ବିଦ୍ୟାଳୟ ଜମି ଜବରଦଖଲ କରି ପାଚେରି ନିର୍ମାଣ: ପୁଲିସ, ରାଜସ୍ବ ବିଭାଗ, ଶିକ୍ଷା ବିଭାଗ ସମସ୍ତେ ଚୁପ୍

ଭୁବନେଶ୍ବର: ଦୀର୍ଘ ୭୦ବର୍ଷ ଧରି ବିଦ୍ୟାଳୟ କବ୍‌ଜାରେ ଥିବା ଜମିକୁ ଜଣେ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ନିଜର ଜମି ବୋଲି ଦାବି କରି ଜବରଦଖଲକାରୀ ଜଣକ ବିଦ୍ୟାଳୟ ସୀମା ଅତିକ୍ରମ କରି ପାଚେରି ନିର୍ମାଣ କରିଛି। ଯେଉଁଠାରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ ହେବାର ଥିଲା, ହେି ଅଂଶକୁ ଉକ୍ତ ବ୍ୟକ୍ତି ଜବରଦଖଲ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ମାତ୍ର ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ପାଇଁ ଜବରଦଖଲ ହଟାଇବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଫଳରେ ବିଏମ୍‌ସି ୪ ନମ୍ବର ୱାର୍ଡ ନହରକଣ୍ଟା ମହାରଥ ବିଦ୍ୟା‌ପୀଠର ଜମି ହଡ଼ପ ହେବାକୁ ଯାଉଛି।

ସୂଚନାନୁସାରେ ଯେଉଁ ଅଂଶକୁ ଜବରଦଖଲ କରାଯାଇଛି ବୋଲି ଅଭି‌ଯୋଗ ହୋଇଛି, ସେଠି ବିଦ୍ୟାଳୟର ଏକ ଘର ଥିଲା। ସେଠ‌ାରେ ଶିକ୍ଷକ ରହୁଥିଲେ। ବାତ୍ୟା ଫନି ସମୟରେ ୭୦ ବର୍ଷର ଏହି ଘରଟି ଭାଙ୍ଗିଗଲା ତେବେ ଏଠାରେ ଏକ ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ କରାଯିବ ବୋଲି ପ୍ରସ୍ତାବ ଆଗତ ହେଲା। ଏଥିପାଇଁ ସରକାରୀ ଅନୁଦାନ ବି ମିଳିଲା। ତେଣୁ ପୁରୁଣା ଘରକୁ ପୂରା ଭାଙ୍ଗି ସରକାରୀ ନକ୍‌ସା ଅନୁସାରେ ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ କାମ ଚାଲିଲା। ତେବେ ଏହି ନୂତନ କୋଠା ନିର୍ମାଣ ଚାଲିଥିବା ବେଳେ ଉକ୍ତ ଜବରଦଖଲକାରୀ ରାତାରାତି ବିଦ୍ୟାଳୟ ଜମିରେ ପାଚେରି ଠିଆ କରାଇଛନ୍ତି। ସ୍କୁଲ୍ କମିଟି କଥାକୁ ମଧ୍ୟ ଜବରଦଖଲକାରୀ କର୍ଣ୍ଣପାତ କରିନାହାନ୍ତି।

ଏନେଇ ମଞ୍ଚେଶ୍ବର ଥାନାରେ ବିଦ୍ୟାଳୟ ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୁଲିସ ତହସିଲଦାରରଙ୍କୁ ଚିଠି କରିଥିଲା ଓ ଅମିନ ଜମି ମାପ କରି ବିଦ୍ୟାଳୟ ଜମି ଜବରଦଖଲ ହୋଇଛି ‌ବୋଲି ତହସିଲଦାରଙ୍କୁ ଚିଠି‌ରେ ଦର୍ଶାଇଥିଲେ। ମାତ୍ର ଏହ‌ା ପରେ ବି ବିଦ୍ୟାଳୟ ଜମି ମୁକୁଳିପାରିନାହିଁ। ଅନ୍ୟ ପକ୍ଷରେ ମଧ୍ୟାହ୍ନ ଭୋଜନ ଗୃହ ନିର୍ମାଣ ପାଇଁ ଆସିଥିବା ନିର୍ମାଣ ସାମଗ୍ରୀ ସ୍କୁଲ୍ ହତା ଭିତରେ ଅସୁରକ୍ଷିତ ଭାବେ ପଡ଼ିରହିଛି। ବିଦ୍ୟାଳୟ ଜମି ଜବରଦଖଲ ହେବା ପରେ ମଧ୍ୟାହ୍ନ ‌ଭୋଜନ ଗୃହ ନିର୍ମାଣ ବନ୍ଦ ରହିଛି। ତେଣୁ ବିଦ୍ୟାଳୟ ଖୋଲିବା ପରେ ବହୁ ସମସ୍ୟା ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବନ୍ଦନା ମହାପାତ୍ରଙ୍କୁ ପଚାରିବାରୁ ସେ ଏବାବଦରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରି ବିହିତ ପଦ‌କ୍ଷେପ ନେବେ ‌ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର