ବିବାଦୀୟ ବାଇ-ଲ’ ମାମଲା: ଏକାମ୍ର କ୍ଷେତ୍ରକୁ ଧୋକା; ତାତିଲେ ସେବାୟତ

କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ପୂରାଇ ଦେବୁନି

ପୁରୁଣା ଭୁବନେଶ୍ବର: ଜାତୀୟ କୀର୍ତ୍ତିରାଜି କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ପ୍ରସ୍ତାବିତ ବାଇ-ଲ’ ପୁରୀ ଶ୍ରୀକ୍ଷେତ୍ର ପାଇଁ ଲାଗୁ ହେବ ନାହିଁ। ବିଜେଡି ଓ ବିଜେପି ସାଂସଦଙ୍କ ପ୍ରତିବାଦ ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହି ନିୟମକୁ ପୁରୀ ପାଇଁ ପ୍ରତ୍ୟାହାର କରି ନେଇଛନ୍ତି ସତ; ମାତ୍ର ଏହି ବିବାଦୀୟ ବାଇ-ଲ’କୁ ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରୁ ପ୍ରତ୍ୟାହାର କରାଯାଇନାହିଁ। ଆଜି ଏ ବିଷୟ ଜଣାପଡ଼ିବା ପରେ ଭୁବନେଶ୍ବରରେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଲିଙ୍ଗରାଜଙ୍କ ସେବାୟମତମାନଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ତୀବ୍ର ଅସ‌ନ୍ତୋଷ ପ୍ରକାଶ କରିଛନ୍ତି। ବେଶି ତାତିଛନ୍ତି ସେବାୟତମାନେ। ବାଇ-ଲ’ ପ୍ରତ୍ୟାହାର ନ ହେଲେ ସେମାନେ କୌଣସି କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ର କ୍ଷେତ୍ରରେ ପୂରାଇ ଦେବେନି ବୋଲି କହିଛନ୍ତି ଏବଂ ଆଗକୁ ଆହୁରି ଭୟଙ୍କର ଆନ୍ଦୋଳନ କରାଯିବ ବୋଲି ଏକାମ୍ରକ୍ଷେତ୍ରବା‌ସୀ ଚେତାବନୀ ଦେଇଛନ୍ତି।

ସେବାୟତମାନଙ୍କ ଅଭିଯୋଗ ଅନୁସାରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପାଇଁ ୧୨ମାସରେ ୧୪ ଯାତ୍ରା ଖଞ୍ଜା ହୋଇରହିଛି। ଏହି ସବୁ ଯାତ୍ରାରେ ପ୍ରଭୁ ଶ୍ରୀଲିଙ୍ଗରାଜ ନିକଟସ୍ଥ ଅନେକ ମନ୍ଦିରକୁ ଯାତ୍ରା କରନ୍ତି। ତେଣୁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ବର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି। ସବୁ ମନ୍ଦିରଗୁଡ଼ିକ ମଧ୍ୟ କାରୁକାର୍ଯ୍ୟରେ ପରିପୂର୍ଣ୍ଣ। ସେବା ଓ ପୂଜା ସୁରୁଖୁରରେ କରିବା ପାଇଁ ମନ୍ଦିରଗୁଡ଼ିକ ନିକଟରେ ସେବାୟତ ସାହିଗୁଡ଼ିକ ବହୁ କାଳରୁ ରହିଛି। ଯଦି ଏହି ବାଇ-ଲ’ ଲାଗୁ ହୁଏ, ତେବେ ସେବାୟତମାନେ ପ୍ରଭାବିତ ହେବେ। ଗତକାଲି ଏହି ବାଇ-ଲ’ ପ୍ରତ୍ୟାହାର ହେଲା ବୋଲି ଘୋ‌ଷଣା ହେବା ପରେ ସେବାୟତମାନେ ଖୁସି ହୋଇ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ସମୂହ ଦୀପଦାନ କରିଥିଲେ। ମାତ୍ର ଆଜି ଜଣାପଡ଼ିଲା ଯେ ଏକାମ୍ର କ୍ଷେତ୍ରରେ ଏହା ଲାଗୁ ହେବ। ତେଣୁ ଏହା ସେମାନଙ୍କ ପ୍ରତି ଏକ ଧୋକା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏହି ଚିଠା ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଏହି ବାଇ-ଲ’ କାର୍ଯ୍ୟକାରୀ ହେଲେ, ଶ୍ରୀଲିଙ୍ଗରାଜ ମନ୍ଦିରର ୩୦୦ ମିଟର ପରିଧି ପର୍ଯ୍ୟନ୍ତ ଅଞ୍ଚଳ ଏକପ୍ରକାର କଟକଣା ଅଞ୍ଚଳଭାବେ ପରିଗଣିତ ହେବ। ଏଠାରେ କୌଣସି ପ୍ରକାର ନିର୍ମାଣ କାମ ଏନ୍‌ଏମ୍‌ଏ କର୍ତ୍ତୃପକ୍ଷଙ୍କ ବିନା ଅନୁମତି‌ରେ କରାଯାଇପାରିବ ନାହିଁ। ଏମିତିକି ରାଜ୍ୟ ସରକାର ମଧ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବାକୁ ହେଲେ ଏନ୍‌ଏମ୍‌ଏଙ୍କ ଅନୁମତି ଆଣିବାକୁ ପଡ଼ିବ। ଏକାମ୍ର କ୍ଷେତ୍ରରେ ଏହି ନିୟମ ଲାଗୁ ହେଲେ ପୁରୁଷ ପୁରୁଷ ଧରି ବାସ କରି ଆସୁଥିବା ସେବାୟତମାନେ ବହୁଭାବରେ ପ୍ରଭାବିତ ହେବେ।

ଶ୍ରୀକ୍ଷେତ୍ର‌ର ବିକାଶ ଓ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯେପରି ଏହି ବାଇ-ଲ’ ପ୍ରତ୍ୟାହାର କରାଗଲା, ଏକାମ୍ର କ୍ଷେତ୍ରରେ ମଧ୍ୟ ସମାନ ବ୍ୟବସ୍ଥା ଲାଗୁ କରାଯାଉ। ଏହି ନିୟମ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ତୁରନ୍ତ ବିଚାର କରନ୍ତୁ।
ଅଶୋକଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ

ଏହି ବାଇ-ଲ’କୁ ବିରୋଧ କରି ପ୍ରତିବାଦ ଓ ଆନ୍ଦୋଳନ ଚାଲିଛି। ଆଗକୁ ତୀବ୍ର ଆନ୍ଦୋଳନ କରାଯିବ। ଏହି ଚିଠା ବିଜ୍ଞପ୍ତିକୁ ତୁରନ୍ତ ପ୍ରତ୍ୟାହାର କରାନଗଲେ, ଆଗାମୀ ଦିନରେ କୌଣସି କେନ୍ଦ୍ରମନ୍ତ୍ରୀ ଓ ସାଂସଦଙ୍କୁ ଏକାମ୍ର କ୍ଷେତ୍ରକୁ ପ୍ରବେଶ କରାଇ ଦିଆଯିବନାହିଁ।
ବିରଞ୍ଚି ନାରାୟଣ ପତି, ସମ୍ପାଦକ, ବ୍ରାହ୍ମଣ ନିଯୋଗ
ଏହି ନିୟମ ନ ହଟିଲେ ସେବାୟତ ପରିବାରମାନେ ନାନା ସମସ୍ୟା ଭୋଗିବେ। ୩ଶହ ମିଟର ପରିଧି ଭିତରେ କୌଣସି ନିର୍ମାଣ କାମ ହେବନି ଯଦି ସେବାୟତ ପରିବାର କେମିତି ରହିବେ? ଏହା ଦ୍ବାରା ଠାକୁରଙ୍କ ପୂଜାନୀତିରେ ଘୋର ବ୍ୟାଘାତ ସୃଷ୍ଟି ହେବ। ଏହା ନ ହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ।
ସଚ୍ଚିକାନ୍ତ ପୂଜାପଣ୍ଡା, ସମ୍ପାଦକ, ପୂଜାପଣ୍ଡା ନିଯୋଗ
ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ର ପାଇଁ ଏହି ନିୟମ ଉଠିବା ଜରୁରୀ। ଶ୍ରୀଲିଙ୍ଗରାଜ ମନ୍ଦିର, ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏହାକୁ ନ ଉଠାଇଲେ ଆନ୍ଦୋଳନ ବ୍ୟାପକ କରାଯିବ।
କମଳାକାନ୍ତ ବଡ଼ୁ, ସମ୍ପାଦକ, ବଡ଼ୁ ନିଯୋଗ
ଏହି ନିୟମ ନ ଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବା ସହ କୌଣସି କେନ୍ଦ୍ରୀୟ ନେତାଙ୍କୁ ଏହି ଅଞ୍ଚଳରେ ପ୍ରବେଶ କରାଇ ଦିଆଯିବନାହିଁ।
ମଳୟ କୁମାର ମହାପାତ୍ର, ବ୍ରହ୍ମେଶ୍ବର ମନ୍ଦିର ପରିଚାଳନା ଟ୍ରଷ୍ଟି
ଶ୍ରୀଲିଙ୍ଗରାଜ ମନ୍ଦିର କୌଣସି ଦୁର୍ଗ ନୁହେଁ। ଏହାକୁ ଏଏସ୍ଆଇକୁ ଯଦି କେବଳ କୀର୍ତିରାଜି ଭାବୁଛନ୍ତି, ତାହା ମସ୍ତବଡ଼ ଭୁଲ। ଏଏସ୍ଆଇ ପ୍ରଥମେ ଅବକ୍ଷୟମୁଖୀ କୀର୍ତିରାଜିଗୁଡ଼ିକର ସଂରକ୍ଷଣ ଠିକ୍‌ ଭାବେ କରୁ। ଏହି ନିୟମ ବିରୋଧରେ ଜୋର୍‌ଦାର ଆନ୍ଦୋଳନ କରାଯିବ।
ରଶ୍ମି ମହାପାତ୍ର, ସଭାପତି, ଏକାମ୍ର ବିକାଶ ମଞ୍ଚ
ଏହି ବାଇ-ଲ’ କାର୍ଯ୍ୟକାରୀ ହେଲେ ମନ୍ଦିରର ୩୦୦ ମିଟର ଚୌହଦିରେ ରହୁଥିବା ସେବାୟତ ପରିବାର ଗୁରୁତର ଭାବେ ପ୍ରଭାବିତ ହେବେ। ତେଣୁ ଏହାର ପୁନର୍ବିଚାର ଜରୁରୀ।
ଅମିୟ ଦାଶ, ଅଧ୍ୟକ୍ଷ, ଏକାମ୍ର ସଂଗଠନ

ସମ୍ବନ୍ଧିତ ଖବର