ସୋସିଆଲ ମିଡିଆରେ ଅଭିଯୋଗ : ରାତି ୯ଟା ପରେ ଟ୍ରାଫିକ୍‌ ପୋଷ୍ଟ ଖାଲି

ଭୁବନେଶ୍ୱର : ରାତି ୯ଟା ପରେ ରାଜଧାନୀର ଅଧିକାଂଶ ଟ୍ରାଫିକ ପୋଷ୍ଟ ଖାଲି ହୋଇ ଯାଉଛି। ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଲ ଓ ହୋମଗାର୍ଡମାନେ ପୋଷ୍ଟ ଛାଡ଼ି ଘରକୁ ପଳାଉଛନ୍ତି। ଫଳରେ ସେହି ସବୁ ଛକରେ ନାହିଁ ନ ଥିବା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ବିଶେଷକରି ୧୨୦ ବାଟାଲିଅନ୍‌ ଛକରୁ କିଟ୍‌ ଛକ ପର୍ଯ୍ୟନ୍ତ ସହରର ବିଭିନ୍ନ ପ୍ରମୁଖ ଓ ସମ୍ବେଦନଶୀଳ ଟ୍ରାଫିକ୍‌ ଛକରେ ଏଭଳି ଅବ୍ୟବସ୍ଥା ନେଇ ପ୍ରକାଶ ଚନ୍ଦ୍ର ପରିଡ଼ା ନାମକ ଜଣେ ବ୍ୟକ୍ତି କମିସନରେଟ୍‌ ପୁଲିସର ଫେସବୁକ୍‌ ପେଜରେ ଫଟୋ ସହିତ ଅଭିଯୋଗ କରିବା ପରେ ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ ଏହାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଏ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ଟ୍ରାଫିକ୍‌ ଏସିପି ଯତୀନ ପଣ୍ଡାଙ୍କୁ ନିର୍ଦେଶ ଦେଇଛନ୍ତି। ତଦନ୍ତ ପରେ ପ୍ରାୟ ୧୦ ଜଣ ଟ୍ରାଫିକ୍‌ କନଷ୍ଟେବଲ ଓ କେତେକ ଅଫିସରଙ୍କୁ ଚେତାବନୀ ଦିଆଯାଇଛି। ଆଗାମୀ ଦିନରେ ଏଭଳି ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣେ ବରିଷ୍ଠ ଟ୍ରାଫିକ୍‌ ଅଧିକାରୀ କହିଛନ୍ତି।

ପ୍ରକାଶଙ୍କ ଅଭିଯୋଗ ଥିଲା ଶାସ୍ତ୍ରୀନଗର ଛକରେ ଡ୍ୟୁଟିରେ ଥିବା ଟ୍ରାଫିକ୍‌ କନଷ୍ଟେବଲ ରାତି ୯ଟା ବାଜିବା ପରେ ଟ୍ରାଫିକ୍‌ ପୋଷ୍ଟ ଛାଡ଼ି ଚାଲି ଯାଇଥାନ୍ତି। ଯେଉଁ କାରଣରୁ ସେଠାରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି। ପ୍ରକାଶଙ୍କ ଅଭିଯୋଗ ପରେ ଏକ ଟ୍ରାଫିକ ପୁଲିସର ଏକ ଟିମ୍‌ ଏସିପି ଯତୀନ ପଣ୍ଡାଙ୍କ ନେତୃତ୍ୱରେ ଅଚାନକ ରାଜଧାନୀର ଅନେକ ଟ୍ରାଫିକ୍‌ ପୋଷ୍ଟର ଯାଂଚ ଆରମ୍ଭ କରିଥିଲା। ସେମାନେ ଦେଖିବାକୁ ପାଇଥିଲେ, ଶାସ୍ତ୍ରୀନଗର ଛକ, ଡମଣା ଛକ, ପଟିଆ ଛକ, କିଟ୍‌ ଛକ ଆଦିରେ ରାତି ୯ଟା ପରେ କେହି ଜଣେ ହେଲେ ବି ଟ୍ରାଫିକ୍‌ କର୍ମଚାରୀ ରହୁନାହାନ୍ତି। କଟକ ତ୍ରିଶୂଳିଆ ବ୍ରିଜ୍‌ ଖୋଲିବା ପରେ ଏହି ରାସ୍ତା ଏବେ ରାଜଧାନୀର ପ୍ରମୁଖ ଜନଗହଳିପୂର୍ଣ ରାସ୍ତାରେ ପରିଣତ ହୋଇଛି। କଟକରୁ ଅନେକ ଲୋକ ଏହି ରାସ୍ତାରେ ଆସୁଛନ୍ତି। ତେଣୁ ଏଭଳି ଛକରେ ଟ୍ରାଫିକ୍‌ ପୁଲିସ ଅନୁପସ୍ଥିତ ରହିବା କାରଣରୁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଛି। ଗତ ସପ୍ତାହକ ମଧ୍ୟରେ ଦୁଇଦୁଇ ଥର ଏଭଳି ଦୁର୍ଘଟଣା ଘଟିଛି। ଆଉ ଏହି ଦୁର୍ଘଟଣା ସମୟରେ ଟ୍ରାଫିକ କନଷ୍ଟେବଲ ପୋଷ୍ଟ୍‌ରେ ନ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ରାଜଧାନୀର ଅଧିକାଂଶ ଛକରେ ଟ୍ରାଫିକ୍‌ କନଷ୍ଟେବଲମାନେ ରାତି ୯ଟା ପରେ ପୋଷ୍ଟ ଛାଡ଼ି ଘରକୁ ପଳାଉ ଯାଉଛନ୍ତି। ଏ ସମ୍ପର୍କରେ ପୁଲିସ କମିସନର ଖୁରାନିଆ କହିଛନ୍ତି, ପ୍ରମାଣ ସହିତ ଅଭିଯୋଗ ଆସିଲେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର