାଯାଇନି ସେଠାରେ ସ୍ବେରେଜ୍ ଲାଇନ୍ ବିଛାଯିବ। ଏହାର ଯାଞ୍ଚ ପାଇଁ ଇକୋମେଟ୍ରିକ୍ସ କନସଲଟାଣ୍ଟ୍ସ ସଂସ୍ଥାକୁ ଅଥରିଟି ଅଫ୍ ଇଞ୍ଜିନିୟର୍ସକୁ କାର୍ଯ୍ୟାଦେଶ ଦେବାକୁ ୱାଟ୍କୋ କର୍ତ୍ତୃପକ୍ଷ ବାଛିଛନ୍ତି। ବିଡ଼ମ୍ବନାର ବିଷୟ ନିକଟରେ ବିଧାନସଭାରେ ଉପସ୍ଥାପନା ହୋଇଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଥିଲା ଯେ ଭୁବନେଶ୍ବରରେ ସ୍ବେରେଜ୍ ଡିପିଆର୍ ପ୍ରସ୍ତୁତିରେ ତ୍ରୁଟି ଯୋଗୁ ୩୦୪୫କୋଟି ଟଙ୍କା କ୍ଷତି ହେଲା।
କାହା ଚାପରେ ମନ୍ତ୍ରୀ, ସଚିବ ସମସ୍ତେ ଚୁପ୍
ଆଉ ଏହି ସ୍ବେରେଜ୍ ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା ଠିକ୍ ଭାବେ ନହେବାରୁ ରାଜ୍ୟ ସରକାରଙ୍କୁ ୫୫୦କୋଟି ଟଙ୍କା ଅଧିକ ବ୍ୟୟ କରିବାକୁ ପଡ଼ିଲା। ଏହି ସ୍ବେରେଜ୍ ଯାଞ୍ଚ କାର୍ଯ୍ୟ ଟୋକିଓ ଇଞ୍ଜିନିୟରିଂ କନସଲଟାଣ୍ଟ୍ସ ନେଇଥିଲା। ୨୦୦୯ରେ ସଂସ୍ଥା କାମ ନେଇଥିବାବେଳେ ୨୦୧୫ରେ ଇକୋମେଟ୍ରିକ୍ସ କନସଲଟାଣ୍ଟ୍ସକୁ ସବ୍ଲେଟ୍ରେ କାମ ଦେଇଥିଲା। ସିଏଜି ୨୦୧୭ରୁ ୨୦୨୨ ମଧ୍ୟରେ ରାଜଧାନୀର ସ୍ବେରେଜ୍ ବ୍ୟବସ୍ଥା ଉପରେ ଯେଉଁ ରିପୋର୍ଟ ଉପସ୍ଥାପନ କରିଥିଲେ େସଥିରେ ଏହି କେଳେଙ୍କାରୀ ଧରିଥିଲେ। ଅଥଚ ସିଏଜି ତାଙ୍କ ରିପୋର୍ଟରେ ନଗର ଉନ୍ନୟନ ବିଭାଗର ଅପାରଗତାକୁ ଧରିବା ପରେ ବି ଏବେ ଏହି ସଂସ୍ଥାକୁ କାମ ଦେବାକୁ ବିଭାଗୀୟ ଅଧିକାରୀମାନେ ଷଡ଼ଯନ୍ତ୍ର ରଚିଛନ୍ତି। କେବଳ ଏତିକି ନୁହେଁ, ନୂଆ କରି ବିଛା ହେବାକୁ ଥିବା ସ୍ବେରେଜ୍ ଲାଇନ୍ର ଯାଞ୍ଚ ପାଇଁ ୭ଟି ସଂସ୍ଥା ଭାଗ ନେଇଥିବାବେଳେ ଏଥିରେ ସବୁଠୁ ଅଧିକ ଟଙ୍କାର ବିଡିଂ ଡାକିଥିବା ଇକୋମେଟ୍ରିକ୍ସକୁ କାମ ଦେବାକୁ ବିଭାଗୀୟ ଅଧିକାରୀମାନେ ସବୁ ନୀତିନିୟମକୁ ମୋଡ଼ି ଦେଇଛନ୍ତି। ଏଥିପାଇଁ ତହବିଲରୁ ଅଧିକ ସାଢ଼େ ୪କୋଟି ବି ଗଣିବାକୁ ପ୍ରସ୍ତୁତ ଅଛନ୍ତି।
ବିଭାଗୀୟ ଅଧିକାରୀଙ୍କ କେଳେଙ୍କାରୀ ବିରୋଧରେ ନଗର ଉନ୍ନୟନ ମନ୍ତ୍ରୀ, ବିଭାଗର ପ୍ରମୁଖ ସଚିବଙ୍କୁ କେତୋଟି ସଂସ୍ଥା ଲିଖିତ ଭାବେ ଅଭିଯୋଗ କରିଥିଲେ ବି ଏହାକୁ ସମସ୍ତେ ଅଦୃଶ୍ୟ ଚାପରେ ଅଣଦେଖା କରିଚାଲିଛନ୍ତି। ବିଭିନ୍ନ ସଂସ୍ଥାର ଅଭିଯୋଗ ଅନୁଯାୟୀ, ଏହି ଇକୋମେଟ୍ରିକ୍ସ ସଂସ୍ଥା ମାର୍ଚ୍ଚ ୯, ୨୦୧୫ରେ ଆରମ୍ଭ ହୋଇଥିବା ସମସ୍ତ ଡକୁମେଣ୍ଟରେ ଦର୍ଶାଯାଇଛି। କିନ୍ତୁ ସଂସ୍ଥା ପକ୍ଷରୁ ପୂର୍ବରୁ କାମ କରିଥିବା ଅଭିଜ୍ଞତା ନେଇ ଯେଉଁ ଡକୁମେଣ୍ଟ ଦିଆଯାଇଛି ସେଥିରେ ଏହା ମାର୍ଚ୍ଚ ୧, ୨୦୧୫ରୁ ଟୋକିଓ ଇଞ୍ଜିନିୟରିଂ କନସଲଟାଣ୍ଟ୍ସ ଅଧୀନରେ କାମ କରିଥିବା ଦର୍ଶାଯାଇଛି। ଅର୍ଥାତ୍ ସଂସ୍ଥା ଗଠନ ହେବା ପୂର୍ବରୁ କିପରି ଉକ୍ତ ସଂସ୍ଥାକୁ ସବ୍ଲେଟ୍ରେ କାର୍ଯ୍ୟାଦେଶ ଦିଆଗଲା ତାହାକୁ କେହି ଯାଞ୍ଚ କରୁନାହାନ୍ତି। ଏହାସହ ଟୋକିଓ ଇଞ୍ଜିନିୟରିଂ ୨୦୦୯ରୁ ୨୦୨୪ ମଧ୍ୟରେ ଯାହା କାମ କରିଛି ବୋଲି ଦର୍ଶାଇଛି, ଇକୋମେଟ୍ରିକ୍ସ ତା’ର ଅଭିଜ୍ଞତା ରିପୋର୍ଟରେ ୨୦୧୫ରୁ ୨୦୨୪ ମଧ୍ୟରେ ସେହି ସମାନ କାମ କରିଛି ବୋଲି ଦର୍ଶାଇଛି। ୬ବର୍ଷରେ ଟୋକିଓ ଇଞ୍ଜିନିୟରିଂ କ’ଣ ସ୍ବେରେଜ୍ କାମ ଯାଞ୍ଚ କରିନଥିଲା କି ବୋଲି ପ୍ରଶ୍ନ ଉଠିଛି। ଏଥିରୁ କିପରି ଡକୁମେଣ୍ଟ ଦାଖଲରେ ଚଞ୍ଚକତା କରାଯାଇଛି ବୋଲି ପ୍ରମାଣ ମିଳିଛି। ଏହାସହ ସରକାରୀ ସଂସ୍ଥାରେ କାମ କରିଥିବା କନସଲଟାନ୍ସିକୁ କାମ ଦେବାକୁ ନିୟମ ଥିବାବେଳେ ଏହାକୁ ନିର୍ଦ୍ଦିଷ୍ଟ ଭାବେ ଏହି ଟେଣ୍ଡରରେ କୋହଳ କରାଯାଇଛି। ଏହି ଟେଣ୍ଡରରେ ଯେଉଁ ୨୦ଟି ସିଭି ଦାଖଲ ହୋଇଛି ସେଥିରେ ତ୍ରୁଟି ଅଛି ବୋଲି ଅଭିଯୋଗ କରାଯାଇଛି। କିନ୍ତୁ ୱାଟ୍କୋ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଏହି ସମସ୍ତ ଅଭିଯୋଗକୁ ଅଣଦେଖା କରି ଏବେ ନିଜ ନିଷ୍ପତ୍ତି କିପରି କାର୍ଯ୍ୟକ୍ଷମ ହେବ ସେଥିରେ ଲାଗିପଡ଼ିଛନ୍ତି।