ଭୁବନେଶ୍ବର : କେଶୁରାସ୍ଥିତ ଏକ ନିର୍ମାଣାଧୀନ କୋଠାରୁ ସହିଦନଗର ଥାନା ପୁଲିସ ସୋମବାର ଜଣେ ଠିକାଦାରଙ୍କ ଝୁଲନ୍ତା ମୃତଦେହ ଜବତ କରିଛି। ସେ ହେଲେ, ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳର ରଂଜନ କୁମାର ସାହୁ(୪୩)। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment

୨୦୧୩ରୁ ରଂଜନ କେଶୁରା ଅଞ୍ଚଳରେ ଥିବା ସ୍ବପ୍ନସରିତ କାନୁନ୍‌ଗୋଙ୍କ ୩ ମହଲା ଘର ନିର୍ମାଣ ପାଇଁ ଠିକା ନେଇଥିଲେ। ପ୍ରାୟ ୯ ବର୍ଷ ହେବ ସେ ସେଠାରେ କାମ କରୁଥିଲେ। ସୋମବାର ଅପରାହ୍‌ଣ ସାଢ଼େ ୨ଟାରେ ରଂଜନ ତିନି ମହଲା ଉପରେ ଥିବା ଏକ ଘରେ ଝୁଲୁଥିବା ଦେଖି କର୍ମଚାରୀମାନେ ସ୍ବପ୍ନସରିତଙ୍କୁ ଜଣାଇଥିଲେ। ଖବର ପାଇ ସହିଦନଗର ଥାନା ପୁଲିସ ମୃତଦେହକୁ ଜବତ କରିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରି ଫେରିଛି। ରଂଜନଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ପାଇଁ ଟାଙ୍ଗି ଦିଆଯାଇଛି, ସେ ନେଇ ପୁଲିସ ତଦନ୍ତ ଚଳାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ଉପରୁ ପରଦା ହଟିବ ବୋଲି ପୁଲିସ କହିଛି।