ପୁଲିସ ନିଶା ମାଫିଆ! ବ୍ରାଉନସୁଗାର ବିକି ଧରାପଡ଼ିଲେ କନଷ୍ଟେବଲ

ଭୁବନେଶ୍ୱର : ବର୍ଦିରେ ଲାଗିଛି କଳାଦାଗ। ଅପରାଧୀଙ୍କୁ ଗିରଫ କରିବା ବଦଳରେ ନିଜେ ଅପରାଧୀ ସାଜିଛି ପୁଲିସ। ପାଲଟି ଯାଇଛି ନିଶା ମାଫିଆ। ଗୋଟିଏ ପଟେ କମିସନରେଟ୍‌ ପୁଲିସ ନିଶା ବେପାରୀଙ୍କୁ ତଡ଼ିପାର କରି ସ୍ମାର୍ଟସିଟିକୁ ନିଶାମୁକ୍ତ କରିବାକୁ ଯୋଜନା କରୁଥିବାବେଳ ପୁଲିସ ଜାଲରେ ପଡ଼ିଛନ୍ତି ନିଜେ ପୁଲିସ କନଷ୍ଟେବଲ। ତାହା ପୁଣି ବ୍ରାଉନସୁଗାର ଭଳି ସାଂଘାତିକ ନିଶା କାରବାର କରିବା ଅଭିଯୋଗରେ। ତାଙ୍କ ନାଁ ଜେ. ଭାରିମଲ୍ଲ। ସେ ରିଜର୍ଭ ପୁଲିସରେ କନେଷ୍ଟବଲ ଭାବେ କାର୍ଯ୍ୟରତ। ଆସନ୍ତାକାଲି ତାଙ୍କୁ ନୂଆପଲ୍ଲୀ ଥାନା ପୁଲିସ କୋର୍ଟ ଚା‌ଲାଣ କରିବ। ଭାରିମଲ୍ଲ ପକେଟ୍‌ରେ ବ୍ରାଉନସୁଗାର ରଖି ବାଇକ୍‌ରେ ବୁଲି ବୁଲି ବିକ୍ରି କରୁଥିବା ବେଳେ ନୂଆପଲ୍ଲୀ ଅଞ୍ଚଳରେ ତାଙ୍କୁ ପୁଲିସ ମାଡ଼ି ବସିଥିଲା। ତାଙ୍କ ନିକଟରୁ ୩୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ନିଶାଦ୍ରବ୍ୟ ବିକି ଜଣେ କନଷ୍ଟେବଲ ଧରାପଡ଼ିବା ପରେ ସମଗ୍ର କମିସନରେଟ ପୁଲିସ ବଦନାମ ହୋଇଛି। ଉଲ୍ଲେଖଯୋଗ୍ୟ, ୨୦୦୮ ମସିହାରେ ଭାରିମଲ୍ଲ ଏକ ହତ୍ୟା ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ମାତ୍ର ସେ ନିର୍ଦୋଷରେ ଖଲାସ ହୋଇ ପୁନର୍ବାର ଚାକିରିରେ ଯୋଗ ଦେଇଥିଲେ। ନିକଟ ଅତୀତରେ ଖୋର୍ଧା ବେଆଇନ ଖଣି ଓ ଡ୍ରଗ୍ସ କାରବାରରେ ସଂପୃକ୍ତି ଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଥିଲା।

ଗିରଫ ହୋଇଥିବା କନଷ୍ଟେବଲ ସିଧାସଳଖ ଭାବେ ନିଶା କାରବାରରେ ସଂପୃକ୍ତ ରହିବା ଘଟଣା କମିସନରେଟ ପୁଲିସକୁ ଚିନ୍ତାରେ ପକାଇଛି। କେବଳ ଏହି କନଷ୍ଟେବଲ ଥିଲେ ନା ତାଙ୍କ ସହ ଏହି କାରବାରରେ ଆଉ କେହି ଅଛନ୍ତି? ତା’ର ଖୋଳତାଡ଼ ଆରମ୍ଭ କରିଛି କମିସନେରଟ ପୁଲିସ। ତେବେ ଏଭଳି ବେପାରରେ କେବଳ ତଳତଳିଆ କର୍ମଚାରୀ ଅଛନ୍ତି ନା ଏମାନଙ୍କ ଜରିଆରେ ବଡ଼ବଡ଼ିଆ ବି ମାଲାମାଲ ହେଉଛନ୍ତି ତାହା ଏବେ କମିସନରେଟ୍‌ ପୁଲିସ ମୁଖିଆଙ୍କ ପାଇଁ ଚିନ୍ତାର କାରଣ ହୋଇଛି।

କିଛି ଦିନ ତଳେ ସାଲିଆ ସାହିରେ ଜଣେ ହୋମ୍‌ଗାର୍ଡ ନିସ୍ତୁକ ମାଡ଼ ଖାଇଥିଲେ। ନିଶା ବିକ୍ରି କରୁଥିବା ଅଭିଯୋଗ କରି କେତେକ ସ୍ଥାନୀୟ ଲୋକ ତାଙ୍କୁ ଧରିଥିଲେ। ଡ୍ୟୁଟିରେ ନଥିବା ବେଳେ ସେ ଏକ ଚଢ଼ଉ ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଲୋକ ହୋ ହଲ୍ଲା କରିବା ପରେ ସେ ପକେଟରେ ରଖିଥିବା ବ୍ରାଉନସୁଗାର ଫିଙ୍ଗି ଦେଇଥିବା କେତେଜଣ ଦେଖିବା ପରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ସେହିଭଳି ଜଣେ ନିଶା ବେପାରୀଙ୍କୁ ସହଯୋଗ କରିବା ଅଭିଯୋଗରେ ଜଣେ ପୁଲିସ ଅଧିକାରୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଗିରଫ କରିଥିଲା। ଖୋର୍ଦ୍ଧାରେ ନିଶା ବେପାରୀଙ୍କୁ ପୁଲିସ ଅଧିକାରୀ ସହାୟତା କରୁଥିବା ଅଭିଯୋଗ ଉପରେ ଏସ୍‌ଟିଏଫ୍‌ ଏବେ ମଧ୍ୟ ତଦନ୍ତ ଜାରି ରଖିଛି। ପୂର୍ବରୁ ପୁଲିସ ନିଶା ବେପାରୀଙ୍କ ଠାରୁ ମୋଟା ଅଙ୍କର ହାତଗୁଞ୍ଜା ନେଇ ଏହି ବ୍ୟବସାୟକୁ ପ୍ରୋତ୍ସାହନ ଦେଉଥିଲା। ଆଜି ଘଟଣା ପରେ ପୁଲିସ ସହଯୋଗରେ ସହରରେ ନିଶା ବ୍ୟବସାୟ ଚାଲିଥିବା ସ୍ପଷ୍ଟ ହୋଇଛି। ଆଗାମୀ ଦିନରେ ଏଭଳି ଚଢ଼ଉ ଜାରି ରହିବ। ଯିଏ ବି ହୋଇଥାନ୍ତୁ ନା କାହିଁକି ତାଙ୍କୁ ଛଡ଼ା ଯିବ ନାହିଁ ବୋଲି କମିସନରେଟ ପୁଲିସ ପକ୍ଷରୁ ଏକ ଟୁଇଟ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର