ବେଲଚାରେ ପିଟି ପିଟି ଠିକାଦାରଙ୍କୁ ହତ୍ୟା ଘଟଣା : ‘ଫନି’ ମାଡ଼ରେ ତଦନ୍ତ ଭୁଲିଗଲା ପୁଲିସ, ସପ୍ତାହକ ପରେ ବି ସନ୍ଦିଗ୍ଧ ଚିକୁର ପତ୍ତା ମିଳୁନି

ଟଙ୍କା ଭାଗବଣ୍ଟା ଓ ଅନୈତିକ ସମ୍ପର୍କକୁ ନେଇ ହତ୍ୟା ସନ୍ଦେହ

ଭୁବନେଶ୍ବର/ବାଲିଅନ୍ତା : ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଅଞ୍ଚଳରେ ଠିକାଦାର ଅରୁଣ କୁମାର ଦାସଙ୍କ ହତ୍ୟା ଘଟଣାକୁ ସପ୍ତା‌େହ ବିତି ଗଲାଣି। କିନ୍ତୁ ଏଯାଏ ପୁଲିସ ତଦନ୍ତ ଆରମ୍ଭ କରି ପାରିନି। କିଏ ଓ କାହିଁକି ହତ୍ୟା କଲା ତାହା ଏଯାଏ ସ୍ପଷ୍ଟ ହୋଇ ପାରୁନି। ‘ଫନି’ ଆସିବାର ଗୋଟିଏ ଦିନ ପୂର୍ବରୁ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ପୁଲିସ ବାତ୍ୟା ନାଁରେ ତଦନ୍ତକୁ ବିଳମ୍ବ କରୁଥିବା ଅଭିଯୋଗ ହେଉଛି। ଫଳରେ ହତ୍ୟାକାରୀ ଏହାର ଫାଇଦା ଉଠାଇ ଫେରାର ହୋଇ ଯିବାକୁ ସକ୍ଷମ ହୋଇଛି। ପୁଲିସ ସନ୍ଦେହରେ ଥିବା ଚିକୁର ମଧ୍ୟ ପତ୍ତା ମିଳୁନି। ଯାହାକୁ ନେଇ ଠିକାଦାର ଅରୁଣଙ୍କ ପରିବାର ଲୋକ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ ବିଶେଷସୂତ୍ରରୁ ମିଳଥିବା ସୂଚନା ମୁତାବକ, ପୁଲିସ ହତ୍ୟାକାଣ୍ଡ ସ୍ଥଳରୁ ଯେଉଁ ମୋବାଇଲ ଫୋନ୍ ଜବତ କରିଥିଲା, ତାହା ଠିକାଦାର ଅରୁଣଙ୍କର ବୋଲି ଜାଣିବାକୁ ପାଇଛି। ପୁଲିସ ସେହି ମୋବାଇଲ ଫୋନ୍‌ର କଲ ଡିଟେଲ୍ସ ମଧ୍ୟ ମଗାଇଛି। କିନ୍ତୁ ଘଟଣା ପରେ ବାତ୍ୟା ଆସି ଯିବାରୁ ମୋବାଇଲ ନେଟୱର୍କ ସେବା ସଂପୂର୍ଣ୍ଣ ଭାବେ ଠପ ହୋଇ ଗଲା। ଫଳରେ ପୁଲିସ ମୋବାଇଲ ଫୋନ୍‌ର କଲ ଡିଟେଲ୍ସ ଏଯାଏ ପାଇ ପାରିନାହିଁ। ମୋବାଇଲ ନେଟୱର୍କ ନ ଥିବାରୁ ଘଟଣା ରାତି ଅରୁଣଙ୍କ ସହିତ ଆଉ କେଉଁମାନେ ଥିଲେ ତାହା ମଧ୍ୟ ଜଣା ପଡ଼ୁନାହିଁ। ସେହିପରି ବାତ୍ୟା ପରେ ପୁଲିସ ଉଦ୍ଧାର କାର୍ଯ୍ୟ, ସଫେଇ, ରିଲିଫ୍ ସୁରକ୍ଷା ଓ ବଣ୍ଟନରେ ବ୍ୟସ୍ତ। ଥାନାରେ ମଧ୍ୟ ବିଦ୍ୟୁତ୍‌ ନାହିଁ। ପୁଲିସ ଗାଡ଼ିରେ ତେଲ ଅଭାବରୁ ଚଢ଼ାଉ କରିବାକୁ ଯିବାରେ ସମସ୍ୟା ହେଉଛି। ଫଳରେ ଅରୁଣ ହତ୍ୟାକାଣ୍ଡର ତଦନ୍ତରେ ଏବେ ବାଧା ଉପୁଜିଛି। ଏବେ ପୁଲିସ ହତ୍ୟାକାଣ୍ଡର ତଦନ୍ତ କେବଳ ଲୋକଙ୍କ ସୂଚନା ଉପରେ ନିର୍ଭର କରୁଛି।

ଅରୁଣଙ୍କ ନିଜ ଘର ଚନ୍ଦ୍ରଶେଖରପୁର ଅଞ୍ଚଳରେ ହୋଇଥିବାବେଳେ ସେ ନଖରା ଓ ଜାତୀୟ ରାଜପଥ କଡ଼ରେ ଗଢ଼ି ଉଠୁଥିବା ନୂତନ ଜନବସତିରେ ରଙ୍ଗ କାମ ଠିକାରେ ନେଇଥାନ୍ତି। ଯେଉଁ ବିଲ୍‌ଡିଂରେ ସେ କାମ କରିଥାନ୍ତି, ସେହି ବିଲ୍‌ଡିଂରେ ସେ ରାତିରେ ରହିଥାନ୍ତି। ତେଣୁ ଅରୁଣଙ୍କ ସମ୍ପର୍କରେ କେହି ପୁଲିସକୁ ସୂଚନା ଦେଇ ପାରୁନାହାନ୍ତି। ଫଳରେ ପୁଲିସ ତଦନ୍ତ ଆଗେଇ ପାରୁନାହିଁ।

ଘଟଣା ରାତିରେ ଚିକୁ ନାମକ ଜଣେ ଯୁବକଙ୍କ ସହିତ ସେ ଏକ ଅର୍ଧ ନିର୍ମିତ ଘରର ଛାତ ଉପରେ ଶୋଇଥିଲେ। ଚିକୁର ଏବେ ପତ୍ତା ମିଳୁନା‌ହିଁ। ସେହିପରି ରଙ୍ଗ ଠିକା କାମକୁ ନେଇ ତାଙ୍କର କେହି ଶତ୍ରୁ ଥିବା ମଧ୍ୟ ପୁଲିସ ସନ୍ଦେହ କରୁଛି। ଅରୁଣଙ୍କ ଅଧୀନରେ କାମ କରୁଥିବା କେତେକ ରଙ୍ଗ ମିସ୍ତ୍ରିଙ୍କୁ ମଧ୍ୟ ପୁଲିସ ପଚରା ଉଚରା କରି ଛାଡ଼ି ଦେଇଛି। ସେମାନଙ୍କ ନିକଟରୁ ହତ୍ୟାକାଣ୍ଡ ସମ୍ପର୍କରେ ସେମିତି କିଛି ତଥ୍ୟ ପୁଲିସର ହସ୍ତଗତ ହୋଇ ନାହିଁ। କେଉଁ କାରଣରୁ ଅରୁଣଙ୍କୁ ଏଭଳି ହତ୍ୟା (ମୁହଁକୁ ବେଲଚା ଓ ଲୁହା ରଡରେ ଭୁସି) କରାଯାଇଛି ତାହା ମଧ୍ୟ ସ୍ପଷ୍ଟ ହୋଇ ପାରିନାହିଁ। ତେଣୁ ହତ୍ୟାକାଣ୍ଡ ପଛରେ କୌଣସି ମହିଳାଙ୍କ ସହିତ ଅନୈତିକ ସମ୍ପର୍କ କିମ୍ବା ଟଙ୍କା ଭାଗବଣ୍ଟା କାରଣ ହୋଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି।

ଏ ସମ୍ପର୍କରେ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ହତ୍ୟାକାଣ୍ଡ ପରଦିନ ବାତ୍ୟା ଫନି ଆସିଥିଲା। ଏଥିଯୋଗୁଁ ପୁଲିସ ସଂପୂର୍ଣ୍ଣ ବ୍ୟସ୍ତ। ଅରୁଣଙ୍କ ମୋବାଇଲ କଲ ଡିଟେଲ୍ସ ଆସିଲେ ଘଟଣା ରାତିରେ ଅରୁଣ କାହା ସହ କଥା ହୋଇଥିଲେ। ଶେଷ ଫୋନ୍ କଲ ତାଙ୍କୁ କିଏ କରିଥିଲେ ତାହା ଜଣା ପଡ଼ିବ। ଏହାକୁ ଆଧାର କରି ତଦନ୍ତ ଆଗେଇ ପାରିବ। ସେହିପରି ନେଟୱର୍କ ଆସିଲେ ଅରୁଣଙ୍କ ମୋବାଇଲ ଫୋନ୍‌ ପାଖାପାଖି କେଉଁମାନଙ୍କର ମୋବାଇଲ ଥିଲା ତାହା ମଧ୍ୟ ଜଣାପଡ଼ିବ।

ପ୍ରକାଶଥାଉକି, ଚଳିତ ମାସ ୨ ତାରିଖ ସକାଳୁ ପୁଲିସ ନଖରା ଅଞ୍ଚଳରୁ ଠିକାଦାର ଅରୁଣଙ୍କ ମୃତଦେହ ଠାବ କରିଥିଲା। ପୁଲିସ ଘଟଣା ସ୍ଥଳରରୁ ଏକ ରକ୍ତ ଲଗା ବେଲ୍‌ଚା, ଲୁହା ଆଙ୍ଗେଲ ଓ ମୋବାଇଲ ଫୋନ୍‌ ଜବତ କରିଥିଲା। ପାରିପାର୍ଶ୍ବିକ ଅବସ୍ଥାରୁ ଅରୁଣଙ୍କୁ ବେଲ୍‌ଚା ଓ ଲୁହା ଆଙ୍ଗେଲରେ ପିଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର