ରାଜଧାନୀରେ ନିର୍ମାଣ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି

ଭୁବନେଶ୍ବର : ରାଜଧାନୀରେ ଲକ୍‌ଡାଉନ୍ ସମୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହୋଇପାରିବ। ଏନେଇ ଆଜି ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଏଥିରେ ସର୍ତ୍ତ ରହିଛି ଯେ ଯେଉଁ ପ୍ରକଳ୍ପରେ ନିର୍ମାଣ ଶ୍ରମିକ ଥିବେ ବା ସହର ଭିତରେ ଶ୍ରମିକ ଥିବେ ସେମାନଙ୍କୁ ନେଇ ନିର୍ମାଣ କାମ ହୋଇପାରିବ। ବାହାରୁ ଶ୍ରମିକ କେହି ଆଣିପାରିବେନି। ସେହିପରି ନିର୍ମାଣ ସାମଗ୍ରୀ ଯଥା ବାଲି, ସିମେଣ୍ଟ, ଚିପ୍ସ, ଲୁହା ଛଡ଼ ଆଦି ସାମଗ୍ରୀ ରାତି ୧୦ଟାରୁ ସକାଳ ୫ଟା ଭିତରେ ପରିବହନ ହେବ। ଏହି ସମୟରେ ଉକ୍ତ ଦୋକାନଗୁଡ଼ିକ ଖୋଲା ରହି ପାରିବ। ଏହାଦ୍ବାରା ନିର୍ମାଣ ଶ୍ରମିକଙ୍କୁ ରୋଜଗାର ମିଳିବ ଏବଂ ଲୋକଙ୍କର ଆର୍ଥିକ ବ୍ୟବସ୍ଥା ସୁଧୁରିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ରାଜଧାନୀରେ ରାଜ୍ୟ ସରକାରଙ୍କର ବହୁ ପ୍ରକଳ୍ପ ଏବେ ବନ୍ଦ ହୋଇପଡ଼ିଥିବା ବେଳେ ଏହା ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଉଥିଲା। ବହୁ ଲୋକ ଘର ନିର୍ମାଣ କରୁଥିବା ବେଳେ ଅଧା ପଡ଼ିଥିବାରୁ ଆଗକୁ ବର୍ଷା ଋତୁ ଆସିଲେ ବିଭିନ୍ନ ସମସ୍ୟା ହେବାର ଭୟ ଥିଲା। ରାଜଧାନୀରେ ପ୍ରାୟ ୪ଲକ୍ଷ ବସ୍ତିବାସିନ୍ଦା ଥିବା ବେଳେ କାମଧନ୍ଦା ବନ୍ଦ ହୋଇଯିବାରୁ ସେମାନଙ୍କର ରୋଜଗାର ବନ୍ଦ ହୋଇଯାଇଥିଲା। ଏ ସବୁକୁ ନଜରରେ ରଖି ବିଏମ୍‌ସି ରାଜଧାନୀରେ ନିର୍ମାଣ କାର୍ଯ୍ୟ ଉପରୁ ‌ପ୍ରତିବନ୍ଧକ ହଟାଇ ଦେଇଛି।

ସମ୍ବନ୍ଧିତ ଖବର