ବଢ଼ି ଚାଲିଛି କଣ୍ଟାକ୍ଟ କେସ୍: ଦିନକରେ ୧୪୯ ପଜିଟିଭ୍, ୧୪୫ ସୁସ୍ଥ

ଭୁବନେଶ୍ବର: ରାଜଧାନୀରେ କରୋନା ଚିନ୍ତା ବଢ଼ାଉଛନ୍ତି ବସ୍ତି ଓ ଘରୋଇ ହସ୍ପିଟାଲ। ଗୋଟିଏ ପରେ ଗୋଟିଏ ବସ୍ତି ଓ ଘରୋଇ ହସ୍ପିଟାଲରୁ ନିୟମିତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜଧାନୀରେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ୫ରୁ ଅଧିକ ବସ୍ତିରୁ ପୁଳାପୁଳା ପଜିଟିଭ୍ ବାହାରିଛନ୍ତି। ଏହାସହ ଏକାଧିକ ଘରୋଇ ହସ୍ପିଟାଲରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି।

ଆଜି ଚିହ୍ନଟ ୧୪୯ ରୋଗୀଙ୍କ ମଧ୍ୟରେ ୯୮ଜଣ ସଙ୍ଗରୋଧରୁ ଓ ୫୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସଙ୍ଗରୋଧରୁ ଚିହ୍ନଟ ହୋଇଥିବା ‌ରୋଗୀଙ୍କ ମଧ୍ୟରେ ସାଲିଆସାହିରୁ ୧୧, ଶିରିପୁର କନ୍ଧ ସାହିରୁ ୧୪, ମେ ଫେୟାର ନିକଟ ବସ୍ତିରୁ ୨, ବିଶ୍ବେଶ୍ବର ବସ୍ତିରୁ ଜଣେ, ତପୋବନ ବସ୍ତିରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଘରୋଇ ହସ୍ପିଟାଲର ୨ଜଣ କର୍ମଚାରୀ, ସରକାରୀ ହସ୍ପିଟାଲରୁ ୩ଜଣ, ଦୁଇଟି ଘରୋଇ ହସ୍ପିଟାଲରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ସ୍ଥାନୀୟ ସଂକ୍ରମିତଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଓ ‌ଏମ୍‌ସର ଜଣେ ଲେଖାଏଁ କର୍ମଚାରୀ ଚିହ୍ନଟ ହୋଇଥିବା ବେଳେ ଇସ୍କନ୍ ମନ୍ଦିର ନିକଟରେ ଥିବା ବସ୍ତି, ସାଲିଆ ସାହି, ନୂଆସାହିରୁ ଆକ୍ରାନ୍ତ ଚିହ୍ନଟ ହେବା ବିଏମ୍‌ସିର ଚିନ୍ତା ବଢ଼ାଇଛନ୍ତି। ସ୍ଥାନୀୟ ସଂକ୍ରମିତଙ୍କ ହାର ୩୪ ପ୍ରତିଶତ ରେକର୍ଡ କରାଯାଇଛି। ଗତ ୪ ଦିନରେ ରାଜଧାନୀରେ ୪୮୨ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୧୭୩ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ପ୍ରତ୍ୟେକ ଦିନ ପ୍ରାୟ ୩୫ ପ୍ରତିଶତ ହାରରେ ରାଜଧାନୀରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହାକି ବେଶ୍‌ ଚିନ୍ତାଜନକ। ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭ରେ ପହଞ୍ଚିଥିବା ବେଳେ ତହିଁରୁ ୧୯୪୩ଜଣ ସୁସ୍ଥ ହୋଇଛନ୍ତି। ଆଜି ୧୪୫ଜଣ ସୁସ୍ଥ ହୋଇଛନ୍ତି। ୧୨୫୪ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୮ଜଣଙ୍କ କରୋନାରେ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧିତ ଖବର