ଭୁବନେଶ୍ବର: ବିଏମ୍ସି କମିସନରଙ୍କ ନାଁରେ ଅଦାଲତ ଅବମାନନା ମାମଲା ବଢ଼ିବାରେ ଲାଗିଛି। କେତେବେଳେ କର୍ମଚାରୀଙ୍କ ତ୍ରୁଟି, ଆଉ କେତେବେଳେ ଉପଯୁକ୍ତ ତଥ୍ୟ ପ୍ରମାଣ ଉପସ୍ଥାପନ ଅଭାବ ହେଉଥିବାରୁ କମିସନର ଅଡ଼ୁଆରେ ପଡ଼ୁଛନ୍ତି। ପୂର୍ବରୁ ଦୁଇଜଣ କମିସନର ଦୁଇଟି ପୃଥକ୍ ପୃଥକ୍ ମାମଲାରେ ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ କ୍ଷମା ପ୍ରାର୍ଥନା କରିବା ରେକର୍ଡ ରହିଥିବା ବେଳେ ଗତ ମାସରେ କମିସନରଙ୍କ ବିରୋଧରେ ୯ଟି ଅଦାଲତ ଅବମାନନାର ଶୁଣାଣି ହୋଇଛି। ଏହା ବାଦ୍ ଏକ ଗୁରୁତ୍ବପୂର୍ଣ୍ଣ ମାମଲାରେ କମିସନରଙ୍କୁ ଅଦାଲତ ଅବମାନନା ଟିସ୍ ଆସିଛି। ନିର୍ଦ୍ଦିଷ୍ଟ ଆଇନ ବଳରେ ଦୁଇଜଣ କର୍ମଚାରୀଙ୍କୁ ନିୟମିତ କରାଯାଇଥିବା ବେଳେ ଜଣେ ଡ୍ରାଇଭରଙ୍କୁ ସେହି ନିୟମ ବଳରେ ନିୟମିତ କରାଯାଉ ନାହିଁ। ଫଳରେ ୩ ବର୍ଷ ଧରି ସମ୍ପୃକ୍ତ କର୍ମଚାରୀ ବିଏମ୍ସିରୁ ହାଇକୋର୍ଟ ଓ ହାଇକୋର୍ଟରୁ ବିଏମ୍ସି ଦଉଡ଼ୁଛନ୍ତି। ଦୁଇ ଦୁଇ ଥର ଅଦାଲତ ଅବମାନନା ଆଦେଶ ହୋଇ ସାରିଲାଣି। ତେବେ ଏଇ ଶେଷ ଥର ବିଏମ୍ସି ସମ୍ପୃକ୍ତ କର୍ମଚାରୀଙ୍କୁ ଆଇନ ଅନୁଯାୟୀ ନିୟମିତ ନ କଲେ କମିସନରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଅଭିଯୋଗକାରୀ ହେଉଛନ୍ତି ଡିଏଲ୍ଆର କର୍ମଚାରୀ(ଡ୍ରାଇଭର) ମଧୁସୂଦନ ଜେନା। ୧୯୯୫ ମସିହା ଫେବୃଆରି ୨୮ ତାରିଖରେ ସେ ଡିଏଲ୍ଆର୍ କର୍ମଚାରୀ ଭାବରେ ବିଏମ୍ସିରେ ନିଯୁକ୍ତି ପାଇଥିଲେ। ତାଙ୍କ ସମୟରେ ନିଯୁକ୍ତି ପାଇଥିବା ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ବିଏମ୍ସି ନିୟମିତ କରିଥିଲା। ହେଲେ ତାଙ୍କୁ ନିୟମିତ କରିନଥିଲା। ୨୯ ବର୍ଷ ହେଲା ସେ ଡିଏଲ୍ଆର ଭାବେ କାମ କରୁଛନ୍ତି। କିନ୍ତୁ ତାଙ୍କ ପରେ ପରେ ଡିଏଲ୍ଆର କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ଦୁଇଜଣଙ୍କୁ ବିଏମ୍ସି ନିୟମିତ କରିଥିଲେ ମଧ୍ୟ ଶ୍ରୀ ଜେନାଙ୍କୁ କରିନଥିଲା। ଏଣୁ ସେ ବିଏମ୍ସିକୁ ଚିଠି ଲେଖି ନିବେଦନ କରିଥିଲେ। ହେଲେ ବିଏମ୍ସି ଶୁଣିନଥିବାରୁ ୨୦୨୧ ମସିହାରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ବିଚାର କରି ଆଇନ ଅନୁଯାୟୀ ଶ୍ରୀ ଜେନାଙ୍କ ଚାକିରି ନିୟମିତ କରିବାକୁ ଆଦେଶ ଦେଇଥିଲେ। କିନ୍ତୁ ବିଏମ୍ସି ଶୁଣିନଥିଲା। ବରଂ ଶ୍ରୀ ଜେନାଙ୍କୁ ଚିଠି ଲେଖିଥିଲା କି ନିୟମିତ ହୋଇଥିବା ଅନ୍ୟ ଦୁଇ କର୍ମଚାରୀଙ୍କ ଠାରୁ ସେ କିଭଳି ବରିଷ୍ଠ ହେଲେ ପ୍ରମାଣ ଦିଅନ୍ତୁ। ବିଏମ୍ସିର ଏଭଳି ବିଚିତ୍ର ପ୍ରଶ୍ନକୁ ନେଇ ସେ ପୁଣି ଥରେ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ପୁଣି ଥରେ ବିଏମ୍ସିକୁ ସୁଯୋଗ ଦେଇଥିଲେ। ବିଏମ୍ସି ଦର୍ଶାଇଥିଲା କି ସରକାରଙ୍କ ନିୟମ ମୁତାବକ ୧୯୯୩ ଏପ୍ରିଲ୍ ୧୨ ପରେ ଯେଉଁମାନେ ଡିଏଲ୍ଆର୍ ନିଯୁକ୍ତି ପାଇଥିବେ ସେମାନେ ନିୟମିତ କର୍ମଚାରୀ ହୋଇ ପାରିବେ ନାହିଁ। କିନ୍ତୁ ପୂର୍ବରୁ ନିୟମିତ ହୋଇଥିବା ଦୁଇ କର୍ମଚାରୀ ମଧ୍ୟ ୧୯୯୩ ପରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଣୁ ଏହାକୁ ନେଇ ପୁଣି ଥରେ ଶ୍ରୀ ଜେନା ହାଇକୋର୍ଟ ଯାଇଥିଲେ। ଶେଷରେ ହାଇକୋର୍ଟ ଅଦାଲତ ଅବମାନନା ନୋଟିସ୍ ଜାରି କରିଥିଲେ। ଦୁଇ ଦୁଇ ଥର ଏଭଳି ଆଦେଶ ଜାରି ହେବା ପରେ କୋର୍ଟ ବିଏମ୍ସିକୁ ଶେଷ ସୁଯୋଗ ଦେଇଛନ୍ତି।
ପୂର୍ବରୁ ‘ଏକାମ୍ରକ୍ଷେତ୍ର ଆମେନିଟିଜ୍ ଓ ମନୁମେଣ୍ଟ ରିଭାଇଭାଲ ଆକ୍ସନ ପ୍ଲାନ୍ ଅଧୀନରେ ଲିଙ୍ଗରାଜ ଐତିହ୍ୟ ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଲାଗି କ୍ଷତିପୂରଣ ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଆଦେଶ ପାଳନ ହୋଇନଥିବାରୁ ବିଏମସି କମିସନର ସମସ୍ତ ରେକର୍ଡ ଧରି ବ୍ୟକ୍ତିଗତ ହାଜିରା ଦେଇଥିଲେ। ୨୦୨୧ରେ ହାଇକୋର୍ଟଙ୍କ ଅନ୍ତରୀଣ ରହିତାଦେଶ ସତ୍ତ୍ବେ ଘନଶ୍ୟାମ ପଟ୍ଟନାୟକଙ୍କୁ ସ୍ଲମ୍ କ୍ବାର୍ଟର୍ସ ଖାଲି କରିବାକୁ ନୋଟିସ୍ ଦେଇ ତତ୍କାଳୀନ କମିସନର ବ୍ୟକ୍ତିଗତ ହାଜର ହୋଇ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ। ଗତ ମାର୍ଚ୍ଚ ମାସରେ ୯ଟି ଅଦାଲତ ଅବମାନନା ମାମଲାର ଶୁଣାଣି ହୋଇଛି। ବ୍ୟକ୍ତିଗତ ଜମିରେ ରାସ୍ତା କରି ପୂର୍ବତନ କମିସନର ଅଦାଲତ ଅବମାନନାର ଶିକାର ହୋଇଥିଲେ ଏବଂ ଜମି ମୂଲ୍ୟ ବାବଦକୁ କୋଟିଏ ଟଙ୍କା ବିଏମ୍ସି ଖାତାରୁ ଜମା କରିବାକୁ ପଡ଼ିଥିଲା।