ଭୁବନେଶ୍ୱର: ଭୁବନେଶ୍ବର ସହରୀ ଜ୍ଞାନ କେନ୍ଦ୍ର(ବିୟୁକେସି) ପାଇଁ ବିଡିଏରୁ ହଟିପାରେ ବ୍ୟାଙ୍କ୍। ଏଥିପାଇଁ ଏଥିପାଇଁ ଷଡ୍ଯନ୍ତ୍ର ଚାଲିଛି। ବିୟୁକେସି ଟିମ୍ ବସୁଥିବା ଜାଗାରେ ବିଡିଏ ଅଧ୍ୟକ୍ଷ ତଥା ବିଭାଗୀୟ ମନ୍ତ୍ରୀଙ୍କ ପାଇଁ ଚାମ୍ବର ପ୍ରସ୍ତୁତ ହେବା ପରେ ଏଭଳି ଯୋଜନା ଚାଲିଛି। ବିଡିଏର ଗ୍ରାଉଣ୍ଡ ଫ୍ଲୋର୍ରେ ରହିଥିବା ପଞ୍ଜାବ ନାସନାଲ ବ୍ୟାଙ୍କ୍ର ଶାଖାକୁ ହଟାଇ ଦେବା ପାଇଁ କେତେକ ପ୍ରସ୍ତାବ ଦେବା ପରେ ବିଚାର ବିମର୍ଶ ଆରମ୍ଭ ହୋଇଛି। ଏହି ଶାଖାରେ ଅଧିକାଂଶ କର୍ମଚାରୀଙ୍କର ଦରମା ଖାତା ରହିଛି। ସେଥିରୁ ଅଧିକାଂଶ କର୍ମଚାରୀ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି। ବ୍ୟାଙ୍କ୍ ଏଠାରୁ ହଟିଗଲେ ସେମାନେ ଅନ୍ୟତ୍ର ଯାଇ ଧାଡ଼ି ବାନ୍ଧି ଛିଡ଼ା ହେବା ଭୟରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ବିୟୁକେସି ପାଇଁ ମାସକୁ ୨୬.୭୪ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଯେଉଁ ଉଦ୍ଦେଶ୍ୟ ନେଇ ଏଭଳି ୟୁନିଟ୍ ପ୍ରସ୍ତୁତ କରାଯାଇଥିଲା ତାହା ପୂରଣ ହେଉ ନାହିଁ। ସହର ଯେମିତି ଥିଲା ସେମିତି ରହିଛି। ବିଡିଏ ଅର୍ଥ ବରବାଦ କରୁଥିବା ଏଭଳି ଏକ ୟୁନିଟ୍ ପାଇଁ କାହିଁକି ଏତେ ଚିନ୍ତା ବୋଲି ପ୍ରଶ୍ନ ଉଠିଛି।
୨୦୧୯ ମସିହାରେ ବିୟୁକେସି ସ୍ମାର୍ଟ ସିଟିର ପ୍ରକଳ୍ପ ପରିଚଳନା ପରାମର୍ଶଦାତା(ପିଏମ୍ସି) ଭାବେ ନିଯୁକ୍ତ କରାଯାଇଥିଲା। ଏହାର ଅବଧି ରହିଥିଲା ୬ ମାସ। ସ୍ମାର୍ଟ ସିଟି ପ୍ରକଳ୍ପର ସଫଳ କାର୍ଯ୍ୟାନ୍ବୟନ ପାଇଁ ବୈଷୟିକ ଜ୍ଞାନ ଓ ଅଭିଜ୍ଞତା ଅଭାବ ଥିବା ବିୟୁକେସି ଦର୍ଶାଇଥିଲା। ଜଳ ସମ୍ପଦ ପ୍ରକଳ୍ପଗୁଡିକର କାର୍ଯ୍ୟାନ୍ବୟନ ପାଇଁ ବିୟୁକେସି, ଗୁଡ-ଫର-କନ୍ଷ୍ଟ୍ରକ୍ସନ୍ (ଜିଏଫ୍ସି) ମ୍ୟାପ୍ ପ୍ରଦାନ କରିପାରି ନଥିଲା। ଏହାକୁ କାର୍ଯ୍ୟାନ୍ବୟନ କରିବାକୁ କୌଣସି ବୈଷୟିକ ଜ୍ଞାନ ମଧ୍ୟ ନଥିଲା। ବିସ୍ତୃତ ବୈଷୟିକ ମ୍ୟାପ୍ ବିନା ଜଳ ସମ୍ପଦ ପ୍ରକଳ୍ପର ତୁରନ୍ତ କାର୍ଯ୍ୟକାରୀ ହୋଇ ପାରି ନଥିଲା। ‘ବି- ଆକ୍ଟିଭ’ ପ୍ରକଳ୍ପଗୁଡିକ ପାଇଁ (ମାର୍ଚ୍ଚ ୨୦୨୩ସୁଦ୍ଧା) ବିୟୁକେସିକୁ ପରାମର୍ଶଦାତା ଦେୟ ବାବଦରେ ସ୍ମାର୍ଟ ସିଟି ୧.୪୪ କୋଟି ଟଙ୍କା ପ୍ରଦାନ କରିଥିଲା। ଏହା ଉପରେ ସେତେବେଳେ ଏଜି ଆପତ୍ତି ଉଠାଇଥିଲେ। ଉପଯୁକ୍ତ ଜ୍ଞାନ କୌଶଳ ନଥାଇ ବିୟୁକେସି ଏତେ ଗୁଡ଼ାଏ ଟଙ୍କା ପ୍ରଦାନ କରିବା ବରବାଦ ସଦୃଶ ବୋଲି ଏଜି ରିପୋର୍ଟ ଦେଇଥିଲେ। ବଡ଼କଥା ହେଉଛି ବିୟୁକେସି ନିଜର ବୈଷୟିକ ଜ୍ଞାନ ଓ ଅଭିଜ୍ଞତା ନେଇ ଅସହାୟତା ପ୍ରକାଶ କରିବାରୁ ସ୍ମାର୍ଟ ସିଟି ପରାମର୍ଶଦାତା ଚୟନ କରିବାକୁ ଟେଣ୍ଡର ଡାକିଥିଲା। ବିୟୁକେସି ଜାଗାରେ ଆଉ ଏକ ପରାମର୍ଶଦାତା ଚୟନ କରି ସେ ବାବଦରେ ୧.୧୫ କୋଟି ଖର୍ଚ୍ଚ କରିଥିଲା।
ମାସକୁ ଖର୍ଚ୍ଚ ୨୬.୭୪ ଲକ୍ଷ
ଏଜି ଉଠାଇଥିଲେ ଆପତ୍ତି
ତଥାପି ନବୀକରଣ ହେଉଛି ଚୁକ୍ତି
ଏଭଳି ସ୍ଥିତି ପରେ ବି ବିଡିଏ ସୁଧୁରିଲା ନାହିଁ। ବରଂ ବିଡିଏରେ ପରାମର୍ଶଦାତା ଭାବରେ ନିଯୁକ୍ତି ଦେବା ସହ ମାସକୁ ୨୬.୭୪ ଲକ୍ଷ ଖର୍ଚ୍ଚ କଲା। ଜଣେ ଜଣେ ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କ ହାରରେ ଦରମା ପାଉଛନ୍ତି। ଯେଉଁ କାମକୁ ଆଗରୁ ସାଧାରଣ କର୍ମଚାରୀଟିଏ କରୁଥିଲା ସେହି କାମ ଏବେ ଏହି ବିୟୁକେସି କରୁଛି। ଜଣେ ବରିଷ୍ଠ ଆଇଏଏସ୍ ଅଫିସରଙ୍କ ଅଲିଖିତ ନିର୍ଦ୍ଦେଶରେ ବର୍ଷକ ପାଇଁ ବିୟୁକେସି ସହ ହୋଇଥିବା ଚୁକ୍ତି ନବୀକରଣ ହୋଇ ଚାଲିଛି। ବର୍ଷକୁ ବିଡିଏ ପାଣ୍ଠିରୁ ୩କୋଟିରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେଉଛି। ଏବେ ଏହି ୟୁନିଟ୍ ପାଇଁ ବିଡିଏ ଅପିସ୍ରୁ ବ୍ୟାଙ୍କ୍ ହଟାଇବାକୁ ଚିନ୍ତା କରାଗଲାଣି।
ତେବେ କେବଳ ଏତିକି ନୁହେଁ, ବରଂ ପରାମର୍ଶଦାତା ନାମରେ ବିଡିଏ ବିଭିନ୍ନ ଉପବିଭାଗରେ ଅର୍ଥ ବରବାଦ କରୁଛି। ପ୍ଲାନିଂ ସେକ୍ସନରେ ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଥିବା ସଂସ୍ଥା ବାବଦରେ ମାସକୁ ୭ ଲକ୍ଷ ଟଙ୍କା ବରବାଦ ହେଉଛି। ଏହି ସେକ୍ସନରେ ମାସକୁ ୪ରୁ ୫ଟି ଫାଇଲ୍ ଆସୁଥିବା ବେଳେ ଏଠାରେ କର୍ମଚାରୀ/ଅଧିକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକା ରହିଛି। ତା’ ସତ୍ବେ ପରାମର୍ଶଦାତା ବାବଦକୁ ଏଭଳି ଅର୍ଥ ବରବାଦ ହେବା ଗ୍ରହଣୀୟ ନୁହେଁ ବୋଲି ଆଇନଜୀବୀ ଦେବାଶିଷ ଦାସ କହିଛନ୍ତି। ଆବଶ୍ୟକ ପଡ଼ିଲେ ଏଭଳି ପରାମର୍ଶଦାତା ନିଯୁକ୍ତିକୁ ନେଇ ଆମେ କୋର୍ଟ ଯିବୁ ବୋଲି କହିଛନ୍ତି।