କଣ୍ଟ୍ରୋଲରୁମ୍‌ କାମରେ ଲାଗିଲାନି

୧୩୨ ଆଶ୍ରୟସ୍ଥଳୀରେ ୮୫ ହଜାର ଲୋକ, ରାଜଧାନୀକୁ ସଜାଡ଼ିବାକୁ ୬୦ଟିମ୍, ପୂର୍ତ୍ତ, ଏନ୍‌ଡିଆରଏଫ୍‌, ଅଗ୍ନିଶମ, ସେସୁ, ବିଏମ୍‌ସି, ଓଡ୍ରାଫ୍‌ର ହଜାରେ କର୍ମଚାରୀ ନିୟୋଜିତ

ବାତ୍ୟା ମୁକାବିଲା ପାଇଁ ବିଏମ୍‌ସିରେ ମଲ୍‌ଟିଏଜେନ୍ସି କଣ୍ଟ୍ରୋଲ ରୁମ୍ ଖୋଲିଛି। ହେଲେ ଏହା ଯେପରି କାର୍ଯ୍ୟ କରିବା କଥା କରିପାରିନି। ପାଣି ପାଇଁ ଛଟପଟ ହୋଇ କିଏ ଅଭିଯୋଗ କରୁଥିଲେ ତ କିଏ ଘର ଉପରେ ପଡ଼ିଥିବା ଗଛ କାଢ଼ିବାକୁ ଫୋନ୍ କରୁଥିଲେ। କିନ୍ତୁ ମଲ୍ଟିଏଜେନ୍ସି କଣ୍ଟ୍ରୋଲ ରୁମ୍‌ ଅଭିଯୋଗ ଲେଖି ଚୁପଚାପ୍‌ ବସିପଡ଼ୁଥିଲେ। ଫୋନ୍ ଯାଉନି କାହାକୁ କହିବୁ ବୋଲି କହି ବସିପଡ଼ିଥିଲେ।

କେବଳ ଏତିକି ନୁହେଁ କେତେକ ଲୋକ ଅଭିଯୋଗ କରିବାକୁ ଚାହୁଁଥିଲେ ହେଁ ଫୋନ୍ ଲାଗିନଥିଲା। ଏଠାକୁ ଯେଉଁମାନେ ଫୋନ୍‌ କରିଥିଲେ ସେମାନଙ୍କର ବି ସମସ୍ୟା ସମାଧାନ ହୋଇପାରିନଥିଲା। କଣ୍ଟ୍ରୋଲରୁମ୍‌ରେ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ହେଁ କେହି ବି ଆଜି ଲୋକଙ୍କ ସମସ୍ୟା ସମାଧାନ କରିବାରେ ସଫଳ ହୋଇନଥିଲେ। କଣ୍ଟ୍ରୋଲ ରୁମ୍‌ ଫୋନ୍‌ ଲାଗୁନଥିବାବେଳେ କିଛି ଲୋକ ବିଏମ୍‌ସି ଅଫିସକୁ ଆସି ଅଭିଯୋଗ କରିଥିଲେ ହେଁ କଣ୍ଟ୍ରୋଲ ରୁମ୍‌‌ର ଅଧିକାରୀମାନେ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିଲେ। କିପରି ସମାଧାନ ହେବ ସେନେଇ ବି ପଦକ୍ଷେପ ନେଇନଥିଲେ।

ବିଏମ୍‌ସିକୁ ତିନିଦିନରେ ୪୪୦ଟି ଅଭିଯୋଗ ଆସିଥିବାବେଳେ ଆଜି ଆସିଥିବା ଅଭିଯୋଗ ମଧ୍ୟରୁ ଅଧିକାଂଶ ସମାଧାନ ହୋଇନି।

ଫୋନ୍ ଲାଗୁନଥିବା କର୍ତ୍ତୃପକ୍ଷ କହୁଥିଲେ ହେଁ ଅଧିକାରୀମାନେ ଭିଏଚ୍‌ଏଫ୍ ବ୍ୟବହାର କରିବାକୁ ପଦକ୍ଷେପ ନେଇପାରିନଥିଲେ। ଫଳରେ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍‌ ଥାଇ ବି ଲୋକଙ୍କ କାମରେ ଏହା ଲାଗିପାରିନି।

୧୩୨ ଆଶ୍ରୟସ୍ଥଳୀରେ ୮୫ ହଜାର ଲୋକ

ଶୁକ୍ରବାର ବାତ୍ୟା ରାଜଧାନୀରେ ମାଡ଼ ହୋଇଥିବାବେଳେ ଗୁରୁବାର ଠାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ବସ୍ତି ଓ ତଳିଆ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ୧୩୨ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରାୟ ୮୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏଠାରେ ସେମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ପାଣି ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଉଛି। ସେମାନଙ୍କ ପାଇଁ ବାସସ୍ଥାନ ସଜଡ଼ା ନଯିବା ପର୍ଯ୍ୟନ୍ତ ଏଠାରେ ଖାଇବାକୁ ଦିଆଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ରାଜଧାନୀକୁ ସଜାଡ଼ିବାକୁ ୬୦ଟିମ୍, ପୂର୍ତ୍ତ, ଏନ୍‌ଡିଆରଏଫ୍‌, ଅଗ୍ନିଶମ, ସେସୁ, ବିଏମ୍‌ସି, ଓଡ୍ରାଫ୍‌ର ହଜାରେ କର୍ମଚାରୀ ନିୟୋଜିତ

ଭୁବନେଶ୍ବର : ବାତ୍ୟା ମାଡ଼ରେ ଛାରଖାର ହୋଇଯାଇଥିବା ରାଜଧାନୀକୁ ସଜାଡ଼ିବାକୁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ରାସ୍ତାରେ ଉପୁଡ଼ି, ଭାଙ୍ଗି ପଡ଼ିଥିବା ଲକ୍ଷ ଲକ୍ଷ ଗଛକୁ ହଟାଇବା, ଏହାକୁ ଅନ୍ୟତ୍ର ପକାଇବା, ବିଦ୍ୟୁତ ସଂଯୋଗ ସ୍ବାଭାବିକ କରିବା ପାଇଁ ପୂର୍ତ୍ତ ବିଭାଗ, ଏନ୍‌ଡିଆରଏଫ୍, ଅଗ୍ନିଶମ, ସେସୁ, ବିଏମ୍‌ସି ଓ ଓଡ୍ରାଫର ପ୍ରାୟ ୬୦ରୁ ଅଧିକ ଟିମ୍ ଲାଗିଛନ୍ତି। ଏଥିରୁ ଏବେ ପ୍ରାୟ ୧୦୦୦ କର୍ମଚାରୀ ନିୟୋଜିତ ହୋଇଥିବାବେଳେ ରବିବାର ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରର ସଂସ୍ଥାମାନେ ନିୟୋଜିତ ‌ହେବେ। ତିନିରୁ ଚାରଦିନ ଭିତରେ ଭୁବନେଶ୍ବରରେ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି।

ଆଜି ପୂର୍ତ୍ତ ବିଭାଗର ୨୯ଟି ଟିମ୍‌, ଏନଡିଆରଏଫ୍‌ର ୫ଟି ଟିମ୍‌ରେ ୧୨୧ଜଣ, ଅଗ୍ନିଶମ ବିଭାଗର ୬ଟି ଟିମ୍‌ରେ ୨୫୦ଜଣ, ସେସୁର ତିନିଟି ଡିଭିଜନକୁ ନେଇ ତିନିଟି ଟିମ୍, ବିଏମ୍‌ସିର ୧୩ଜଣ ସେକ୍ଟର ଅଧିକାରୀଙ୍କୁ ନେଇ ୧୩ଟି ଟିମ୍, ଓଡ୍ରାଫ ଟିମ୍ ଏହି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ବିଏମ୍‌ସି କମିସନର ସମର୍ଥ ବର୍ମା କହିଛନ୍ତି ଯେ, ଆସନ୍ତା ଦୁଇରୁ ତିନି ଦିନ ଭିତରେ ଆମେ ଭୁବନେଶ୍ବରକୁ ସଜାଡ଼ିବାକୁ ଉଦ୍ୟମ ଜାରି ରଖିଛୁ। ଏନେଇ ସବୁ ସଂସ୍ଥା ଜୋରଦାର କାମ କରୁଛନ୍ତି। ଏହାସହ ବିଦ୍ୟୁତ ସରବରାହ ସ୍ବାଭାବିକ କରିବା ପାଇଁ ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ସ୍ବତନ୍ତ୍ର ଟିମ୍ ଆସୁଛନ୍ତି। ପରିମଳ ବ୍ୟବସ୍ଥା ସଜାଡ଼ିବା ପାଇଁ ଆନ୍ଧ୍ରରୁ ସଫେଇ କର୍ମଚାରୀ ଅଣାଯାଉଛି, ଗଛ କାଟିବା ଏବଂ ଅନ୍ୟାନ୍ୟ ସେବା ସ୍ବାଭାବିକ କରିବା ପାଇଁ ଅନ୍ୟ ଜିଲ୍ଲାରୁ ଅଗ୍ନିଶମ ବିଭାଗର କର୍ମଚାରୀ ଆସୁଛନ୍ତି ବୋଲି କମିସନର କହିଛନ୍ତି।

ସମ୍ବନ୍ଧିତ ଖବର