ଭୁବନେଶ୍ୱର: ସ୍ମାର୍ଟସିଟିରେ ସ୍ବଚ୍ଛ ପରିମଳ ବ୍ୟବସ୍ଥା ନେଇ ବିଏମ୍ସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ହେଲେ ତାହା ଅଧିକାଂଶ କ୍ଷେତ୍ରରେ ବିଫଳ ହେଉଥିବାର ଦେଖିବାକୁ ମିଳିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜଧାନୀର ପବ୍ଲିକ୍ ଟଏଲେଟ୍ ଓ ଇ-ଟଏଲେଟ୍। ସହରରେ କେଉଁଠି ଶୌଚାଳୟ ନାହିଁ ତ କେଉଁଠି ଥିଲେ ମଧ୍ୟ ଅଚଳ ହୋଇପଡ଼ିଛି। ପ୍ରତିଦିନ ରାଜଧାନୀକୁ ହଜାର ହଜାର ସଂଖ୍ୟାରେ ଲୋକ ଚାକିରି, ବ୍ୟବସାୟ ଓ ବିଭିନ୍ନ କାମରେ ଆସିଥାନ୍ତି। ହେଲେ ଶୌଚାଳୟ ନଥିବାରୁ ବିଶେଷ କରି ମହିଳାମାନେ ହଇରାଣ ହେଉଛନ୍ତି। ବାଣୀବିହାର ଓ ସହିଦନଗର ଛକରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଟଏଲେଟ୍ ଅଚଳ ହୋଇପଡ଼ିଛି। ବର୍ତ୍ତମାନ ସୁଦ୍ଧା କାର୍ଯ୍ୟ ସରିପାରିଲା ନାହିଁ। ଏନେଇ କର୍ପୋରେଟର୍ ଅପରୂପ ନାରାୟଣ ରାଉତ କହିଛନ୍ତି ଆଗାମୀ ୧୫ ଦିନ ମଧ୍ୟରେ ସରିବାର ଲକ୍ଷ୍ୟ ରହିଛି। ସେହିପରି ସିଆର୍ପି ଛକରେ ଟଏଲେଟ୍ର ନିର୍ମାଣ କାମ ପ୍ରାୟ ବର୍ଷେ ହେଲାଣି ସରୁନାହିଁ। ଫଳରେ ବ୍ୟବସାୟୀ ସମେତ ଗ୍ରାହକ ମଧ୍ୟ ହଇରାଣ ହେଉଛନ୍ତି।
ସହରର ପ୍ରମୁଖ ଛକ ଯେପରିକି ନୂଆପଲ୍ଲୀ ଗାନ୍ଧୀ ମାର୍କେଟ, ପାଵାର୍ହାଉସ୍ ଛକ, କେଶରୀ଼ ଟକିଜ୍ , ଆଚାର୍ଯ୍ୟବିହାର ଆଦି ସ୍ଥାନରେ ଇ-ଟଏଲେଟ୍ ଅଚଳ ହୋଇ ପଡ଼ିରହିଛି। ଫଳରେ ଖୋଲାସ୍ଥାନ ଶୌଚାଳୟ ପାଲଟୁଛି। ସ୍ବଚ୍ଛ ସର୍ଭେକ୍ଷଣ ପ୍ରତିଯୋଗିତାରେ ମାର୍କ ହାତେଇବା ପାଇଁ ୨୦୧୯ ନଭେମ୍ବର ୧୬ ତାରିଖରେ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଥିଲା ଯେ ବାହାରେ ମଳତ୍ୟାଗ କଲେ ୨୦୦ ଟଙ୍କା ଓ ପରିସ୍ରା କଲେ ୧୫୦ଟଙ୍କା ଜରିମାନା ଆଦାୟ ହେବ। ଏପରିକି ନିୟମକୁ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ଯାଞ୍ଚ ମଧ୍ୟ କରା ଯାଇଥିଲା। କିନ୍ତୁ ସେ ଯାଞ୍ଚ ଲୋକ ଦେଖାଣିଆ ହିଁ ଥିଲା ବୋଲି ଅବିଳମ୍ବେ ପ୍ରମାଣିତ ହୋଇଯାଇଛି। ରାଜଧାନୀର ଅଧିକାଂଶ ସ୍ଥାନର ସ୍ଥିତିକୁ ଦେଖିଲେ ଏହି ଆଇନ କେବଳ ଫାଇଲ୍ରେ ସୀମିତ ରହିଯାଇଛି। ଲୋକମାନେ ଯିଏ ଯେଉଁଠି ପାଇଲେ ମନଇଚ୍ଛା ପରିସ୍ରା କରୁଛନ୍ତି। ଏପରିକି ଗୋପବନ୍ଧୁ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ କାନ୍ଥରେ ସ୍ଥାନ ପାଇଥିବା ବରପୁତ୍ରମାନଙ୍କର ଚିତ୍ରରେ ମଧ୍ୟ ଲୋକ ପରିସ୍ରା କରୁଛନ୍ତି। ହେଲେ ତଥାପି କୌଣସି କାର୍ଯ୍ୟନୁଷ୍ଠାନ ନିଆନାହିଁ।