ଭୁବନେଶ୍ବର: ବିପଦରେ ୧୩୦୦ ଶତାବ୍ଦୀର ସଂରକ୍ଷିତ ଐତିହ୍ୟ ଅନନ୍ତବାସୁଦେବ ମନ୍ଦିର। ମନ୍ଦିରଠାରୁ ମାତ୍ର ଅଢ଼େଇ ମିଟର ଦୂରରେ ପ୍ରତିଦିନ କାଠଚୂଲିରେ ରୋଷେଇ ହେଉଛି। ନିଆଁଧୂଆଁ ବାଜି ମନ୍ଦିର କ୍ଷୟ ହେଉଛି। ସେହିପରି ମନ୍ଦିରକୁ ଲାଗିଥିବା ଐତିହ୍ୟ କୂଅକୁ ପୋତି ଦିଆଯାଇଛି। ମନ୍ଦିର ନିକଟ ଏହି ଜଳାଶୟ ଜମିରେ ମେସିନ୍‌ ଲଗାଯାଇ ବେଆଇନ ନିର୍ମାଣ କରାଯାଉଛି। ଯାହାଦ୍ବାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି। ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଇନ୍‌ଟାକ୍‌। ଇନ୍‌ଟାକ୍‌ ପ୍ରମାଣ ଦେଇ କହିଛି, ଅନନ୍ତ ବାସୁଦେବ ମନ୍ଦିରକୁ ଲାଗିଥିବା ୨୨୨୩ ନମ୍ବର ପ୍ଲଟ୍‌ ସରକାରୀ ଖାତାରେ ‘ଜଳାଶୟ-୧(ପକ୍କାକୂପ)’ ରହିଛି। ଏହାର ପାଣିକୁ ପୂର୍ବେ ମନ୍ଦିରରେ ବ୍ୟବହାର କରାଯାଉଥିଲା। ହେଲେ ପାଇପ୍‌ ପାଣି ଆସିବା ପରେ ଏହି କୂଅ ପରିତ୍ୟକ୍ତ ହୋଇଯାଇଥିଲା। ବର୍ତ୍ତମାନ ଜଳାଶୟ ଥିବା ଏହି ସ୍ଥ‌ାନକୁ ବେଆଇନ ଭାବେ ପୋତି ସେଠାରେ ଅନ୍ୟ ନିର୍ମାଣ କାମ କରାଯାଉଛି। ଆଶ୍ଚର୍ଯ୍ୟର କଥା ଯେ ଏହି କାମ କରୁଥିବା ଓବିସିସିକୁ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନ୍‌ଏମ୍‌ଏ) ବା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଅନୁମତି ପ୍ରଦାନ କରିନାହାନ୍ତି। 

Advertisment

ଅଭିଯୋଗ ଆଣିଲା ଇନ୍‌ଟାକ୍‌
ମନ୍ଦିର ପରିସରରୁ ରୋଷଘର ହଟାଇବାକୁ ଦାବି

ସେହିପରି ଅନନ୍ତବାସୁଦେବ ମନ୍ଦିର ଭିତର ନିଷିଦ୍ଧାଞ୍ଚଳରେ ଥିବା ରୋଷଘରେ ୨୦ରୁ ଅଧିକ କାଠଚୂଲା ରହିଛି। ସେଠାରେ ପ୍ରତିଦିନ ଜଳୁଥିବା ନିଆଁ ଓ ସେଥିରୁ ନିର୍ଗତ ଧୂଆ ପାଇଁ  ମନ୍ଦିର କ୍ଷୟ ହେଉଛି। ତେଣୁ ସେଠାରୁ ରୋଷଘର ଉଠାଇବା ପାଇଁ ଏଏସ୍‌ଆଇ ଓ ଏନ୍‌ଏମ୍‌ଏ ବାରମ୍ବାର କହିଛନ୍ତି। ୨୦୨୨ ମସିହାରେ ଏଏସ୍‌ଆଇ ମହାନିର୍ଦ୍ଦେଶକ ମନ୍ଦିର ସ୍ଥିତି ପରଖିବାକୁ ଆସିଥିବା ବେଳେ ମୁଖ୍ୟମନ୍ଦିର ଠାରୁ ମାତ୍ର ଅଢ଼େଇ ମିଟର ଦୂରରେ ରୋଷଘର ଥିବା ଦେଖି ଉଦ୍‌ବେଗ ପ୍ରକାଶ କରିବା ସହ ରୋଷଘର ବାହାରକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥି‌ଲେ। ଏହାପରେ ଏବେ ଓବିସିସି ଦ୍ବାରା ଲିଙ୍ଗରାଜ ଏତିହ୍ୟ ପ୍ରକଳ୍ପ ଅଧୀନରେ ନିର୍ମାଣ କାମ କରାଯାଉଛି।

ହେଲେ ମନ୍ଦିର ପରିସରରୁ ରୋଷଘରକୁ ସ୍ଥାନାନ୍ତର କରାଯିବାର ଯୋଜନା ରଖା ଯାଇନାହିଁ। ଏନେଇ ଇନ୍‌ଟାକ ଓଡ଼ିଶାର ଆବାହକ ଅମୀୟ ଭୂଷଣ ତ୍ରିପାଠୀ କହିଛନ୍ତି, ମନ୍ଦିର ଭିତରୁ ଆଣି ମନ୍ଦିର ପରିସର ବାହାରେ ଏକ ରୋଷଘରର ଆବଶ୍ୟକତା ରହିଛି। ଏଥିସହ ଆଇଆଇଟି ଗାନ୍ଧୀନଗର ପକ୍ଷରୁ ପ୍ରସ୍ତୁତ ରିପୋର୍ଟକୁ ସାର୍ବଜନୀନ କରାଯିବା ସହିତ ନିଷିଦ୍ଧ ଅଞ୍ଚଳରେ କୌଣସି ନିର୍ମାଣ କରିବାକୁ ବା ଭାଙ୍ଗିବାକୁ ଅନୁମତି ଦେବା ଉଚିତ୍‌ ନୁହେଁ। ସେହିପରି ଇନ୍‌ଟାକ୍‌ର ଆବାହକ ଅନିଲ ଧୀର କହିଛନ୍ତି, ମନ୍ଦିର ନିକଟରେ ଥିବା ଜଳାଶୟ ପୋତି ସେଠାରେ କୌଣସି ନିର୍ମାଣ କରିବା ସମ୍ପୂର୍ଣ୍ଣ ବେଆଇନ। ଏହାକୁ ତୁରନ୍ତ ବନ୍ଦ କରାଯାଉ। ମନ୍ଦିର ଭିତରେ ଥିବା ରୋଷଘରେ ୨ଥର ଭୟଙ୍କର ଅଗ୍ନିକାଣ୍ଡ ଘଟି ମନ୍ଦିର ନଷ୍ଟ ହୋଇଛି। ବର୍ତ୍ତମାନ ଅନନ୍ତବାସୁଦେବ ପ୍ଲାଜା ନିର୍ମାଣ ହେଉଥିବା ସ୍ଥାନରେ ଏକ ରୋଷଘର ନିର୍ମାଣ ପାଇଁ ବିଏମ୍‌ସିକୁ ସରକାର କହିଥିଲେ। ହେଲେ ତାହା ହୋଇ ପାରି ନଥିଲା। ଏବେ ତୁରନ୍ତ ରୋଷଘର ମନ୍ଦିର ଭିତରୁ ବାହାରକୁ ଉଠାଇ ନେବାର ଆବଶ୍ୟକ।