ପୁରୁଣା ଭୁବନେଶ୍ବର: ୪ବର୍ଷରୁ ଅଧିକ ସମୟ ବିତିଗଲାଣି। ହେଲେ କପିଳପ୍ରସାଦ-ହରିରାଜପୁର ରାସ୍ତା ନିର୍ମାଣ ଶେଷ ହୋଇପାରୁନି। ହରିରାଜପୁର ଆଡୁ ରାସ୍ତା କାମ ହୋଇଆସୁଥିଲେ ହେଁ ଆହୁରି ଜମି ଅଧିଗ୍ରହଣ ବାକି ଅଛି। ପ୍ରାୟ ୯୦ ଭାଗ ଜମି ଅଧିଗ୍ରହଣ ଶେଷ ହୋଇଛି। ତେବେ ରାସ୍ତା ମଝିରେ ବୋତଣ୍ଡା ନିକଟ ବ୍ରିଜ୍‌ର କାମ ଶେ‌ଷ ହୋଇପାରୁନି। ଡ୍ରେନ୍‌ କାମ ମଧ୍ୟ ପ୍ରାୟ ୭୦ ଭାଗ ଶେଷହୋଇଛି। ଏତେ ଦିନ ଧରି ରାସ୍ତାନିର୍ମାଣ ଶେଷ ହେଉ ନଥିବାରୁ ଏହା ବିରୋଧରେ ମିଳିତ ମହାମଞ୍ଚ ପକ୍ଷରୁ ଲୋକାୟୁକ୍ତରେ ଅଭିଯୋଗ କରାଯିବାକୁ ଚେତାବନୀ ଦିଆଯାଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ରାସ୍ତାକୁ ତିନି ଭାଗରେ ବିଭକ୍ତ କରାଯାଇଛି।

Advertisment

ଏବେ ବି ଜମି ଅଧିଗ୍ରହଣ ପାଇଁ ଚାଲିଛି କସରତ
ସରୁନି ବ୍ରିଜ୍‌ କାମ, ଲୋକାୟୁକ୍ତରେ ଅଭିଯୋଗ ପାଇଁ‌ ଚେତାବନୀ

କୁହାରୁ ହରିରାଜପୁର, ବୋତଣ୍ଡାରୁ କୁହା, ବୋତଣ୍ଡାରୁ ସୁନ୍ଦରପଦା ପର୍ଯ୍ୟନ୍ତ ଏହି ରାସ୍ତାକୁ ଭାଗ କରାଯାଇଛି। କୁହାରୁ ହରିରାଜପୁର ରାସ୍ତା ଚାରି ଲେନ୍‌ ରହିବା ସହ ମଝିରେ ଅଢ଼େଇ ମିଟର ମେଡିଆନ୍ ରହିବ। ୮ କିଲୋମିଟର ରାସ୍ତାରେ ପ୍ରଧାନସାହି, ଜାମୁକୋଳି, ନିରଞ୍ଜନପୁର ଆଦି ସ୍ଥାନରେ ଅନେକ ଲୋକଙ୍କ ଘରୋଇ ଜମି ରହିଛି। ଏହାକୁ ଅଧିଗ୍ରହଣ କରାଯିବ। ଏହି ରାସ୍ତାରେ ଥିବା କିଛି ଗଛ କାଟିବାକୁ ବନବିଭାଗରୁ ଅନୁମତି ମିଳିଛି। ସେହିପରି ବିରିବନ୍ଧଠାରେ ଗୋଟିଏ ପାର୍ଶ୍ବ ଗଙ୍ଗୁଆ ବନ୍ଧ ଉପରେ ରହୁଥିବାରୁ ସେଠାରେ ୨କୋଟି ୬୫ଲକ୍ଷ‌ ଟଙ୍କା ବ୍ୟୟରେ ବ୍ରିଜ୍‌ କରାଯାଉଛି। କପିଳପ୍ରସାଦରୁ ଜଟଣୀକୁ ଲମ୍ବିଥିବା ୧୪ କିଲୋମିଟର ରାସ୍ତାରେ ବହୁ ସରକାରୀ ଜମି ସହିତ ଘରୋଇ ଜମି ରହିଛି। ଏହା ଅଧିଗ୍ରହଣ ହେବାରେ ବିଳମ୍ବ ହେଉଥିବାରୁ କାମ ଶେଷ ହୋଇପାରୁ ନଥିବା କୁହାଯାଇଛି। 

ଏହି ରାସ୍ତା ଉପ‌ରେ ଜଟଣୀ ଓ ପିପିଲି ନିର୍ବାଚନ ମଣ୍ଡଳୀର ହଜାର ହଜାର ଲୋକ ପ୍ରତିଦିନ ଯାତାୟାତ କରୁଛନ୍ତି। ୨୦୦୯ ମସିହାରୁ ଏହାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ୨୦୧୨ ମସିହାରେ ଏହି ରାସ୍ତାର ନବୀକରଣ ପାଇଁ ପ୍ରସ୍ତାବ ଆସିଥିଲା। ଇତିମଧ୍ୟରେ ୧୦ ବର୍ଷ ବିତିଯାଇଥିଲେ ବି କେବଳ ତାଳିପକା ପିଚୁ ପକାଇ ମରାମତି କରାଯାଉଛି ସିନା ନବୀକରଣ ହେଉ ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏନେଇ ପୂର୍ତ୍ତ ବିଭାଗ ପକ୍ଷରୁ ଜଣେ ଅଧିକାରୀ କହିଛନ୍ତି, ବର୍ଷା ଯୋଗୁଁ କାମ ଧିମା ହୋଇଛି। ଜମି ଅଧିଗ୍ରହଣ ଶେଷ ହେଲେ କାମ ଶୀଘ୍ର ସରିବ। ଖୁବ୍‌ଶୀଘ୍ର ବ୍ରିଜ୍‌ କାମ ସାରିବାକୁ ଲକ୍ଷ୍ୟ ରଖିଛୁ।