ସହରାଞ୍ଚଳ ପିଏଚ୍‌ସି ବନ୍ଦ ପାଇଁ ଷଡ଼୍‌ଯନ୍ତ୍ର

ରେଣ୍ଟାଲ୍‌ କଲୋନିରେ କୁହୁଳୁଛି ଅସନ୍ତୋଷ

ଖଣ୍ଡଗିରି: ୩୦ ବର୍ଷର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ପିଏଚ୍‌ସି)କୁ ବନ୍ଦ କରିବାକୁ ହୋଇଥିବା ପ୍ରସ୍ତାବ ପାଇଁ ରେଣ୍ଟାଲ କଲୋନି ଓ ତା’ର ଆଖପାଖ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଘର ପାଖରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଠାଇ ପ୍ରାୟ ୫ କିମି ଦୂର ବରମୁଣ୍ଡାକୁ ସ୍ଥାନାନ୍ତର ହେଉଥିବାରୁ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି। ଏହା ଏକ ବଡ଼ ଷଡ଼୍‌ଯନ୍ତ୍ର ବୋଲି ସେମାନେ ଅଭିଯୋଗ କରିଛନ୍ତି। ପିଏଚ୍‌ସିକୁ ଉଠାଇ ନେଇ ହେଲ୍‌ଥ ୱେଲ୍‌ନେସ୍‌ ସେଣ୍ଟର ଭଳି ଏକ ଲଲିପପ୍ ଧରାଇବାକୁ ସ୍ବାସ୍ଥ୍ୟ ବିଭାଗ ଯୋଜନା କରିଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏହି ଜନବିରୋଧୀ ନିଷ୍ପତ୍ତିରୁ ନ ଓହରିଲେ, ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନାନୁସାରେ ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର ନିକଟରେ ଏକ ନୂଆ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ କରାଯାଇଛି। ନୂଆ ବିଲ୍‌ଡିଂକୁ ମଧ୍ୟ ବହୁ ପୂର୍ବରୁ ଉଦ୍‌ଘାଟନ କରାଯାଇସାରିଛି। ଖୁବ୍‌ ଶୀଘ୍ର ସେଠାରେ ନୂଆ ସ୍ବାସ୍ଥ୍ୟକେନ୍ଦ୍ର ଚାଲିବ। ତେବେ ରେଣ୍ଟାଲ କଲୋନିରେ ଚାଲିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଏଠାକୁ ସ୍ଥାନାନ୍ତର କରାଯିବ। ସେଠାରେ ନିଯୁକ୍ତି ପାଇଥିବା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ବରମୁଣ୍ଡା ନୂଆ ଡିସ୍‌ପେନ୍‌ସେରିକୁ ସ୍ଥାନାନ୍ତର କରାଯିବ। ରେଣ୍ଟାଲ କଲୋନିର ପୁରୁଣା ସ୍ବାସ୍ଥ୍ୟକେନ୍ଦ୍ରକୁ ପୂରା ବନ୍ଦ କରାନଗଲେ ମଧ୍ୟ ଏହା ଏକ ହେଲ୍‌ଥ ୱେଲ୍‌ନେସ୍‌ ସେଣ୍ଟର ଭାବେ କାମ କରିବ। ଏହି ହେଲ୍‌ଥ ୱେଲ୍‌ନେସ୍‌ ସେଣ୍ଟରରେ କିନ୍ତୁ ପୂର୍ବ ଭଳି ଅଧିକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ପାଇବେ ନାହିଁ। ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ରେଣ୍ଟାଲ କଲୋନି ଅଞ୍ଚଳରେ ଲୋକେ ପ୍ରତିବାଦ କରିବାକୁ ସଜବାଜ ହେଲେଣି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ୧୯୮୭ ମସିହାରେ ରେଣ୍ଟାଲ କଲୋନିରେ ଏହି ଜୋନାଲ୍‌ ଡିସ୍‌ପେନ୍‌ସରି ପ୍ରତିଷ୍ଠା ହୋଇଥିଲା। ବରମୁଣ୍ଡା ହାଉସିଂବୋର୍ଡ, ରେଣ୍ଟାଲ କଲୋନି, ଭିଆଇପି କଲୋନି, ଭିଆଇପି ଅଞ୍ଚଳ, ଜଗନ୍ନାଥବିହାର, ସିଆର୍‌ପିଏଫ୍‌ ସ୍କୋୟାର୍‌ ଓ ଆଖପାଖ ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇଦ‌େବା ପାଇଁ ପ୍ରଥମେ ଏହାକୁ ବରମୁଣ୍ଡା ହାଉସିଂବୋର୍ଡର ଏକ ଭଡ଼ା ଘରେ ଆରମ୍ଭ କରାଯାଇଥିଲା। ୨ ବର୍ଷ ପରେ ଏହାକୁ ରେଣ୍ଟାଲ କଲୋନି କ୍ବାର୍ଟର ନମ୍ବର ଡି- ୧୭/୧,୨କୁ ସ୍ଥାୟୀ ଭାବେ ସ୍ଥାନାନ୍ତର କରାଗଲା। ୨୦୧୪ ମସିହାରେ ଏହାକୁ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଭାବେ ନାମିତ କରାଗଲା। ସେହି ବର୍ଷ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ରେ ଏହା ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲା।

୩୦ ବର୍ଷ ଧରି ଚାଲିଥିବା ଏହି ଡାକ୍ତରଖାନା ଉପରେ ୱାର୍ଡ ନମ୍ବର ୧୫, ୨୨ ଓ ୨୪ର ପାଖାପାଖି ୫୦ ହଜାର ଲୋକ ନିର୍ଭର କରନ୍ତି। ଏଠାରେ ମେଡିସିନ୍, ଗାଇନିଂ, ଚକ୍ଷୁ, ଚର୍ମ, ଫିଜିଓ ଥେରାପି ଭଳି ସ୍ବାସ୍ଥ୍ୟସେବା ମିଳୁଛି। କିନ୍ତୁ ବର୍ତ୍ତମାନ ଏହାକୁ ପ୍ରାୟ ୫ କିଲୋମିଟର ଦୂରରେ ୫୦ ନମ୍ବର ୱାର୍ଡ ବରମୁଣ୍ଡା ୫୦ ନୀଳକଣ୍ଠେଶ୍ବର ମନ୍ଦିର ନିକଟ ନୂଆ କୋଠାକୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି ସରିଛି। ଏହା ହେଲେ ରେଣ୍ଟାଲ କଲୋନି, ସହିଦ ଲକ୍ଷ୍ମଣ ନାୟକ ବସ୍ତି ସମେତ ଅନ୍ୟ ସମସ୍ତ ଅଞ୍ଚଳର ଲୋକେ ହାତପାହାନ୍ତାରେ ପାଉଥିବା ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେବେ। ଏନେଇ ୧୫ ନମ୍ବର ୱାର୍ଡ କର୍ପୋରେଟର୍‌ ପିଙ୍କି ସ୍ବାଇଁ ଓ ୨୪ ନମ୍ବର ୱାର୍ଡ କର୍ପୋରେଟର ଦୀପକ ମିଶ୍ରଙ୍କ କହିବା କଥା ସେମାନଙ୍କ ଅଞ୍ଚଳର ଲୋକେ ଏନ୍‌ଏଚ୍ ପାର୍‌ ହୋଇ ୫ କିଲୋମିଟର ଦୂର ବରମୁଣ୍ଡା ଯିବା ସମ୍ଭବ ନୁହେଁ। ସେମାନଙ୍କ ଅଞ୍ଚଳର ଗରିବ ଓ ବସ୍ତିବାସିନ୍ଦାମାନେ ସହଜରେ ଓ କମ୍ ଖର୍ଚ୍ଚରେ ରେଣ୍ଟାଲ କଲୋନି ଡାକ୍ତରଖାନାରୁ ସମସ୍ତ ସୁବିଧା ପାଉଛନ୍ତି। ଏହାକୁ ବଦଳାଇବା ଏକ ଭୁଲ୍‌ ନିଷ୍ପତ୍ତି। ଡାକ୍ତରଖାନାକୁ ଉଠାଇ ଏକ ହେଲ୍‌ଥ ୱେଲ୍‌ନେସ୍‌ ସେଣ୍ଟର କରିବାକୁ କୁହାଯାଇଛି। ଏହା ଏକ ଲଲିପପ୍ ସଦୃଶ। ସରକାର ଏହି ନିଷ୍ପତ୍ତିରୁ ଓହରିବାକୁ ସେମାନେ ଦାବି କରିଛନ୍ତି। ନଚେତ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ।

କିନ୍ତୁ ଏନେଇ ଅର୍ବାନ ପବ୍ଲିକ୍‌ ହେଲ୍‌ଥ ଆସିଷ୍ଟାଷ୍ଟ ଡାଇରେକ୍ଟର ଡା. ଅନ୍ତର୍ଯ୍ୟାମୀ ମିଶ୍ର କହିଛନ୍ତି ଯେ ରେଣ୍ଟାଲ କଲୋନି ମେଡିକାଲ ସ୍ଥାନାନ୍ତରଣ ହୋଇନାହିଁ। କେବଳ ଏକ ପ୍ରସ୍ତାବ ଦିଆଯାଇଛି। ସେହିଭଳି ରେଣ୍ଟାଲ କଲୋନି ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇ ହେଲ୍‌ଥ ୱେଲନେସ୍‌ ସେଣ୍ଟର କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର