ଏମ୍‌ସରେ ଠିକା କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ : ପରିବାର ଆଣିଲା ହତ୍ୟା ଅଭିଯୋଗ, କ୍ୟାପିଟାଲ ହସ୍ପିଟାଲରେ ହେଲା ବ୍ୟବଚ୍ଛେଦ

ଖଣ୍ଡଗିରି : ଭୁବନେଶ୍ବର ଏମସ୍‌ର ଠିକା କର୍ମଚାରୀ ସନ୍ତୋଷ ନାଏକ(୨୪)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଗୁରୁବାର ଦିନ ତମାମ୍ ଏମସ୍‌ ଟ୍ରମା ସେଣ୍ଟର ନିକଟରେ ଉତ୍ତେଜନା ଲାଗି ରହିଥିଲା। ହସ୍ପିଟାଲ ପକ୍ଷରୁ ଏହାକୁ ଆତ୍ମହତ୍ୟା କୁହାଯାଉଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି। ଖଣ୍ଡଗିରି ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ଛାନଭିନ୍‌ ଆରମ୍ଭ କରିଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଯାଇ ହସ୍ତାନ୍ତର କରାଯାଇଛି।

ସୂଚନାନୁସାରେ, ଜଟଣୀ ଥାନା ଯାଁଳା ଗାଁର ବ୍ରଜ ନାଏକଙ୍କ ପୁଅ ସନ୍ତୋଷ ଭୁବନେଶ୍ବର ଏମସ୍‌ରେ ଠିକା କର୍ମଚାରୀ ଭାବେ ହାଉସ୍ କିପିଂ କାମରେ ନିଯୁକ୍ତି ପାଇଥିଲେ। ଗତକାଲି ରାତିରେ ସେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ବୋଲି ଆଜି ସକାଳୁ ତାଙ୍କ ପରିବାରଲୋକଙ୍କୁ ଜଣାଇ ଦିଆଯାଇଥିଲା। ଖବର ପାଇ ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚିବା ବେଳକୁ ୬ ମହଲାର ଏକ ରୁମ୍‌ରୁ ଚଟାଣରେ ସନ୍ତୋଷଙ୍କ ମୃତଦେହ ପଡ଼ିଥିଲା। ଫ୍ୟାନ୍‌ରେ ଏକ ସାର୍ଟ ଛିଣ୍ଡା ଅବସ୍ଥାରେ ଲାଗି ରହିଥିଲା। ସନ୍ତୋଷଙ୍କ ହାତରେ ଏକ ସାଲାଇନ୍ ଛୁଞ୍ଚି ଲାଗିଥିଲା। ତେଣୁ ପରିବାରଲୋକଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କୁ ଚିକିତ୍ସା କରାଯାଇଥିବା ବେଳେ ପରିବାରଲୋକଙ୍କୁ କ’ଣ ପାଇଁ ଖବର ଦିଆଗଲା ନାହିଁ ବୋଲି ସେମାନେ ପ୍ରଶ୍ନ କରିଥିଲେ। ମା’ ମିନତିଙ୍କ ଅଭିଯୋଗ ଅନୁସା‌‌ରେ, ଦୁଇ ମାସ ହେଲା ଦରମା ମିଳି ନଥିବାରୁ ସନ୍ତୋଷ ୫ ଦିନ ହେଲା ଛୁଟିରେ ଥିଲେ। ଗତକାଲି ସୁପରଭାଇଜର୍ ତାଙ୍କୁ ଡକାଇଥିଲେ। ତେଣୁ ଦରମାକୁ ନେଇ ଠିକା ସଂସ୍ଥା ପକ୍ଷରୁ ଷଡ୍‌ଯନ୍ତ୍ର କରି ତାଙ୍କ ପୁଅକୁ ହତ୍ୟା କରାଯାଇଛି। ପୁଲିସ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ସମ୍ବନ୍ଧିତ ଖବର