ବିପଦସଙ୍କୁଳ କଲ୍ୟାଣୀ ମାର୍କେଟରେ ଗ୍ରାହକ ମରୁଡ଼ି: ଅପରିଚ୍ଛନ୍ନ ପରିବେଶ, ଅସଜଡ଼ା ପାର୍କିଂ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ବିଡିଏ ନିର୍ମିତ ପୁରାତନ ମାର୍କେଟ୍‌ ବିଲ୍ଡିଂମାନଙ୍କ ମଧ୍ୟରୁ ୟୁନିଟ୍‌-୮ କଲ୍ୟାଣୀ ମାର୍କେଟ୍‌ ଅନ୍ୟତମ। ପ୍ରାୟ ୨୫ ବର୍ଷ ତଳର ଏହି ମାର୍କେଟ୍‌ ବିଲ୍ଡିଂ ବହୁ ଦିନ ହେଲା ବିପଦ ସଂକୁଳ ଅବସ୍ଥାରେ ଅଛି। ଆବଶ୍ୟକ ସମୟରେ ମରାମତି ହୋଇପାରୁ ନଥିବାରୁ କୋଠାର ଛାତ ଓ ପିଲାର୍‌ ଦୁର୍ବଳ ହୋଇଗଲାଣି। ପରିବେଶ ପୂରା ଅପରିଷ୍କାର। ପାର୍କିଂ ବ୍ୟବସ୍ଥା ପୂରା ଅସଜଡ଼ା। ପିଇବା ପାଣି ବ୍ୟବସ୍ଥା ଓ ଶୌଚାଳୟ ଅବସ୍ଥା ବି ବଡ଼ କଦର୍ଯ୍ୟ। ତେଣୁ ଗତ କିଛି ବର୍ଷ ହେଲା ଏହି ମାର୍କେଟ୍‌ରୁ ଗ୍ରାହକମାନେ ମୁହଁ ଫେରାଇବା ଦେଖିବାକୁ ମିଳୁଛି। ଦିନକୁ ଦିନ ଗ୍ରାହକ ମରୁଡ଼ି ପରିଲକ୍ଷିତ ହେଉଥିବାରୁ ବ୍ୟବସାୟୀମାନେ ପ୍ରମାଦ ଗଣିବା ଆରମ୍ଭ କଲେଣି।

୧୯୯୨ ମସିହାରେ ବିଡିଏ ଏହି ମାର୍କେଟ୍‌ ନିର୍ମାଣ କରିଥିଲା। ଏଥିରେ ପ୍ରାୟ ୩୦ଟି ସରକାରୀ ଓ ବେସରକାରୀ ସଂସ୍ଥା ରହିଛି। ୯୨ଟି ଦୋକାନ ଘର ଓ ୧୨୦ ଟି ପିଣ୍ଡି ରହିଛି। ଏହି ବଜାର ଉପରେ ୟୁନିଟ୍-୮ ଓ ନୂଆପଲ୍ଲୀ ଅଞ୍ଚଳର ଲୋକେ ନିର୍ଭରଶୀଳ। ପୂର୍ବରୁ ଏଠାକୁ ବହୁ ସଂଖ୍ୟାରେ ଗ୍ରାହକମାନେ ଆସୁଥିଲେ। କିନ୍ତୁ ଏବେ ଆଉ ପୂର୍ବ ଅବସ୍ଥା ନାହିଁ। ମାତ୍ର ବଡ଼ ସମସ୍ୟା ପାର୍କିଂ। ଗାଡ଼ି ରଖିବାକୁ ଯଥେଷ୍ଟ ସୁବିଧା ନଥିବାରୁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ‌ସେହିଭଳି ଅନ୍ୟ ବଡ଼ ସମସ୍ୟା ହେଉଛି ଗ୍ରାହକଙ୍କ ପାଇଁ ଭଲ ଶୌଚାଳୟ ବ୍ୟବସ୍ଥା ନାହିଁ। ଯେଉଁ ଶୌଚାଳୟଟି ଅଛି, ତା’ର ଅବସ୍ଥା ବିଷୟରେ ନ କହିଲେ ଭଲ। ବାହାରୁ ଦେଖିଲେ ତାହା ଶୌଚାଳୟ କି ଡଷ୍ଟବିନ କିଛି ବୁଝାପଡୁନି। ତେଣୁ ଭିତରେ ପାଦ ପକାଇବାକୁ କେହି ବି ମନ କରିବେ ନାହିଁ। ତେଣୁ ମହିଳା ଗ୍ରାହକମାନେ ବଡ଼ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଥରେ ଆସିଲେ, ଆର ଥରକୁ ଆସିବାକୁ ମନ କରୁନା‌ହାନ୍ତି। ମାର୍କେଟର ପରିମଳ ବ୍ୟବସ୍ଥା ତ ପୂରା ବିପର୍ଯ୍ୟସ୍ତ। କହିଲେ ନସରେ। ଚାରିଆଡ଼େ ପାନ ଛେପ, ମଦ ବୋତଲ ଓ ପ୍ଲାଷ୍ଟିକ ପଦାର୍ଥ ପଡ଼ିଛି। ଏଠାରେ ଡଷ୍ଟ୍‌ବିନ୍‌ ନଥିବାରୁ ବ୍ୟବସାୟୀ ଓ ଗ୍ରାହକମାନେ ବାହାରେ ଅଳିଆ ଫିଙ୍ଗୁଛନ୍ତି। ଏଠାରୁ ବହୁ ସମୟରେ ଅଳିଆ ଉଠୁନି। ଫଳରେ ଦୋକାନଗୁଡ଼ିକ ମୁହଁରେ କୁଢ଼କୁଢ଼ ଅଳିଆ ଆବର୍ଜନା ଦୀର୍ଘ ଦିନ ଧରି ଗଦା ହୋଇ ରହୁଛି ଓ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି।

ବ୍ୟବସାୟୀ ସୂର୍ଯ୍ୟକାନ୍ତ ସ୍ବାଇଁଙ୍କ କହିବା କଥା, ବହୁ ବର୍ଷର ଏହି ମାର୍କେଟ୍‌ କୋଠାର ମରାମତି ଆବଶ୍ୟକ ହେଉଛି। ଛାତ ପ୍ଲାଷ୍ଟର ଦୁର୍ବଳ ହୋଇଗଲାଣି। ତେଣୁ ସବୁଆଡ଼ୁ ଖୋଳପା ଛାଡ଼ୁଛି। ଛାତ ପିଞ୍ଜରା ରଡ୍‌ ଦେଖାଗଲାଣି। ଭୟ ଲାଗୁଛି କେତେବେଳେ ଛାତ ଗଳି ପଡ଼ିବ। କିଛି ପିଲାରଗୁଡ଼ିକରୁ ମଧ୍ୟ ପ୍ଲାଷ୍ଟର ଛାଡ଼ିଲାଣି। ଏଭଳି ସ୍ଥିତିରେ ପରିବେଶ ଅପରିଷ୍କାର ରହୁଛି ଓ ପାର୍କିଂ ପାଇଁ ସୁବିଧା ନଥିବାରୁ ଗ୍ରାହକମାନେ ଏହି ମାର୍କେଟ୍‌କୁ ଆସିବାକୁ ପସନ୍ଦ କରୁନାହାନ୍ତି। କିଛି ଜଣାଶୁଣା ପୁରୁଣା ଗ୍ରାହକଙ୍କୁ ଛାଡ଼ିଲେ, ନୂଆ ଗ୍ରାହକମାନେ ଆସିବା ଦେଖାଯାଉନାହିଁ। ବିଡିଏକୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ ସ୍ଥାୟୀ ସମାଧାନ ଦିଗରେ କିଛି ପଦକ୍ଷେପ ନିଆଯାଉନାହିଁ। ତେଣୁ ଏମିତି ଅବସ୍ଥା ଲାଗି ରହିଲେ, ଏହି ମାର୍କେଟ୍‌ର ଭବିଷ୍ୟତ ଅନ୍ଧାର।

ସମ୍ବନ୍ଧିତ ଖବର