ଭୁବନେଶ୍ବର: ଏମ୍ସରେ କାର୍ଯ୍ୟରତ ଠିକା ସଂସ୍ଥା ଗୋଲ୍ଡେନ ହସ୍ପିଟାଲ ସର୍ଭିସ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଏହି ସଂସ୍ଥା ଅଧୀନରେ କାର୍ଯ୍ୟରତ ୭୫୦ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଠାରୁ ୭୫୦ ଟଙ୍କା ଲେଖାଏ କାଟି ନେଉଥିବା ଠିକା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ସାଲାରି ସ୍ଲିପ ଦିଆଯାଉନଥିବାରୁ ସଂସ୍ଥାକୁ ବେତନ କାଟିବାକୁ ସୁବିଧା ହେଉଛି। ହେଲେ ଗୋଲ୍ଡେନ ହସ୍ପିଟାଲ ସର୍ଭିସ ଏହି ଅଭିଯୋଗକୁ ଅସ୍ବୀକାର କରିଛି।
କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ, ୨୦୧୯ ସେପ୍ଟେମ୍ବର ମାସରୁ ସେମାନେ ଉକ୍ତ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଛନ୍ତି। ପ୍ରତିବର୍ଷ ଦୁଇ ଥର ଦରମା ବଢିବ। ଜାତୀୟ ଛୁଟି ସହିତ ବର୍ଷକୁ ୩ଟି ଛୁଟିର ଟଙ୍କା ଦିଆଯିବ ବୋଲି ନିଯୁକ୍ତି ସମୟରେ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ତାହା ହେଲା ନାହିଁ। ବରଂ ସେମାନଙ୍କ ଦରମାରୁ ଟଙ୍କା କାଟି ଦିଆଯାଉଛି। ଯେଉଁ ଦରମା ଦିଆଯାଉଛି ତାହା ମଧ୍ୟ ଠିକ୍ ଭାବରେ ମିଳୁନାହିଁ। ଛୁଟିରେ ରହିଲେ ଦରମା କଟାଯାଉଛି। କର୍ମଚାରୀଙ୍କ ପରିଚୟପତ୍ର ୬ ମାସ ହେଲା ନବୀକରଣ କରାଯାଇ ନାହିଁ। ଏହାର ଫାଇଦା ଉଠାଇ ଅନେକ ନକଲି କର୍ମଚାରୀ ଏଠାରେ କାମ କରି ଲୋକଙ୍କୁ ଶୋଷଣ କରୁଛନ୍ତି। କର୍ମଚାରୀମାନେ କହିଛନ୍ତି, ଦିଲ୍ଲୀ ଏବଂ ଭୋପାଳ ଏମ୍ସରେ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ମାସକୁ ୧୮ ହଜାର ପାଆନ୍ତି କିନ୍ତୁ ଏମ୍ସ ଭୁବନେଶ୍ବରରେ ସେମାନଙ୍କୁ ୧୧ ହଜାର ୫୦୦ ଟଙ୍କା ଦିଆଯାଉଛି। ସାଲାରି ସ୍ଲିପ ନଥିବାରୁ କର୍ମଚାରୀମାନେ ପର୍ସନାଲ ଲୋନ, ଗାଡ଼ି କ୍ରୟ ଆଦି କରିପାରୁ ନାହାନ୍ତି। ୮ ବର୍ଷରୁ ଊର୍ଧ୍ବ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ମଧ୍ୟ ସେମାନେ କହିଛନ୍ତି। ଗୋଲ୍ଡେନ ହସ୍ପିଟାଲ ସର୍ଭିସ କହିଛି, କୌଣସି କର୍ମଚାରୀଙ୍କ ଠାରୁ ଟଙ୍କା କଟାଯାଉ ନାହିଁ। ପରିଚୟ ପତ୍ର ନବୀକରଣ ଚାଲିଛି। ଖୁବ୍ ଶୀଘ୍ର ସମସ୍ତଙ୍କୁ ଦିଆଯିବ।କର୍ମଚାରୀମାନେ ଠିକା ସଂସ୍ଥା ଅଧୀନରେ ଥିବାରୁ ସେମାନେ ସ୍ଥାୟୀ ହୋଇପାରିବେ ନାହିଁ। ଅନ୍ୟ ଠିକା ସଂସ୍ଥା ସ୍ନାତକ ପଢିଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛି। ତେଣୁ ବେତନରେ ତାରତମ୍ୟ ରହିଛି।