ଭୁବନେଶ୍ବର: ବହୁଚର୍ଚ୍ଚିତ ବିନାୟକ ବେହେରାଙ୍କୁ ହତ୍ୟା କରିବା ପାଇଁ ପତ୍ନୀ ସିଲ୍ସିଲା ବେହେରା ଡ୍ରାଇଭର ଅଶୋକ କୁମାର ସାହୁଙ୍କ ମିଶି ଷଡ଼୍ଯନ୍ତ୍ର କରିବା ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ସିଲ୍ସିଲାଙ୍କୁ ପୁଲିସ ଗିରଫ କରିନଥିବାରୁ ସେ ଚଳିତ ମାସ ୯ ତାରିଖରେ ଅଗ୍ରୀମ ଜାମିନ୍ ପାଇଁ ଭୁବନେଶ୍ବର ଏସ୍ଡିଜିଏମ୍ କୋର୍ଟର ଦ୍ବାରସ୍ଥ ହୋଇଥିଲେ। ମାତ୍ର ପୁଲିସର ପ୍ରାଥମିକ ତଦନ୍ତରେ ସିଲ୍ସିଲା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼୍ଯନ୍ତ୍ରରେ ନିଜେ ସାମିଲ ଥିବାରୁ ତାଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ ହୋଇଯାଇଛି।
କେବଳ ଏତିକି ନୁହେଁ, ପୂର୍ବରୁ ମଧ୍ୟ ସିଲ୍ସିଲାଙ୍କ ନାଁରେ କ୍ରାଇମ୍ବ୍ରା଼ଞ୍ଚ୍ରେ ଆପରାଧିକ ମାମଲା ରହିଥିବା ବେଳେ ସେ ମଧ୍ୟ ହ୍ୟୁମାନ୍ ରାଇଟ୍ସର ଲୋଗୋ ଲଗାଇ ବଟି ଆଦାୟ କରୁଥିବା ଘଟଣା ସାମ୍ନାକୁ ଆସିଥିଲା। ତେଣୁ ଅଭିଯୋଗକାରୀଙ୍କୁ ପ୍ରଭାବିତ କରିବା ତଥା ତଦନ୍ତରେ ସମସ୍ୟା ଉପୁଜିବାର ସମ୍ଭାବନା ଥିବା ଦର୍ଶାଇ ଏଡିଜେ-୪ରେ ତାଙ୍କ ଜାମିନ୍ ଖାରଜ ହୋଇଛି। ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଡ. ସୁରେଶ କୁମାର ବାରିକ ମାମଲାର ପରିଚାଳନା କରିଥିଲେ। ସିଲ୍ସିଲା ଦୁଇ ମାସ ହେଲା ଖୋଲାରେ ବୁଲୁଥିଲା ବେଳେ ପୁଲିସ୍ ତାଙ୍କୁ ଗିରଫ ନ କରିବା ଘଟଣା ପୂରା ମାମଲାରେ ପୁଲିସ୍ର ଭୂମିକା ସନ୍ଦେହ ଘେରକୁ ଆସିଯାଇଛି।
କ୍ରାଇମ୍ବ୍ରାଞ୍ଚ୍ରେ ରହିଛି ଆପରାଧିକ ମାମଲା
ସିଲ୍ସିଲାଙ୍କ ଆଗୁଆ ଜାମିନ୍ ଖାରଜ
ଖବର ଅନୁଯାୟୀ, ଗତ ମାର୍ଚ୍ଚ ୧୬ତାରିଖରେ ମଞ୍ଚେଶ୍ବର ଥାନାରେ ବିନାୟକ ବେହେରା ନାମକ ବ୍ୟକ୍ତି ଅଭିଯୋଗ କରିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ୩୦ରେ ସେ ମଞ୍ଚେଶ୍ବରସ୍ଥିତ ଘରକୁ ଫେରୁଥିବା ବେଳେ ୨ଜଣ ଯୁବକ ତାଙ୍କୁ ନିକଟସ୍ଥ ଜଗନ୍ନାଥ ମନ୍ଦିର ନିକଟରେ ଅଟକାଇଥିଲେ। ବିନାୟକ କିଛି ବୁଝିବା ପୂର୍ବରୁ ଯୁବକ ଦ୍ବୟ ଏକ ଷ୍ଟିଲ୍ ରଡ୍ରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ନିସ୍ତୁକ ମାଡ଼ ମାରି ତାଙ୍କର ଡାହାଣ ଗୋଡ଼କୁ ଭାଙ୍ଗିଦେଇଥିବା ବେଳେ ହତ୍ୟା ଉଦ୍ଦେଶ୍ୟରେ ମୁଣ୍ଡକୁ ଆକ୍ରମଣ କରିଥିଲେ। ମାତ୍ର କୌଣସି ମତେ ବିନାୟକ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହେବାରୁ ବଞ୍ଚିଯାଇଥିଲେ। ତେବେ ବିନାୟକଙ୍କ କହିବାନୁଯାୟୀ, ଏହା ତାଙ୍କ ଉପରେ ତୃତୀୟ ଆକ୍ରମଣ। ପୂର୍ବରୁ ଏହିଭଳି ସମାନ ଢଙ୍ଗରେ ଚନ୍ଦ୍ରଶେଖରପୁରରେ ତାଙ୍କୁ ଆକ୍ରମଣ ହୋଇଥିଲା। ତେଣୁ ପ୍ରାୟ ୩ଥର ଏଭଳି ତାଙ୍କ ସହ ଘଟିବାକୁ ନେଇ ସମ୍ଭବତଃ ତାଙ୍କୁ କେହି ହତ୍ୟା କରିବାକୁ ଉଦ୍ୟମ କରୁଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।
ମଞ୍ଚେଶ୍ବର ଥାନା ପୁଲିସ ମାମଲା ରୁଜୁ କରି ସୂଚନା ଦେଇଥିଲା ଯେ ବିନାୟକଙ୍କ ପତ୍ନୀ ସିଲ୍ସିଲା ଓ ଡ୍ରାଇଭର୍ ଅଶୋକ ମିଳିତ ଭାବେ ତାଙ୍କ ସ୍ବାମୀକୁ ହତ୍ୟା କରିବା ପାଇଁ ସୁପାରି ଦେଇଥିଲେ। କାରଣ ବିନାୟକଙ୍କର ଗତ କିଛିବର୍ଷ ତଳେ ପୁରୀ ବଦଳି ହୋଇଯିବା ପରେ ତାଙ୍କ ପତ୍ନୀ ସିଲ୍ସିଲାଙ୍କର ଡ୍ରାଇଭର୍ ଅଶୋକଙ୍କ ସହିତ ଅନୈତିକ ସଂପର୍କ ଗଢ଼ିଉଠିଥିଲା। ଏନେଇ ବିନାୟକ ଜାଣିବା ପରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ସେଥିପାଇଁ ବିନାୟକଙ୍କୁ ହତ୍ୟା କରିବା ପାଇଁ ପତ୍ନୀ ସିଲ୍ସିଲା ଡ୍ରାଇଭର୍ ଅଶୋକ ଓ ଜିତେନ୍ଦ୍ର ପ୍ରଧାନକୁ ସୁପାରି ଦେଇଥିଲେ। ଏହି ଘଟଣାରେ ପୁଲିସ ଅଭିଯୋଗର ପ୍ରାୟ ମାସକ ପରେ ଅଶୋକକୁ ଗିରଫ କରିଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ସିଲ୍ସିଲାଙ୍କୁ ଗିରଫ କରିବା ପାଇଁ ହାତ ଯାଇନଥିଲା।
ଆଉ କେତେ ହେଲେ ବାନ୍ଧିବ ପୁଲିସ?
ଗୋଟେପଟେ ପୁଲିସ ମୁଖ୍ୟ ଅଭିଯୁକ୍ତ ସିଲ୍ସିଲାକୁ ଫେରାର୍ ଥିବା କହୁଥିବା ବେଳେ ଅପରପଟେ ସେ କିନ୍ତୁ ଗଣମାଧ୍ୟମ ସାମ୍ନାରେ ଆସି ପ୍ରତିକ୍ରିୟା ରଖିଥିଲେ। ନିଜ ତଦନ୍ତରେ ପୁଲିସ ସିଲ୍ସିଲାଙ୍କ ଦୋଷୀ ବୋଲି ଦର୍ଶାଇବା ସତ୍ତ୍ବେ କାହିଁକି ଏତେ ଅନୁକମ୍ପା ଦେଖାଇଥିଲେ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ସିଲ୍ସିଲାଙ୍କ ଅଗ୍ରୀମ ଜାମିନ୍ ଖାରଜ ହେବାକୁ ଇତି ମଧ୍ୟରେ ୪ଦିନ ବିତିସାରିଲାଣି। ହେଲେ ମଞ୍ଚେଶ୍ବର ଥାନା ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପୁଲିସ୍ର ଦକ୍ଷତା ଓ ସ୍ବଚ୍ଛତା ଉପରେ ଅଙ୍ଗୁଳି ଉଠୁଛି। ଗୋଟେ ପଟେ କୋର୍ଟ ୩୦୭,୩୨୩, ୫୦୬, ୧୦୯, ୨୯୪, ୩୪ ଭଳି ୬ଟି ସଙ୍ଗୀନ ଦଫାକୁ ଦୃଷ୍ଟିରେ ରଖି ଅଭିଯୁକ୍ତର ଅଗ୍ରୀମ ଜାମିନ୍ ଖାରଜ କରୁଥିବା ବେଳେ ପୁଲିସ୍ ସିଲ୍ସିଲାଙ୍କ ପ୍ରତି ଏତେ ଦରଦ ଦେଖାଉଛି, ତାହା ଏବେ ସନ୍ଦେହ ଘେରରେ।