ବାଲିଅନ୍ତା: କୁଶଭଦ୍ରା ନଦୀରେ ଗଭୀର କୂପ ଖନନ ସରିଛି। ୧୬ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ପାଇପ୍ ବିଛାଇବା କାମ ମଧ୍ୟ ସରିଛି। ମାତ୍ର ବିଭିନ୍ନ ପଞ୍ଚାୟତରେ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। ତେଣୁ ଲୋକଙ୍କ ନିକଟରେ ପାଇପ୍ ଜଳ ପହଞ୍ଚିପାରିନି। ଅନୁଦାନ ମଞ୍ଜୁର ହେବାର ଦେଢ଼ ବର୍ଷ ମଧ୍ୟରେ କେବଳ ପ୍ରତାପଶାସନ ପଞ୍ଚାୟତ ଅଧୀନ ଭାର୍ଗବୀ ନଦୀ ପଠା, ସତ୍ୟଭାମାପୁର, ସୁଧଷଡ଼ଙ୍ଗୀ, ବାଲିଅନ୍ତା ଓ ବେଣୁପୁର ପଞ୍ଚାୟତ ଅଞ୍ଚଳରେ ପାଣି ଟାଙ୍କି ନିର୍ମାଣ ପାଇଁ ପାଇଲିଂ କାମ ଚାଲିଛି। ବାକି ଅନ୍ୟ ସବୁ ପଞ୍ଚାୟତ ପ୍ରକଳ୍ପ ସ୍ଥାନରେ ଏଯାଏ ଓଭରହେଡ୍ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଲୋକେ ପାଇପ୍ ପାଣି ପାଇଁ ଚାତକ ଭଳି ଚାହିଁ ବସିଥିବା ବେଳେ ବିଳମ୍ବିତ କାମ ପାଇଁ ଅସନ୍ତୋଷ ବଢ଼ିବାରେ ଲାଗିଛି।
କୁଶଭଦ୍ରା ନଦୀରେ ୮ ମିଟର ଚଉଡ଼ା ଓ ୩୦ ଫୁଟ୍ ଗଭୀର ବିଶିଷ୍ଟ ଇନ୍ଟେକ୍ ୱେଲ୍, ଅଫିସ ଆଦି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି। ଫଳରେ ବାଲିଅନ୍ତାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସଂପ୍ରତି ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ପାନୀୟ ଜଳ ଅଭାବ ପରିଲକ୍ଷିତ ହେଉଛି। ତେଣୁ ବାଲିଅନ୍ତା ମଧ୍ୟ ଏହି ସମସ୍ୟାରୁ ବାଦ ପଡ଼ିନାହିଁ। ବହୁ ସ୍ଥାନରେ ପୁରୁଣା ପାନୀୟ ଜଳ ପାଇପ୍ ଲାଇନ ପ୍ରକଳ୍ପରୁ ପାଣି ଭଲ କରି ବାହାରୁନାହିଁ। ଆଉ କିଛି କିଛି ସ୍ଥାନରେ ପାଇପ୍ ନଷ୍ଟ ହୋଇଯାଇଥିବାରୁ ଗାଁ ଦାଣ୍ଡରେ ପାଣି ଭାସୁଛି। ପୁଣି କିଛି କିଛି ଗାଁରେ ଶେଷମୁଣ୍ଡ ପର୍ଯ୍ୟନ୍ତ ପାଣି ପହଞ୍ଚିପାରୁନି। ନୂଆ ପ୍ରକଳ୍ପ ପାଇଁ ଅନେକ ଗ୍ରାମର ପାଇପ୍ ବିଛାଇବା କାର୍ଯ୍ୟ ଅଧପନ୍ତରିଆ ଅବସ୍ଥାରେ ପଡ଼ିଛି। ଗାଁ ଭିତରେ ଠିକାଦାର ପାଇପ ବିଛାଇବା ପାଇଁ ଜେସିବି ଲଗାଇ କଂକ୍ରିଟ ରାସ୍ତା ଖୋଳି ପକାଇଛି। କିନ୍ତୁ ପାଇପ୍ ପଡ଼ୁନି କି ରାସ୍ତା ଢଳେଇ କରାଯାଉ ନାହିଁ। ଯା’ ଆସ କରିବାରେ ବଡ଼ ସମସ୍ୟା ଉପୁଜୁଛି। ବାଲିଅନ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ସୂଚନା ଅନୁସାରେ ୨୦୨୨ ମସିହା ନଭେମ୍ବରରେ କେନ୍ଦ୍ରୀୟ ଜଳ ଜୀବନ ମିସନ ଯୋଜନାରେ ବାଲିଅନ୍ତା ବ୍ଲକ୍କୁ ୮୫ କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲା। ବାହାର ରାଜ୍ୟର ଠିକାଦାରଙ୍କୁ ଟେଣ୍ଡର ଦିଆଯାଇଥିଲା। ଦେଢ଼ ବର୍ଷ ମଧ୍ୟରେ ମୁଖ୍ୟ ଗାଁ ଓ ରାସ୍ତାରେ ପାଇପ୍ ବିଛା ସରିଥିଲେ ହେଁ ସବୁ ସାହି ଓ ପଡ଼ାରେ ଏଯାଏ ପାଇପ୍ ବିଛାଇବା କାମ ହୋଇପାରିନାହିଁ।