ଅପରାଧସ୍ଥଳରୁ କନଷ୍ଟେବଳ ସଂଗ୍ରହ କରିବେ ସାଇଣ୍ଟିଫିକ୍ ପ୍ରମାଣ

ଟୁଇନ୍ ସିଟିର ପ୍ରତ୍ୟେକ ଥାନାରୁ ଜଣଙ୍କୁ ଦିଆଗଲା ତାଲିମ, ପ୍ରମାଣ ସଂଗ୍ରହ କରିବାରେ ସହାୟକ ହେବ

ଭୁବନେଶ୍ବର : ହତ୍ୟା ହେଉ କି ଆତ୍ମହତ୍ୟା; ଦୁର୍ଘଟଣା ହେଉ କିମ୍ବା ଦୁଷ୍କର୍ମ; ଚୋରି, ଲୁଟ୍, ଡକାୟତି ଭଳି ମାମଲାରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ପ୍ରମାଣ ସଂଗ୍ରହର ଯଥେଷ୍ଟ ଗୁରୁତ୍ବ ରହିଛି। କେତେବେଳେ ବରିଷ୍ଠ ଅଧିକାରୀ ପହଞ୍ଚିବା ବିଳମ୍ବ ହେଉଛି ତ ଆଉ କେତେବେଳେ ଫୋରେନସିକ୍ ଟିମ୍‌ର। ତେଣୁ ବିଳମ୍ବ ହେଲେ ସାଇଣ୍ଟିଫିକ୍ ପ୍ରମାଣ ନଷ୍ଟ ହେବାର ଆଶଙ୍କା ରହିଥାଏ। ଥାନାର କୌଣସି କନଷ୍ଟେବଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାର ନଜିର୍ ରହିଛି। ତେଣୁ ଘଟଣାସ୍ଥଳରୁ କେମିତି ତୁରନ୍ତ ସାଇଣ୍ଟିଫିକ୍ ପ୍ରମାଣ ସଂଗ୍ରହ କରିହେବ ସେ ନେଇ କନଷ୍ଟେବଳମାନଙ୍କୁ ଦିଆଯାଇଛି ତାଲିମ। ହତ୍ୟାକାଣ୍ଡସ୍ଥଳରେ କୌଣସି ବସ୍ତୁରେ ଲାଗିଥିବା ରକ୍ତ ଛିଟା ହେଉ କିମ୍ବା ବ୍ୟବହୃତ ହୋଇଥିବା ଅସ୍ତ୍ରରୁ ନମୁନା, ଫିଙ୍ଗରପ୍ରିଣ୍ଟ ସଂଗ୍ରହ, ଡକାୟତି ସ୍ଥଳରୁ ଫିଙ୍ଗରପ୍ରିଣ୍ଟ କିମ୍ବା ଅନ୍ୟ କୌଣସି ସାଇଣ୍ଟିଫିକ୍ ପ୍ରମାଣ ସଂଗ୍ରହ କରିବେ ଏହି କନଷ୍ଟେବଳ। ପୂର୍ବରୁ ସବୁ ଥାନାକୁ ଯୋଗାଇ ଦିଆଯାଇଥିବା ଫୋରେନସିକ୍ କିଟ୍ ମାଧ୍ୟମରେ ଏହି ନମୁନା ସଂଗ୍ରହ କରାଯିବ।

ଟ୍ରାଫିକ ଓ ବିଦ୍ୟୁତ ଥାନାକୁ ବାଦ୍ ଦେଲେ ରାଜଧାନୀ ଭୁବନେଶ୍ବରରେ ୨୨ଟି ଥାନା ଓ କଟକରେ ୧୮ଟି ଥାନା ରହିଛି। କଟକ-ଭୁବନେଶ୍ବର ଟୁଇନ୍ ସିଟିର ସବୁ ଥାନାର ଜଣେ ଲେଖାଏଁ କନଷ୍ଟେବଳଙ୍କୁ ଆଜି ପୁଲିସ ସେବା ଭବନରେ ଏହି ତାଲିମ ପ୍ରଦାନ କରାଯାଇଛି। ଫୋରେନସିକ୍ ଅଧିକାରୀ ତାଲିମ ପ୍ରଦାନ କରିଛନ୍ତି। ୭ ଦିନ ଯାଏଁ ଏହି ତାଲିମ ପ୍ରକ୍ରିୟା ଚାଲିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଅପରାଧ ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବା ପାଇଁ ଘଟଣାସ୍ଥଳରୁ ସଂଗ୍ରହ କରା ଯାଇଥିବା ସାଇଣ୍ଟିଫିକ୍ ପ୍ରମାଣ ଅନ୍ୟତମ ପ୍ରମୁଖ ପ୍ରମାଣ ଭାବରେ ବିବେଚନା କରାଯାଏ।

ସମ୍ବନ୍ଧିତ ଖବର