ଭୁବନେଶ୍ୱର: ବିଡିଏ ଟାଉନ ପ୍ଲାନିଂ ସ୍କିମ ଅନୁଯାୟୀ ସହରରେ ୨୪ଘଣ୍ଟିଆ ଜଳ ଯୋଗାଣ ଓ ଏସଟିପି (ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ) ନିର୍ମାଣ ପାଇଁ ୱାଟ୍କୋ ପକ୍ଷରୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରିଛି ଅଲ୍ ଓଡ଼ିଶା କଣ୍ଟ୍ରାକ୍ଟର ୱେଲଫେୟାର ଆସୋସିଏସନ୍। ଏନେଇ ଆଜି ଉନ୍ନତି ଭବନ ସମ୍ମୁଖରେ ଆସୋସିଏସନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ୨୪ଘଣ୍ଟିଆ ପିଇବା ପାଣି ସଂରକ୍ଷଣ ଓ ସ୍ବେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ ଲାଗି ୧୧୭୩.୪୬ କୋଟି ଓ ୨୫୬.୪୮ କୋଟିର ଦୁଇଟି ମେଗା ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକାଶ ପାଇଛି। ମେଗା ପ୍ରକଳ୍ପ ଟେଣ୍ଡର କରି ରାଜ୍ୟ ବାହାର କମ୍ପାନିକୁ ସୁଯୋଗ ଦେବାରୁ ସ୍ଥାନୀୟ ଠିକାଦାରଙ୍କୁ ଏଥିରୁ ବଞ୍ଚିତ କରାଯାଉଛି। ଓଡ଼ିଶାର ଠିକାଦାର ବଡ଼ ବଡ଼ କମ୍ପାନିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିପାରୁ ନାହାନ୍ତି। ମେଗା ପ୍ରକଳ୍ପ କାର୍ଯ୍ୟ ସାରିବାରେ ବିଳମ୍ବ ହେବା ସହିତ ଖର୍ଚ୍ଚ ବୃଦ୍ଧି ହୋଇଥାଏ, ଯାହା ଜନସାଧାରଣଙ୍କୁ ଠିକ ସମୟରେ ସେବା ଯୋଗାଇବା ସମ୍ଭବ ହୁଏନି।
ସ୍ଥାନୀୟ ଠିକାଦାରମାନେ ଛୋଟ ଛୋଟ ପ୍ରକଳ୍ପ ଦ୍ବାରା ଏହାକୁ ଦ୍ରୁତ ଗତିରେ ଏବଂ କମ୍ ଖର୍ଚ୍ଚରେ କରିପାରିବେ ବୋଲି ଆସୋସିଏସନ୍ ଦାବି କରିଛି। ମେଗା ପ୍ରକଳ୍ପଗୁଡ଼ିକୁ ୧୦ରୁ ୧୫ କୋଟିର ଭାଗ କରାଯାଇ ୩୫ରୁ ୪୦ ଓଡ଼ିଆ ଠିକାଦାରଙ୍କୁ ସୁଯୋଗ ଦେବାକୁ ଆସୋସିଏସନ୍ ଦାବି କରିଛି। ଏନେଇ ଆସୋସିଏସନ୍ର ସଭାପତି ଜଗଦୀଶ ପାତ୍ର କହିଛନ୍ତି, ସରକାର ବଡ଼ବଡ଼ ପ୍ରକଳ୍ପ କରି ରାଜ୍ୟ ବାହାର ଠିକାଦାର ସଂସ୍ଥାକୁ ସୁଯୋଗ ଦେଉଛନ୍ତି। ଏହା କରାଗଲେ ଆଗାମୀ ଦିନରେ ଓଡ଼ିଶାର ଠିକାଦାର ଜୀବିକା ହରାଇବେ। ଏଦିଗରେ ସରକାର ଚିନ୍ତା କରିବାକୁ ଆସୋସିଏସନ୍ ଦାବି କରିଛି। ମେଗା ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରି ଓଡ଼ିଶାର ଠିକାଦାରଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ସେ ଦାବି କରିଛନ୍ତି। ପରେ ଆସୋସିଏସନ୍ର ଉପଦେଷ୍ଟା ଜଗନ୍ନାଥ ପ୍ରଧାନ ଓ ସଭାପତି ଶ୍ରୀ ପାତ୍ର ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ ଗୁରୁଚରଣ ଦାସଙ୍କୁ ଭେଟି ଆଲୋଚନା କରିଥିଲେ। ଅଭିଯୋଗ ପାଇବା ପରେ ଶ୍ରୀ ଦାସ ବର୍ତ୍ତମାନ ପର୍ଯ୍ୟନ୍ତ ଟେଣ୍ଡର ପ୍ରକ୍ରିୟାକୁ ସ୍ଥିଗିତ ରଖିବା ସହ ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ବିହିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରି ଥିଲେ।