ନିର୍ମାଣ ଶ୍ରମିକ ୟୁନିଅନ୍ ସମନ୍ୱୟ କମିଟିର ବିକ୍ଷୋଭ

ଭୁବନେଶ୍ବର: ଶ୍ରମିକ ବିରୋଧୀ ନୀତିକୁ ବିରୋଧ କରି ଆଜି ନିର୍ମାଣ ଶ୍ରମିକ ୟୁନିଅନ୍ ସମନ୍ୱୟ କମିଟି ପକ୍ଷରୁ ଯୁଗ୍ମ ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆବାହକ ମହାବୀର ପ୍ରସାଦ ମିଶ୍ରଙ୍କ ଅଭିଯୋଗ ଅନୁସାରେ ସରକାର ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ, ପ୍ରସୂତୀ, ଶିକ୍ଷା ଓ ବିବାହ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଶ୍ରମିକମାନଙ୍କୁ ପ୍ରଦାନ କରାଯାଉନାହିଁ। ସେହିଭଳି ନୂତନ ପଞ୍ଜୀକରଣ କରାଯାଉନାର୍ହି। ବିଭିନ୍ନ ଆଳ ଦେଖାଇ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି କରାଯାଉଛି। ବାର୍ଷିକ ନବୀକରଣ ଦେୟ ବନ୍ଦ କରିବା ସହ ଅନ୍ୟାନ କାର୍ଯ୍ୟ ବନ୍ଦ ରହିଛି। ଏପ୍ରିଲ ମାସରେ ଘୋଷଣା ହୋଇଥିବା କରୋନା ସହାୟତା ରାଶି ପ୍ରଦାନ କରାଯାଉନାହିଁ। ଏସବୁ ସମସ୍ୟାକୁ ନେଇ ବାରମ୍ବାର ଦାବିପତ୍ର ପ୍ରଦାନ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।

ଏସବୁ ସମସ୍ୟା ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିକ୍ଷୋଭକାରୀମାନେ ଚେତାବନୀ ଦେଇଥିଲେ। ସୁର ଜେନାଙ୍କ ନେତୃତ୍ବରେ ରାଜ୍ୟ ଆବାହକ ବିଜୟ ଜେନା, ସଂଯୋଜକ ବିପ୍ଳବ କେଶରୀ ମହାପାତ୍ର, ମଞ୍ଜୁଳା ମଞ୍ଜରୀ ମିଶ୍ର, ଧୀରେନ୍ଦ୍ର ମହାନ୍ତି, ସୁଦର୍ଶନ ବେହେରା, ଶଙ୍କର ବେହେରା, ବିକ୍ରମ ସାମଲ, ପରମାନନ୍ଦ ବେହେରା, ମାନସ ଦାସ, ରବୀନ୍ଦ୍ରନାଥ ମହାନ୍ତି ଓ ସସ୍ମିତା ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ସହକାରୀ ଶ୍ରମ ଅଧିକାରୀଙ୍କୁ ଭେଟି ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର