ଚନ୍ଦ୍ରଶେଖରପୁର: କେବୁଲ୍‌ ବିଛାଇବାକୁ ଗାତ ଖୋଳିଲେ। ମାଟି ତାଡ଼ି ତାହାକୁ ବିଦ୍ୟାଳୟ ମୁଖ୍ୟ ପ୍ରବେଶପଥର ଦୁଇ ପାର୍ଶ୍ବରେ ଥିବା ଫୁଟ୍‌ପାଥରେ ଜମା କରିଦେଲେ। ହେଲେ ଉଠାଇଲେ ନାହିଁ। ଦିନେ କି ଦୁଇ ଦିନ ନୁହେଁ, ବରଂ ୪ ସପ୍ତାହ ହେଲା ମାଟି ଜମା ହୋଇଥିଲେ ମଧ୍ୟ ସେଥିପ୍ରତି କାହାର ହେୟଜ୍ଞାନ ନାହିଁ। କେବୁଲ୍‌ ବିଛାଉଥିବା ସଂସ୍ଥା ଗୁରୁତ୍ବ ଦେଉନାହିଁ କି ପୂର୍ତ୍ତ ବିଭାଗ ଅଧିକାରୀ କିଛି ତାଗିଦ୍‌ କରୁ ନାହାନ୍ତି। ପରିଣାମ ସ୍ବରୂପ ‌ପ୍ରତିଦିନ ବିଦ୍ୟାଳୟକୁ ଆସୁଥିବା ହଜାର ହଜାର ଛା‌ତ୍ରଛାତ୍ରୀ ଏବେ ଯନ୍ତ୍ରଣା ଭୋଗୁଛନ୍ତି। ଅସରାଏ ବର୍ଷାରେ ରାସ୍ତାରେ କାଦୁଅ ପାଣି ଭାସୁଛି। ମଞ୍ଚେଶ୍ବରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

Advertisment

ଅଭିଭାବକଙ୍କ କହିବା କଥା ହେଉଛି ଯେ ମାସାଧିକ କାଳ ହେଲା ମାଟି ଜମା ହୋଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗ୍ରୀଷ୍ମ ଛୁଟି ପୂର୍ବରୁ ଛାତ୍ରଛାତ୍ରୀ ଫୁଟ୍‌ପାଥ ଉପରେ ଛିଡ଼ା ହୋଇ ଅଭିଭାବକଙ୍କୁ ଅପେକ୍ଷା କରି ରହୁଥିଲେ। ସେମାନଙ୍କୁ କୌଣସି ପ୍ରକାର ଅସୁବିଧା ହେଉ ନ ଥିଲା। ମାତ୍ର ଏବେ ପିଲାମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଠିକାଦାର ମାଟି ଜମା କରିଥିବାରୁ ପିଲାମାନେ ଛିଡ଼ା ହୋଇପାରୁ ନାହାନ୍ତି। ବାଧ୍ୟ ହୋଇ ରାସ୍ତା ଉପରକୁ ଚାଲି ଆସୁଛନ୍ତି। ଯେଉଁଥିପାଇଁ ସ୍କୁଲ ଛୁଟି ସମୟରେ ରାସ୍ତା ଜାମ୍‌ ହୋଇଯାଉଛି ଏବଂ ଅଭିଭାବକଙ୍କୁ ହଟହଟା ହେବାକୁ ପଡ଼ୁଛି। ଏବେ ବର୍ଷା ଋତୁ ଚାଲିଥିବାରୁ ଅବସ୍ଥା ଆହୁରି ବିଗିଡ଼ି ଯାଉଛି। ଅସରାଏ ବର୍ଷା ହେବା କ୍ଷଣି ରାସ୍ତାରେ ନାଲି ମାଟି ପାଣି ଲହଡ଼ି ଭାଙ୍ଗୁଛି। ପିଲାମାନେ ସେହି ପାଣି ଭିତରେ ପଶି ଘରକୁ ଫେରୁଛନ୍ତି। ପ୍ରଶାସନ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଅଭିଭାବକ ସଂଘର କୃଷ୍ଣଚନ୍ଦ୍ର ପତି, ରାଜେଶ ମହାନ୍ତି, ସଞ୍ଜୟ ମହାରଣା, ସତ୍ୟରଞ୍ଜନ କର, ବୁବୁ ଚୌଧୁରୀ, ଗୋଲଖ ମହାପାତ୍ର ଦାବି କରିଛନ୍ତି। ବିଡିଏ, ବିଏମ୍‌ସି, ପୂର୍ତ୍ତ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ ୨୦୦ ଫୁଟିଆ ରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି।