୧୮ ଲକ୍ଷ ଠକେଇ ଅଭିଯୋଗରେ ଠିକାଦାର ଗିରଫ

ଭୁବନେଶ୍ବର : ଗୃହ ନିର୍ମାଣ ନାଁରେ ୧୮ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଠିକାଦାରଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଓଏସ୍‌ଆଇ କନ୍‌ଷ୍ଟ୍ରକ୍‌ସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ ଦେବାଶିଷ ସେଠୀ। ସୂଚନା ମୁତାବକ ଦେବାଶିଷଙ୍କ ଗୃହନିର୍ମାଣ ସଂସ୍ଥା ବଜାର ଦରଠାରୁ କମ୍‌ ଖର୍ଚ୍ଚରେ ଘର ନିର୍ମାଣ କରିବ ବୋଲି ସୁନ୍ଦରଗଡ଼ର ତପନ ମଲ୍ଲିକଙ୍କୁ କହିଥିଲା। ତପନ କଳିଙ୍ଗନଗର ଅଞ୍ଚଳରେ ଥିବା ତାଙ୍କ ଜମିରେ ଘର ନିର୍ମାଣ କରିବା ପାଇଁ ଦେବାଶିଷଙ୍କ ଠିକା ସଂସ୍ଥା ସହ ଚୁକ୍ତି କରିଥିଲେ ଓ ତପନଙ୍କଠାରୁ ଅଗ୍ରୀମ ବାବଦରେ ୧୮ଲକ୍ଷ ଟଙ୍କା ନେଇଥିଲେ। କିନ୍ତୁ ଟଙ୍କା ପାଇବା ପରେ ଦେବାଶିଷ ଧରାଛୁଆଁ ଦେଇନଥିଲେ। ଘର କାମ ବିଳମ୍ବ ହେବାରୁ ତପନ ଟଙ୍କା ଫେରସ୍ତ ପାଇଁ କହିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦେବାଶିଷ ତାଙ୍କୁ ପାଲଟା ଧମକଚମକ ଦେଇଥିଲେ।

ସମ୍ବନ୍ଧିତ ଖବର