ସରୁନି ଆଇଗିଣିଆ ମଡେଲ ମଶାଣି ନିର୍ମାଣ, ଜବରଦଖଲକାରୀଙ୍କୁ ଉଠାଇପାରୁନି ଜିଏ ବିଭାଗ

ଖଣ୍ଡଗିରି: ଜବରଦଖଲକାରୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଉଠାଇପାରୁନଥିବାରୁ ଆଇଗିଣିଆ ମଡେଲ ଶ୍ମଶାନ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିରହିଛି। ଏହି ମଶାଣିର ବିଦ୍ୟୁତ୍‌ ଚୁଲା ଓ ଗ୍ୟାସ୍‌ ଚୁଲା କାର୍ଯ୍ୟ ଅଧାଅଧି ସରିଥିଲେ ବି ପାଚେରି ନିର୍ମାଣ ଅଧାରେ ଅଟକି ଥିବାରୁ ପ୍ରକଳ୍ପ କାମ ବନ୍ଦ ହୋଇଯାଇଛି। କିଛି ଜବରଦଖଲକାରୀ ଶ୍ମଶାନ ଜମିରେ ବ୍ୟବସାୟିକ ପ୍ରତିଷ୍ଠାନ କରି ଜମି ଛାଡ଼ୁନଥିବାରୁ ପାଚେରି ନିର୍ମାଣ ହୋଇପାରୁନାହିଁ। ସେହିଭଳି ନିଜ ପ୍ଲଟ୍‌କୁ ରାସ୍ତା ଥିବା ସତ୍ତ୍ବେ କିଛି ଲୋକ ଶ୍ମଶାନ ଜମିରେ ରାସ୍ତା ନେବାକୁ ଦାବି କରି କୋର୍ଟର ଦ୍ବାରସ୍ଥ ହୋଇଥିବାରୁ ପାଚେରି ନିର୍ମାଣ ହୋଇପାରୁନି। ଫଳରେ ଶ୍ମଶାନର ପୂର୍ଣ୍ଣାଙ୍କ ରୂପ ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇରହିଯାଇଛି। ଜବରଦଖଲକାରୀଙ୍କ ଉଚ୍ଛେଦ କରିବାରେ ସାଧାରଣ ପ୍ରଶାସନ ବିଭାଗର ଆନ୍ତରିକତା ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ‌ଯେ ଭରତପୁର, ପଟିଆ, ଜାଗମରା ଓ ଆଇଗିଣିଆ ଶ୍ମଶାନର ନବୀକରଣ ପାଇଁ ବିଏମ୍‌ସି ଗୋ‌ଟିଏ ସମୟରେ କାମ ଆରମ୍ଭ କରିଥିଲା। ଭରତପୁର ପ୍ରକଳ୍ପର କାମ ସରିଥିବା ବେଳେ ଜାଗମରା ଓ ପଟିଆ ପ୍ରକଳ୍ପ ମଧ୍ୟ ଶେଷ ହେବା ଉପରେ। ଆଇଗିଣିଆ ମଡେଲ ମଶାଣି ପାଇଁ ୨ ଘ‌ରୋଇ ସଂସ୍ଥା ସେମାନଙ୍କ ସିଏସ୍‌ଆର୍‌ ପାଣ୍ଠିରୁ ବିଦ୍ୟୁତ ଓ ଗ୍ୟାସ ଚୁଲା ନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦେଇଥିଲେ। କାମ ମଧ୍ୟ ଆଗେଇ ଚାଲିଥିଲା‌। ମାତ୍ର ପରେ ଶ୍ମଶାନ ଜମିକୁ ଲାଗିଥିବା ଏକ ପ୍ଲଟିଂ ସ୍କିମ୍‌ର କିଛି ବ୍ୟକ୍ତି ନିଜ ପ୍ଲଟ୍‌କୁ ଶ୍ମଶାନ ଜମିରେ ରାସ୍ତା ଦାବି କରି ୨୦୨୧ ମସିହାରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ଉକ୍ତ ମାମଲାକୁ ସାଧାରଣ ପ୍ରଶାସନ ବିଭାଗକୁ ସ୍ଥାନାନ୍ତର କରିଥିଲା। ସରଜମିନ ତଦନ୍ତ କରି ଉପଯୁକ୍ତ ପ‌ଦକ୍ଷେପ ନେବାକୁ ସାଧାରଣ ପ୍ରଶାସନ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରଜମିନ ତଦନ୍ତ ହେବା ପରେ ଜଣାପଡ଼ିଲାଯେ ପ୍ଲଟିଙ୍ଗ ସ୍କିମ୍‌କୁ ସ୍ବତନ୍ତ୍ର ରାସ୍ତା ରହିଛି। ତେଣୁ ଶ୍ମଶାନ ଜମିରୁ ରାସ୍ତା ‌ପାଇଁ ଜମି ଛା‌ଡ଼ିବା ଦାବିର କୌଣସି ଯଥାର୍ଥତା ନାହିଁ। ତେଣୁ ଆବେଦନକାରୀଙ୍କ ଦରଖାସ୍ତକୁ ସାଧାରଣ ପ୍ରଶାସନ ବିଭାଗ ଖାରଜ କରିଦେଇଥିଲା। ଏହାପରେ ୨୦୨୨ ଫେବ୍ରୁଆରିରେ ଶ୍ମଶାନ ଜମିରୁ ଜବରଦଖଲ ହୋଇଥିବା ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ହଟାଇବା ପାଇଁ ସାଧାରଣ ପ୍ରଶାସନର ଉଚ୍ଛେଦକାରୀ ଦଳ ଆସିଥିଲେ। କିନ୍ତୁ ଉଚ୍ଛେଦ ନକରି ଫେରିଯାଇଥିଲେ। ଏହି ମଉକାରେ ପୁଣି ଜବରଦଖଲକାରୀମାନେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ସେହିଦିନରୁ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଶ୍ମଶାନ ଜମିକୁ ପୁନରୁଦ୍ଧାର କରିବାରେ ବିଭା‌ଗୀୟ ଅବ‌‌ହେଳା ପାଇଁ ଜବରଦଖଲକାରୀମାନେ ସୁଯୋଗ ପାଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ବିଏମ୍‌ସି କର୍ତ୍ତୃପକ୍ଷଙ୍କ କହିବ‌ା କଥା କୋର୍ଟରେ ଜବରଦଖଲକାରୀଙ୍କ ଆବେଦନକୁ ଖାରଜ କରିବା‌ ପାଇଁ ସମସ୍ତ ଉଦ୍ୟମ ଚାଲିଛି। ଖୁବ୍‌ ଶୀଘ୍ର ମାମଲାର ଫଇସଲା ହୋଇଯିବ ଏବଂ ମ‌ଡେଲ ଶ୍ମଶାନ ନିର୍ମାଣ ମଧ୍ୟ ‌ସରିବ।

ସମ୍ବନ୍ଧିତ ଖବର