ଜଟଣୀ: ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ ରାଜାବଜାରସ୍ଥିତ ଖୁଣ୍ଟିଆ ବାବୁ ଗଳି ରାସ୍ତା ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ୭ ମାସ ପୂର୍ବେ ନୂତନ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର୍ ପରେ ଏହି ରସ୍ତାକୁ ଠିକାଦାର ଖୋଳି ଦେଇଥିଲେ। ହେଲେ ମାସ ପରେ ମାସ ଗଡ଼ି ଚାଲିଥିଲେ ମଧ୍ୟ ରାସ୍ତା ନିର୍ମାଣ ହେଉନାହିଁ। ଅନ୍ୟପକ୍ଷରେ ରାସ୍ତାକୁ ଖୋଳି ଦେବା ପରେ ଏହି ରାସ୍ତାରେ ଚଳାଚଳ ବିପଜ୍ଜନକ ହୋଇପଡ଼ିଛି। ରାସ୍ତା ଖୋଳି ଦେଇ ଠିକାଦାର ଆଉ ଧରାଛୁଆଁ ଦେଉନାହାନ୍ତି। ଏବେ ବର୍ଷା ପାଇଁ କାମ ହୋଇପାରୁନି। ବାହାନା ଦେଖାଇ ମାସ ମାସ ହେଲା ଦିନ ଗଡ଼ାଇ ଆସୁଛନ୍ତି। ତେବେ ରାସ୍ତା ସାରା ବଡ଼ ବଡ଼ ଖାଲ ପାଇଁ ଲୋକେ ଯିବାଆସିବାରେ ହନ୍ତସନ୍ତ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ରାଜାବଜାର ଖୁଣ୍ଟିଆ ବାବୁ ଗଳି ରାସ୍ତା ଶୋଚନୀୟ
ଜଟଣୀ ପୌରପାଳିକା ଅନ୍ତର୍ଗତ ୫ ନମ୍ବର ୱାର୍ଡ ରାଜାବଜାରର ଖୁଣ୍ଟିଆ ବାବୁ ଗଳି ହେଉଛି ଗଜପତିନଗର ମୁଖ୍ୟ ରାସ୍ତା। ଏହି ରାସ୍ତା ମଧୁସୁଦନନଗର ଓ ରେତଙ୍ଗ କଲୋନିକୁ ମଧ୍ୟ ସଂଯୋଗ କରୁଛି। ତେଣୁ ପ୍ରତିଦିନ ଏହି ରାସ୍ତା ଦେଇ ଶହ ଶହ ଲୋକଙ୍କ ଯିବାଆସିବା ଲାଗି ରହିଛି। ନୂତନ କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ୭ ମାସ ପୂର୍ବେ ୫ ଲକ୍ଷ ଟଙ୍କାର ଇ-ଟେଣ୍ଡର୍ ହୋଇଥିଲା। ପର୍ଶୁରାମ ବିଧାର ନାମକ ବ୍ୟକ୍ତି ଠିକାଦାର କାମ ନେଇଛନ୍ତି। କାମ ଆରମ୍ଭ ପୂର୍ବରୁ ଏହି ରାସ୍ତାକୁ ଖୋଳି ଦିଆଯିବା ସହ କିଛି ସ୍ଥାନରେ ଡ୍ରେନ୍ ଉପରୁ ସ୍ଲାବ୍ ମଧ୍ୟ ଉଠାଇ ଦିଆଯାଇଛି। ଫଳରେ ଦୀର୍ଘ ୭ ମାସ ହେଲାଣି ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଡ୍ରେନ୍ଗୁଡ଼ିକ ଖୋଲା ହୋଇ ପଡ଼ିଥିବାରୁ ପାଣି ରାସ୍ତାରେ ଜମି ରହୁଛି।
ଅଞ୍ଚଳର ବାସୁଦେବ ସେଠୀ କହିଛନ୍ତି ଯେ, ଅନେକ ଦିନ ହେଲାଣି ୫ ଓ ୬ ନମ୍ବର ୱାର୍ଡର ସୀମା ନିର୍ଦ୍ଧାରଣ ସମସ୍ୟା ଲାଗି ରହିଛି। ଉଭୟ ୱାର୍ଡ କାଉନ୍ସିଲରଙ୍କ ଭିତରେ ସୀମା ନିର୍ଦ୍ଧାରଣ ବିବାଦ ଲାଗି ରହିଥିବାରୁ ରାସ୍ତା କାମରେ ଏହା ବାଧକ ସାଜୁଛି। ଏ ସମ୍ପର୍କରେ ୫ ନମ୍ବର ୱାର୍ଡ କାଉନସିଲର୍ କାଜଲ ଦାଶ କହିଛନ୍ତି ଯେ, କଂକ୍ରିଟ୍ ରାସ୍ତା ନିର୍ମାଣ ପାଇଁ ଟେଣ୍ଡର୍ ହୋଇଥିଲା। ଠିକାଦାର କାମ କରିବା ପାଇଁ ରାସ୍ତା ଖୋଳି ଦେଇଥିଲେ। ବର୍ତ୍ତମାନ ଉକ୍ତ ଠିକାଦାରର ଦେଖାନାହିଁ। ବର୍ଷା ହେଉଛି, କାମ କରିହେବନି କହି ଆସୁଛି। ତେଣୁ ଅଞ୍ଚଳବାସୀ ବାରମ୍ୱାର ଅଭିଯୋଗ କଲେ ମଧ୍ୟ କିଛି କରିହେଉ ନାହିଁ ବୋଲି କହିଛନ୍ତି।