ସାମାଜିକ ପରିବର୍ତନରେ ଶିକ୍ଷାର ଭୂମିକା ଅତୁଳନୀୟ: ଜଷ୍ଟିସ୍‌ ଭଣ୍ଡାରୀ

କିଟ୍‌ ଓ କିସ୍‌ରେ ସମ୍ବିଧାନ ଦିବସ ପାଳିତ

ଚନ୍ଦ୍ରଶେଖରପୁର : ଶିକ୍ଷା ହେଉଛି ସାର୍ବଭୌମିକ ମାନବାଧିକାର। ସାମାଜିକ ପରିବର୍ତନରେ ଶିକ୍ଷାର ଭୂମିକା ଅତୁଳନୀୟ ବୋଲି ମତଦେଇଛନ୍ତି ଇଣ୍ଟରନ୍ୟାସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ର ବିଚାରପତି ଡ.ଜଷ୍ଟିସ୍‌ ଦଲବୀର ଭଣ୍ଡାରୀ ପ୍ରକାଶ କହିଛନ୍ତି। ସମ୍ବିଧାନ ଦିବସ ପାଳନ ଅବସରରେ ଆଜି କିସ୍‌ ପରିସରରେ ଆୟୋଜିତ ଉତ୍ସବରେ ଡ. ଭଣ୍ଡାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଇଣ୍ଟରନ୍ୟାସନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ର ଅନ୍ୟତମ ବିଚାରପତି ଜଷ୍ଟିସ୍‌ ଆଣ୍ଟୋନିଓ ଅଗସ୍ତୋ କନକଡ଼ୋ ଟ୍ରିନ୍‌ଡଡ୍‍, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ଡ. ଧନେଶ୍ୱର ମୁଲେ ଏବଂ ନରେଓ୍ଵରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଦେବରାଜ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।।

ଏହି ବିଶିଷ୍ଟ ବ୍ୟକ୍ତିମାନେ କିସ୍‌ର ୨୭ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ। ଡ.ଭଣ୍ଡାରୀ ଶିକ୍ଷାର ସୁଦୂରପ୍ରସାରୀ ଭୂମିକା ଉପରେ ଆଲୋକପାତ କରିଥିବାବେଳେ ଜଷ୍ଟିସ୍‌ ଆଣ୍ଟୋନିଓ ତାଙ୍କ ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସୁଶିକ୍ଷାର ଗୁରୁତ୍ୱ ଓ ଶିକ୍ଷା ମାଧ୍ୟମରେ ନିଜର ପାରିପାର୍ଶ୍ୱିକ ପରିବେଶକୁ ପରିବର୍ତ୍ତନ କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱବିଦ୍ୟାଳୟ ଗୁଡ଼ିକ ସର୍ବଦା ମାନବିକତା ଓ ସହିଷ୍ଣୁତାକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ କହିଥିଲେ। ଏହି ଅବସରରେ କିଟ୍‌ ସ୍କୁଲ ପକ୍ଷରୁ ଆୟୋଜିତ ଇଣ୍ଟରନ୍ୟାସନାଲ୍‌ କମର୍ସିଆଲ୍‌ ଆର୍ବିଟ୍ରେସନ୍‌ ଆଲୋଚନାଚକ୍ରରେ ନଟିଂହାମ୍‌ ଟ୍ରେଣ୍ଟ ବିଶ୍ୱବିଦ୍ୟାଳୟ ପ୍ରଫେସର ମାର୍ଟିନ୍‌ ହଣ୍ଟର, ଆଇନ୍‌ ଓ ନ୍ୟାୟ ମନ୍ତ୍ରଣାଳୟର ପୂର୍ବତନ ସଚିବ ପିକେ.ମଲହୋତ୍ରା ଏବଂ ଏସିଆନ୍‌ ଲିଗାଲ ଆଲାଏନ୍‌ସର ଅଧ୍ୟକ୍ଷ ପ୍ରଫେସର ଷ୍ଟିଭ୍‌ କେ.ଏନ୍‌ଗୋ ପ୍ରମୁଖ ଯୋଗଦେଇ ବିଶ୍ୱ ବାଣିଜ୍ୟ କ୍ଷେତ୍ରରେ ଇଣ୍ଟରନ୍ୟାସନାଲ୍‌ କମର୍ସିଆଲ୍‌ ଆର୍ବିଟ୍ରେସନ୍‌ର ଉପଯୋଗିତା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ କିସ୍‌ ଓ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ସଂପାଦକ ଆର୍‌ଏନ୍‌ ଦାଶ, ସଭାପତି ଶାଶ୍ୱତୀ ବଳ ଉପକୁଳାଧିପତି ଡ. ସୁବ୍ରତ ଆଚାର୍ଯ୍ୟ, କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି, କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍‌ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର