ଭୁବନେଶ୍ବର: ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ଭାରତ ସମ୍ବିଧାନର ହୀରକ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ୭୫ତମ ସମ୍ବିଧାନ ଦିବସ ଅବସରରେ ସଂଗଠନର କର୍ମକର୍ତ୍ତାମାନେ ୧୭ ଦଫା ଦାବି ନେଇ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ। ସେଠାରେ ସଂଗଠନର ରାଜ୍ୟ ସଭାପତି ଚନ୍ଦନ ନାଗ ଓ କାର୍ଯ୍ୟକାରୀ ସଭାପତି ବିଜୟ କୁମାର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଅତିଥିମାନେ ଅଭିଭାଷଣ ପ୍ରଦାନ କରି କହିଲେ, ଭାରତ ସମ୍ବିଧାନ ବିଶ୍ୱର ସର୍ବଶ୍ରେଷ୍ଠ ତଥା ସର୍ବବୃହତ ସମ୍ବିଧାନ ହୋଇଥିଲେ ମଧ୍ୟ ଦେଶର ଶାସକବର୍ଗ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରୁନାହାନ୍ତି। ବରଂ ସମ୍ବିଧାନର ଶପଥ ନେଇ ଗାଦିରେ ବସିବା ପରେ ସମ୍ବିଧାନ ବିପରୀତରେ କାର୍ଯ୍ୟ କରି ଏହାକୁ ନିଃଷ୍ପ୍ରଭାବୀ କରି ଚାଲିଛନ୍ତି। ଫଳରେ ସମସ୍ତ ପ୍ରକାର ଶୋଷଣ, କଷଣ, ବିଭେଦରୁ ମୁକ୍ତ ହୋଇ ସମତା, ଏକତା, ଭ୍ରାତୃତ୍ୱ ଓ ନ୍ୟାୟ ରୂପକ ସମାଜ ପ୍ରତିଷ୍ଠା କରିବାର ଲକ୍ଷ୍ୟ ସ୍ୱପ୍ନ ହୋଇଛି I ବିପରୀତରେ ଆମ ଦେଶରେ ଅସମତା, ବିଭେଦ, ହିଂସା, ଘୃଣା, ବର୍ଣ୍ଣ ବ୍ୟବସ୍ଥା, ଜାତି ବ୍ୟବସ୍ଥା, ଲିଙ୍ଗଗତ ଅସମାନତା, ଆର୍ଥକ ବିଷମତା ତଥା ଧାର୍ମିକ କଟୁତା ଆଜି ଚରମାସୀମାରେ ପହଞ୍ଚିଛି। ଏପରିସ୍ଥଳେ ସମ୍ବିଧାନବିତ୍ଗଣ ବିଶେଷକରି ବାବା ସାହେବ ଡ. ଭୀମରାଓ ଆମ୍ବେଦକରଙ୍କ ସ୍ୱପ୍ନକୁ ପୂରଣ କରି ଏକ ସମତାପୂର୍ଣ୍ଣ ଓ ପ୍ରଜ୍ଞାଦୀପ୍ତ ସମାଜ ବ୍ୟବସ୍ଥା ପ୍ରସ୍ଥାପନ କରିବାକୁ ହେଲେ ସମ୍ବିଧାନକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ହେବ ମତବ୍ୟକ୍ତ କରିଥିଲେ। ଶେଷରେ ଏକ ପ୍ରତିନିଧି ମଣ୍ଡଳୀ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାରେ ସଂଖ୍ୟାନୁପାତିକ ସଂରକ୍ଷଣ ଲାଗୁ କରିବା, ଲାଟେରାଲ ଏଣ୍ଟ୍ରିକୁ ବନ୍ଦ କରିବା, ଘରୋଇ କ୍ଷେତ୍ରରେ ସଂରକ୍ଷଣକୁ ଲାଗୁ କରିବା, ଓଆର୍ଭି ନିୟମ ଅନୁସାରେ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣକୁ କଡ଼ାକଡ଼ି କରିବା, ଜାତି ଜନଗଣନା କରିବା, ତୃତୀୟ ଠାରୁ ସ୍ନାତକ ପର୍ଯ୍ୟନ୍ତ ପାଠ୍ୟକ୍ରମରେ ସମ୍ବିଧାନକୁ ବାଧ୍ୟତାମୂଳକ ବିଷୟ ଭାବରେ ସ୍ଥାନିତ କରିବା ଆଦି ୧୭ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ।
ଜଟଣୀ: ଜଟଣୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ସମ୍ମିଳନୀକକ୍ଷରେ ୭୫ତମ ଜାତୀୟ ସାମ୍ବିଧାନିକ ଦିବସ ପାଳିତ ହୋଇଯାଇଛି। ଅଧ୍ୟକ୍ଷ ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଅଜିତ କୁମାର ସୁନ୍ଦରରାୟ, ଓଡ଼ିଆ ବିଭାଗର ମୁଖ୍ୟ ତପନ ମିଶ୍ର ଯୋଗଦେଇ ସମ୍ବିଧାନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ବିଭାଗୀୟ ଅଧ୍ୟାପକ ବାଳକୃଷ୍ଣ ଚୌଧୁରୀ, ଅଧ୍ୟାପିକା ଶାନ୍ତିଲତା ସାହୁ ବିକଶିତ ଭାରତ ଗଠନରେ ସମ୍ବିଧାନର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ସମ୍ବିଧାନର ପ୍ରସ୍ତାବନାକୁ ପାଠକରି ଶପଥ ନେଇଥିଲେ। ଉତ୍ସବରେ ସାଧାରଣ ଜ୍ଞାନ, ଓଡ଼ିଆ, ଇଂରାଜୀ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସେମିନାର୍ ସେକ୍ରେଟାରି ସତ୍ୟସନ୍ଧାନ ପରିଡ଼ା, ପ୍ରିୟଦର୍ଶିନୀ ସାହାଣୀ, କୌଶଲ୍ୟା ପାହାଳ, ଅର୍ଚ୍ଚିତା ସିଂ ଓ ଅଭୟ କୁମାର ସାହୁ ପ୍ରମୁଖ ପରିଚାଳନା କରିଥିଲେ। ଅଧ୍ୟାପକ ଦୀପ୍ସୁନ୍ଦର ବେହେରା ଧନ୍ୟବାଦ ଦେଇଥିଲେ।
ଲୋହିଆ ଏକାଡେମୀ
ଭୁବନେଶ୍ୱର: ସମ୍ବିଧାନ ଦିବସ ତଥା ପୂର୍ବତନ ଲୋକସଭା ବାଚସ୍ପତି ସ୍ବର୍ଗତ ରବି ରାୟଙ୍କର ୯୮ତମ ଜନ୍ମ ଜୟନ୍ତୀ ଲୋହିଆ ଏକାଡେମୀରେ ପାଳନ କରାଯାଇଛି। ଏହି ଅବସରରେ ଗଣତନ୍ତ୍ରରେ ଭାରତୀୟ ସମ୍ବିଧାନର ମୂଲ୍ୟବୋଧ ଏବଂ ଏହାର ସୁରକ୍ଷା ଓ ସମ୍ମାନ ରକ୍ଷା କରିବାରେ ରବି ରାୟଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା। ଏହା ସହିତ ରବି ରାୟ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଫେଲୋସିପ୍ ଆନୁକୂଲ୍ୟରେ ରାଜୀବ ସଗରିଆଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଶାରେ ଦାଦନ ସମ୍ପର୍କିତ ଏକ ବିସ୍ତୃତ ଅନୁଧ୍ୟାନ ରିପୋର୍ଟ ଉନ୍ତୋଚନ କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ଦାଦନ ଶ୍ରମିକଙ୍କ ଅତୀତ ଓ ବର୍ତ୍ତମାନ ଉପରେ ଅନେକ ତଥ୍ୟ ଆଧାରିତ ଅଧ୍ୟୟନ ଏହି ରିପୋର୍ଟରେ ରହିଛି। ସଭାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ରାଜନୀତି ବିଜ୍ଞାନ ଅଧ୍ୟାପକ ପ୍ରଫେସର ମନୋରଞ୍ଜନ ମହାନ୍ତି, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକ, ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋଙ୍କ ସମେତ ଅନେକ ବୁଦ୍ଧିଜୀବୀ ରବି ରାୟଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।
ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ସାମ୍ବିଧାନିକ ମାନ୍ୟତା ଦାବି
ଭୁବନେଶ୍ୱର: ରାଷ୍ଟ୍ରୀୟ ପତ୍ରକାର ମହାସଂଘ, ନୂଆଦିଲ୍ଲୀଙ୍କ ଆହ୍ୱାନକ୍ରମେ ଆଜି ରାଜ୍ୟ ମୁଖ୍ୟାଳୟଠାରେ ସମ୍ବିଧାନ ଦିବସ ପାଳନ ଅବସରରେ ମାଷ୍ଟର କ୍ୟାଟିନ ଛକ ନିକଟରେ ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭର ସାମ୍ବିଧାନିକ ମାନ୍ୟତା ଦାବିକୁ ନେଇ ଏକ ବିରାଟ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନକୁ ସମର୍ଥନ ଜଣାଇ ରାଜ୍ୟରେ ପଞ୍ଜିକୃତ ହୋଇଥିବା ପ୍ରମୁଖ ଟ୍ରେଡ୍ ୟୁନିଅନ୍ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, ଭାରତୀୟ ଗଣମାଧ୍ୟମ ପରିଷଦ, ଓଡ଼ିଶା ପତ୍ରକାର ମହାସଂଘ, ଓଡ଼ିଶା ଗଣମାଧ୍ୟମ ପରିଷଦ ତଥା ଆଇଏସ୍ଏଫ୍ଏମ୍ଏନ୍, ଏନ୍ଏମ୍ସି, ଡିଜିଟାଲ୍ ମିଡିଆ ମହାସଂଘ ସମେତ ଅନେକ ଗଣମାଧ୍ୟମ ଅନୁଷ୍ଠାନର ପ୍ରାୟ ୧୦୦ ରୁ ଅଧିକ ପ୍ରତିନିଧ ଯୋଗଦାନ କରିଥିଲେ। ରାଷ୍ଟ୍ରୀୟ ସଭାପତି ପବିତ୍ର ମୋହନ ସାମନ୍ତରାୟ ଅଭିଯାନର ନେତୃତ୍ବ ନେଇ କହିଥିଲେ, ଗଣମାଧ୍ୟମକୁ ଚତୁର୍ଥ ସ୍ତମ୍ଭ ବୋଲି ସମସ୍ତେ କହୁଛନ୍ତି, କିନ୍ତୁ ଅନ୍ୟ ତିନିଟି ସ୍ତମ୍ଭ ଭଳି ଗଣମାଧ୍ୟମକୁ କୌଣସି ସାମ୍ବିଧାନିକ ମର୍ଯ୍ୟାଦା ମିଳି ନବାରୁ ସମସ୍ତ ମୌଳିକ ସୁବିଧାରୁ ଗଣମାଧ୍ୟମ କର୍ମୀମାନେ ଦୀର୍ଘ ୭୫ ବର୍ଷ ଧରି ବଞ୍ଚିତ ଅଛନ୍ତି। ଏହି ସର୍ବସାଧାରଣ ଦସ୍ତଖତ ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ରଜନୀକାନ୍ତ ସାମନ୍ତରାୟ, ସଂଜୟ ଦାସ, ପ୍ରସନ୍ନ ମହାନ୍ତି, ପ୍ରଦ୍ୟୁମ୍ନ ଦାଶ, ପ୍ରସନ୍ନ ପୃଷ୍ଟି, ଅବିନାଶ ମିଶ୍ର, ସଂଜୟ ପ୍ରଧାନ, ସୁରେନ୍ଦ୍ର ସାହୁ, ପରମେଶ୍ୱର ଦାଶ, ସୁବୋଧ କାନୁନଗୋ ପ୍ରମୁଖ ଯୋଗ ଦେଇଛନ୍ତି ବୋଲି ପ୍ରିୟବ୍ରତ ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/27/nqgIakGb2GQ4Ug4aUspQ.jpg)