ଭୁବନେଶ୍ୱର : ବହୁ ପ୍ରତୀକ୍ଷିତ ବାଣୀବିହାର ରେଳ ଓଭରବ୍ରିଜ୍ (ଆର୍ଓବି) ନିର୍ମାଣ କାମ ଆରମ୍ଭ ହୋଇଛି। ଆରଭିଏନ୍ଏଲ୍ (ରେଳ ବିକାଶ ନିଗମ ଲିମିଟେଡ୍) ପୁରୁଣା ବ୍ରିଜ୍ କଡ଼ରେ ବିକଳ୍ପ ଆର୍ଓବି ନିର୍ମାଣ ଆରମ୍ଭ କରିଛି। ଭିଏସ୍ଏସ୍ ନଗର ଛକରୁ ଜାତୀୟ ରାଜପଥ ସହ ସମାନ୍ତରାଳ ଭାବରେ ଏହି ରାସ୍ତା ରସୁଲଗଡ଼ ଛକରେ ବାହାରିବ। ଏହି ବ୍ରିଜ୍ରେ ଗାଡ଼ି ଯାତାୟାତ କରିବା ପରେ ପୁରୁଣା ବ୍ରିଜ୍କୁ ଭାଙ୍ଗି ଚଉଡ଼ା କରାଯିବ। ଏହି ନୂଆ ବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇଛି। ଏଥିପାଇଁ ବାଧକ ସାଜିଥିବା ତାରିଣୀ ବସ୍ତିର ୮ଟି ପରିବାରକୁ ସ୍ଥାନାନ୍ତର କରାଯାଇଛି। ଆଉ ୭ଟି ପରିବାରଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଥିବା ଜଣାପଡ଼ିଛି। ଗୋଟିଏ ବର୍ଷ ମଧ୍ୟରେ କାମ ସାରିବାକୁ ଅବଧି ଧାର୍ଯ୍ୟ ହୋଇଥିଲେ ମଧ୍ୟ ବସ୍ତି ଉଠାଇବାକୁ ବିଳମ୍ବ ହୋଇଥିବାରୁ ଗୋଟିଏ ବର୍ଷ ବା ଡିସେମ୍ବର ସୁଦ୍ଧା କାମ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ବାରଙ୍ଗରୁ ଖୋର୍ଦ୍ଧା ପର୍ଯ୍ୟନ୍ତ ତୃତୀୟ ରେଳଧାରଣା ବିଛା ଯାଉଛି। ତୃତୀୟ ଧାରଣା ପାଇଁ ବାଣୀବିହାର ରେଳ ଓଭରବ୍ରିଜ୍ (ଆରଓବି) ପ୍ରଶସ୍ତ ନ ଥିବାରୁ ଏହି ଲାଇନ୍ ବିଛାଇବା ସମ୍ଭବ ହେଉନାହିଁ। ଏଣୁ ପୁରୁଣା ଆର୍ଓବିକୁ ଭାଙ୍ଗି ଚଉଡ଼ା ବ୍ରିଜ୍ କରାଯିବ। ପୂର୍ବରୁ ଏହା ୧୮ ମିଟର ଥିବା ବେଳେ ଏହାକୁ ବଢ଼ାଇ ୪୬ ମିଟର କରାଯିବ। ଏଥିପାଇଁ ୩୦କୋଟି ବ୍ୟୟବରାଦ ହୋଇଥିବା ବେଳେ ବିକଳ୍ପ ଆରଓବି ଖର୍ଚ୍ଚ ଏଥିରେ ଯୋଡ଼ା ହୋଇଥିବାରୁ ଏହାର ବଜେଟ୍ ଏବେ ୪୦ କୋଟି ଟଙ୍କା ରହିଛି।
ବିକଳ୍ପ ବ୍ରିଜ୍ର ଚଉଡ଼ା ୫୦ ମିଟର ରହିଛି। ଏହି ବ୍ରିଜ୍କୁ ମିଶାଇ ନୂଆ ବିକଳ୍ପ ରାସ୍ତାର ଲମ୍ବା ପ୍ରାୟ ୫ ଶହ ମିଟର ରହିଛି। ବ୍ରିଜ୍ ନିର୍ମାଣ ସହ ଉଭୟ ପାର୍ଶ୍ବର ଆପ୍ରୋଚ୍ ରୋଡ୍ ମଧ୍ୟ ଏକ ସମୟରେ ନିର୍ମାଣ ଆରମ୍ଭ ହୋଇଛି। ଏହି ବିକଳ୍ପ ରାସ୍ତା ନିର୍ମାଣ ୬ ମାସ ଓ ପୁରୁଣା ଆରଓବିକୁ ଭାଙ୍ଗି ନୂଆ ନିର୍ମାଣ ପାଇଁ ୬ ମାସ; ଏଭଳି ଗୋଟିଏ ବର୍ଷ ମଧ୍ୟରେ ଏହାକୁ ସାରିବାକୁ ରହିଥିଲା। ବ୍ରିଜ୍ର ୪ଟି ଖୁମ୍ବ ହେବାକୁ ସ୍ଥିର ହୋଇଥିବା ବେଳେ ଏଠାରେ ଏବେ ଗୋଟିଏ ଖୁମ୍ବ ନିର୍ମାଣ ଆରମ୍ଭ ହୋଇଛି। ବସ୍ତିରୁ ୭ଟି ପରିବାରଙ୍କୁ ଉଠାଇବା ପରେ ସତ୍ସଙ୍ଗ ବିହାର ପଟୁ ଆପ୍ରୋଚ୍ ରୋଡ୍ରେ ବାଲି ପଡ଼ିଛି। ରସୁଲଗଡ଼ ପଟୁ ଆପ୍ରୋଚ୍ ରୋଡ୍ର କାମ ଆରମ୍ଭ ହୋଇନାହିଁ। ତେବେ ଏଠାରୁ ହଟାଇବାକୁ ଥିବା ମୁଖ୍ୟ ପାନୀୟ ଜଳ ଯୋଗାଣ ପାଇପ୍କୁ କାଟି ପୁନଃସଂଯୋଗ କରି ଦିଆଯାଇଛି। ତଥାପି ଧାର୍ଯ୍ୟ ଅବଧିରେ କାମ ସରିବ ନାହିଁ ବୋଲି ଆଶଙ୍କା ଦେଖାଦେଇଛି।
ଅପରପକ୍ଷେ, ପ୍ରଥମେ ଏହି ବିକଳ୍ପ ରାସ୍ତାକୁ ଅସ୍ଥାୟୀ ଭାବେ ନିର୍ମାଣ କରିବାକୁ ସ୍ଥିର କରାଯାଇଥିଲା। ହେଲେ ଆଗକୁ ଜାତୀୟ ରାଜପଥ ୬ ଲେନ୍ ବିଶିଷ୍ଟ ହେବାକୁ ଯାଉଥିବାରୁ ଏହି ରାସ୍ତା ସ୍ଥାୟୀ ଭାବରେ ରହିବ। ଭବିଷ୍ୟତରେ ୬ ଲେନ୍ ରାସ୍ତା ପାଇଁ ସହାୟକ ହେବ। ଏଣୁ ସ୍ଥାୟୀ ଭାବେ ଏହାକୁ ନିର୍ମାଣ କରାଯାଉଥିବା ଆରଭିଏନ୍ଏଲ୍ ପକ୍ଷରୁ ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ତୃତୀୟ ରେଳଧାରଣା ବିଛାଯିବା ଯୋଜନା ୨୦୧୦ ମସିହାରେ ହୋଇଥିଲା। ଏହାକୁ ନିର୍ମାଣ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଅଧିକୃତ ହୋଇଥିଲା। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରେଳବାଇ ଏନ୍ଏଚ୍ଏଆଇକୁ ଅର୍ଥ ମଧ୍ୟ ପୈଠ କରିଥିଲା। କିନ୍ତୁ ୨୦୧୮ ମସିହାରେ ଏନ୍ଏଚ୍ଏଆଇ କାମ ନକରି ରେଳ ବିଭାଗକୁ ଅର୍ଥ ଫେରାଇ ଦେଇଥିଲା। ଏହା ପରେ ଆରଭିଏନ୍ଏଲ୍ ଏହାକୁ ନିର୍ମାଣ କରିବାକୁ ସ୍ବୀକୃତିପ୍ରାପ୍ତ ହୋଇଥିଲା। ବାଣୀବିହାର ଆରଓବି ଚଉଡ଼ା କରିବା ପାଇଁ ରାଜପଥକୁ ଅବରୋଧ କରିବାକୁ ଥିଲା। କିନ୍ତୁ ଖୋର୍ଦ୍ଧା ପଟୁ ଶହଶହ ଭାରୀଯାନ ଦୈନିକ ଆସୁଥିବାରୁ କେଉଁ ରାସ୍ତା ଦେଇ ଯିବେ, ବାଟ ଫିଟି ପାରୁନଥିଲା। ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ ବିଫଳ ହେଉଥିଲା। ପିତାପଲ୍ଲୀରୁ ଟ୍ରାଫିକ୍ ଗତିପଥ ବଦଳାଇବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନଥିଲା। ତେଣୁ ଏହି ବିକଳ୍ପ ଆରଓବି ଯୋଜନା ହୋଇଥିଲା।