ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ‘ସମ୍ବିଧାନ ଦିବସ’

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ଭବନରେ ଆଜି ‘ସମ୍ବିଧାନ ଦିବସ’ ପାଳିତ ହୋଇଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ଏହି ଉପଲକ୍ଷେ ଆମ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ଆଜି ସୁରକ୍ଷିତ କି? ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଜଷ୍ଟିସ ମନୋରଂଜନ ମହାନ୍ତି କହିଲେ, ଏକ ନିର୍ଦ୍ଦିଷ୍ଟ କୁଚକ୍ରୀ ଗୋଷ୍ଠୀ ଆଜି ଦେଶର ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏହି ଭିନ୍ନ ଚିନ୍ତାଧାରା ବ୍ୟକ୍ତବିଶେଷ ବା ଗୋଷ୍ଠୀ ଗାନ୍ଧୀ ଓ ନେହରୁଙ୍କ ଚିନ୍ତାଧାରାକୁ ସଂପୂର୍ଣ୍ଣ ନଷ୍ଟ କରିବାକୁ ବସିଛନ୍ତି। ବରିଷ୍ଠ ସାମ୍ବାଦିକ କେଦାର ମିଶ୍ର କହିଥିଲେ, ଦେଶର ସ୍ବାଧୀନତା ଆନ୍ଦୋଳନରେ ଆରଏସ୍‌ଏସ୍‌ ଓ ହିନ୍ଦୁ ମହାସଭା ଅଂଶଗ୍ରହଣ କରି ନ ଥିଲେ। ନିର୍ବାଚନ ଜିତିବା ପାଇଁ ଦେଶକୁ ଦୁର୍ବଳ କରି ବିଜେପି ନିଜକୁ ସଶକ୍ତ କରୁଥିବା ସେ କହିଥିଲେ।

ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଲେ, ୨୦୧୪ ମସିହାଠାରୁ ଆମ ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନକୁ ବିଜେପି ସରକାର ନଷ୍ଟଭ୍ରଷ୍ଟ କରିବାକୁ ଲାଗି ପଡ଼ିଛନ୍ତି। ଦେଶ ଓ ଆମ ଗଣତନ୍ତ୍ର ପାଇଁ ଏହା ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତ ବୋଲି ସେ କହିଥିଲେ। ଶ୍ରୀ ହରିଚନ୍ଦନ କହିଥିଲେ, ବିଜେପି ଓ ବ‌ିଜେଡ ଉଭୟ ଗାନ୍ଧୀ ଓ ନେହରୁଙ୍କ ପ୍ରତି ଅସହିଷ୍ଣୁ ହୋଇ ପଡ଼ିଛନ୍ତି। ନେହରୁ ଭୁବନେଶ୍ବର ସହରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିଧାନସଭାଠାରୁ ଆଚାର୍ଯ୍ୟ ବିହାର ମାର୍ଗକୁ ନେହରୁ ମାର୍ଗ କୁହାଯାଉଥିଲା। ମାତ୍ର ନବୀନ ବାବୁ ଏ ମାର୍ଗର ନାମ ପରିବର୍ତନ କରିଦେଲେ। ଆଜି ବିଜେପି ସମ୍ବିଧାନ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ବେଳେ ତାକୁ ସଫଳ କରିବା ପାଇଁ ବିଜେଡି ସାହାଯ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଥିଲେ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ, ଶିବାନନ୍ଦ ରାୟ, ଅାର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଜୟଲକ୍ଷ୍ମୀ ସାହୁ, ଲଲାଟେନ୍ଦୁ ମହାପାତ୍ର, ମନୋରଂଜନ ଦାଶ, ଜାନକୀ ବଲ୍ଲଭ ପଟ୍ଟନାୟକ, ବିଶ୍ବଜିତ ଦାଶ, ସୁରେନ୍ଦ୍ର ନାଥ କର, ସୁଦର୍ଶନ ଦାସ, ରଜନୀ ମହାନ୍ତି, ବିସ୍ମୟ ମହାପାତ୍ର, ହଳଧର ସେଠୀ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର