ମାଷ୍ଟରକ୍ୟାଣ୍ଟିନରୁ ମୂର୍ତ୍ତି ସ୍ଥାନାନ୍ତର ବିବାଦ ତେଜିଲା: ଘୋଡ଼ା ହଟିଲେ ଆନ୍ଦୋଳନ

ବିକ୍ଷୋଭ ପ୍ରଦର୍ଶନ କଲେ କଂଗ୍ରେସ ଓ ବିଜେପି ନେତା
ଘୋଡ଼ା ସ୍ଥାନାନ୍ତର ନେଇ ରାଜନୀତି ନ ହେଉ: ବିଜେଡି

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡର ସ୍ମାର୍ଟ ଜନପଥ ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିକୁ ସ୍ଥାନାନ୍ତର କରିବା ନିଷ୍ପତ୍ତିକୁ ଆଜି ଜୋରଦାର୍ ବିରୋଧ ଆରମ୍ଭ ହୋଇଛି। ବୁଧବାର ବିଶିଷ୍ଟ ପ୍ରସ୍ତର ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଥିବାବେଳେ ଆଜି କଂଗ୍ରେସ ଓ ବିଜେପି ଭଳି ରାଜନୈତିକ ଦଳର ନେତାମାନେ ଏହ‌ା ବିରୋଧରେ ସ୍ବର ଉଠାଇଛନ୍ତି। ସରକାର ଘୋଡ଼ା ସ୍ଥାନାନ୍ତର ନିଷ୍ପତ୍ତିରୁ ନ ଓହରିଲେ ଆଗକୁ ଜୋରଦାର୍ ଆନ୍ଦୋଳନ ହେବ ବୋଲି ବିରୋଧୀଦଳଗୁଡ଼ିକ ଚେତାବନୀ ଦେଇଛନ୍ତି। ଏପଟେ ସଂସ୍କୃତି ବିଭାଗ ଘୋଡ଼ା ଓ ଯୋଦ୍ଧା ସମେତ ସମସ୍ତ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବା ଜିଦ୍‌ରେ ଥିବାରୁ ବିବାଦ ଘନେଇଛି।

ଆଜି ପୂର୍ବାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମାଷ୍ଟରକ୍ୟାଣ୍ଟିନ ଛକସ୍ଥିତ ଘୋଡ଼ା ମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କହିଛନ୍ତି ଯେ, ଏହି ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ବର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କର ବୀରତ୍ବ ଗାଥାର ଏକ ପ୍ରସ୍ତର ପ୍ରଦର୍ଶନ। ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିବାବେଳେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ନୀଳମଣି ରାଉତରାୟ, ଚିନ୍ତାମଣି ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି। ତେଣୁ ଏଠାରୁ ପ୍ରତିମୂର୍ତ୍ତିକୁ ନ ହଟାଇ ସ୍ମାର୍ଟ ସିଟି ଯୋଜନା କାର୍ଯ୍ୟକାରୀ ହେଉ। ଯଦି ସରକାର ନିଷ୍ପତ୍ତିର ପୁନଃବିଚାର ନକରନ୍ତି ତେବେ ଜନଆନ୍ଦୋଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି। ଏହାସହ ସରକାର ତୁରନ୍ତ ନିଷ୍ପତ୍ତି ବଦଳାଇବା ଦାବିରେ ଶୁକ୍ରବାର ପୂର୍ବାହ୍ନ ୮ଟାରୁ ଭୁବନେଶ୍ବର ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ସେହିପରି ଆଜି ବିଜେପିର ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଅନ୍ୟମାନେ ମାଷ୍ଟରକ୍ୟାଣ୍ଟିନ ଗୋଲେଇ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଶ୍ରୀ ସିଂହ କହିଛନ୍ତି ଯେ, ରାଜଧାନୀର ପ୍ରମୁଖ ସ୍ଥାନ, ଛକରେ ବହୁ ସ୍ଥାପତ୍ୟ, ହସ୍ତକଳା ଆଦି ସହର ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୌନ୍ଦର୍ଯ୍ୟୀକରଣ ନାଁରେ ରାଜଧାନୀର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଆଦୌ କ୍ଷୁଣ୍ଣ କରିବାକୁ ଦିଆଯିବନି। ଦୀର୍ଘବର୍ଷ ହେଲା ଶୋଭା ପାଉଥିବା ଘୋଡ଼ା ଓ ଯୋଦ୍ଧାଙ୍କ ମୂର୍ତ୍ତିକୁ ସ୍ଥାନାନ୍ତର କରିବାର ଅପଚେଷ୍ଟାକୁ ସଫଳ ହେବାକୁ ଦେବୁନି। ପ୍ରଶାସନ ଜୋର୍‌ ଜବରଦସ୍ତ ଏହାକୁ ସ୍ଥାନାନ୍ତର କଲେ ଏହାକୁ ବିରୋଧ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସିଂହ ଚେତାବନୀ ଦେଇଛନ୍ତି।

ଅପରପକ୍ଷେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ, ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ାକୁ ସ୍ଥାନାନ୍ତର ପ୍ରସଙ୍ଗରେ ରାଜନୀତି କରିବା ଠିକ୍ ନୁହେଁ। ଯେତେବେଳେ ଭୁବନେଶ୍ବରକୁ ସ୍ମାର୍ଟ ସିଟି ଘୋଷଣା କରାଯାଇଥିଲା; ସେତେବେଳେ ଯେଉଁ ଡିପିଆର୍ ପ୍ରସ୍ତୁତ ହୋଇଥିଲା ସେଥିରେ ରେଳ ଷ୍ଟେସନର ଉନ୍ନତୀକରଣ ସହ ଏକ ଆଇକନିକ୍ କୋଠା ନିର୍ମାଣ ହେବାକୁ ନିଷ୍ପତ୍ତି ହୋଇଥିଲା। ଏହି କୋଠା ନିର୍ମାଣ ହେଲେ ଘୋଡ଼ା ଅଦୃଶ୍ୟମାନ ହୋଇଯିବ।‌ ଏହାକୁ ଦୃଶ୍ୟମାନ କରିବାକୁ ସ୍ଥାନାନ୍ତର କରାଯାଉଛି। ସହରର ଲୋକସଂଖ୍ୟା ବଢ଼ୁଛି , ତାହାକୁ ଆଖିରେ ରଖି ଏହି ଉଦ୍ୟମ। ଏହାକୁ ବିରୋଧ ନୁହେଁ, ସମସ୍ତେ ସହଯୋଗ କରନ୍ତୁ।

ଏ ନେଇ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ ଦାସ କହିଛନ୍ତି ଯେ, ଖୁବଶୀଘ୍ର ମାଷ୍ଟରକ୍ୟାଣ୍ଟିନ ଛକର ଘୋଡ଼ାକୁ ରାଜଭବନ ଛକକୁ ସ୍ଥାନାନ୍ତର କରାଯିବ। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକର ରାସ୍ତା ସମ୍ପ୍ରସାରଣ ପାଇଁ ଘୋଡ଼ା ଓ ଯୋଦ୍ଧା ସମେତ ସମସ୍ତ ପ୍ରସ୍ତର ମୂର୍ତ୍ତିକୁ ସ୍ଥାନାନ୍ତର କରିବା ପାଇଁ ସଂସ୍କୃତି ବିଭାଗକୁ ୬ମାସ ତଳେ ଚିଠି ଲେଖାଯାଇଥିଲା। ଏହା ଉପରେ ବିଚାର କରି ଏବେ ନିଷ୍ପତ୍ତି ନିଆଯାଇଛି।

‘ଘୋଡ଼ା’ ଆମ ଭାବନାର କଥା: ଖାରବେଳ
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁ କହିଛନ୍ତି ଯେ, ପୃଥିବୀରେ ବହୁ ଦେଶରେ ପୁରୁଣା କୀର୍ତ୍ତିକୁ ରଖି ମଧ୍ୟ ସହରର ଆଧୁନିକୀକରଣ କରାଯାଇଛି। ଭୁବନେଶ୍ବରରେ ମଧ୍ୟ ଉକ୍ତ ଘୋଡ଼ାକୁ ସ୍ଥାନାନ୍ତରିତ ନକରି ସେହି ଅଞ୍ଚଳରେ କୋଠା, ରାସ୍ତା ନିର୍ମାଣ କରାଯାଇପାରିବ। ଆମେ ଘୋଡ଼ା ସ୍ଥାନାନ୍ତର ନେଇ ରାଜନୀତି କରୁନୁ। ଏହା ଆମ ଭାବନାର କଥା। ଭୁବନେଶ୍ବର ସ୍ମାର୍ଟ ସିଟି ହୋଇଛି, ଏଠାରେ ବହୁ ନୂଆ ନୂଆ ଜିନିଷ ହେବ। କିନ୍ତୁ ଏଥିପାଇଁ ଆମ ଐତିହ୍ୟ, କୀର୍ତ୍ତିରାଜିକୁ ତ କ୍ଷତି ପହଞ୍ଚାଇ ହେବନି। ମାଷ୍ଟରକ୍ୟାଣ୍ଟିନ ଛକରେ ଘୋଡ଼ା ରହିବ। କେମିତି ରହିବ ତାହା କର୍ତ୍ତୃପକ୍ଷ ଓ ଡିଜାଇନର୍‌ ଚିନ୍ତା କରନ୍ତୁ।

ରାଜେନ୍ଦ୍ର ନାରାୟଣ ସିଂହଦେଓ ଲୋଗୋ କରିଥିଲେ, ଜାନକୀବଲ୍ଲଭ ସ୍ଥାପନ କରିଥିଲେ
ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ କହିଛନ୍ତି ଯେ ୧୯୬୮ ମସିହା ପର୍ଯ୍ୟନ୍ତ ଓଡ଼ିଶା ଶାସନର ଲୋଗୋ ଅଶୋକ ସ୍ତମ୍ଭ ଥିଲା। ଦେଶର ଓ ରାଜ୍ୟର ସମାନ ଲୋଗୋ ଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଉଦ୍ୟମରେ କୋଣାର୍କ ଘୋଡ଼ା, ଯୋଦ୍ଧା ଓଡ଼ିଶା ଶାସନର ଲୋଗୋ ହୋଇଥିଲା। ଏହାକୁ ପରେ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୮୮ ମସିହାରେ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ କରିଥିଲେ। ଭୁବନେଶ୍ବରର ମୁଖଶାଳା ଏହି ଛକ ଥିବାରୁ ଅର୍ଥାତ୍ ଟ୍ରେନ୍ ଓ ବସ୍‌ରେ ଆସୁଥିବା ଲୋକ ଏହିଠା‌ରୁ ଯାତାୟାତ କରୁଥିବାରୁ ଏବଂ ବିଧାନସଭା ସାମ୍ନା ହୋଇଥିବାରୁ ଏଠାରେ ଘୋଡ଼ାର ପ୍ରସ୍ତର ମୂର୍ତ୍ତି ସ୍ଥାପନ ହୋଇଥିଲା। ଦିନରାତି କାମ କରି ଏହାକୁ ରଘୁନାଥ ମହାପାତ୍ର ନିର୍ମାଣ କରିଥିଲେ। ଏହି ମୂର୍ତ୍ତି ହିଁ ମାଷ୍ଟରକ୍ୟାଣ୍ଟିନ ଛକର ପରିଚୟ ପାଲଟି ଯାଇଥିଲା। ଏହାକୁ ରାଜଭବନ ସାମ୍ନାକୁ ସ୍ଥାନାନ୍ତର କଲେ ଠିକ୍ ହେବନି। ସେଠାରେ ଉତ୍କଳ ଗୌରବ ମଧୁବାବୁଙ୍କର ପ୍ରତିମୂର୍ତ୍ତି ଅଛି। ଆଜି ଘୋଡ଼ା ସ୍ଥାନାନ୍ତର କରିବେ, କାଲି ଆଉ କାହା ପ୍ରତିମୂର୍ତ୍ତିକୁ ଏଠାକୁ ସ୍ଥାନାନ୍ତର କରିଦେଇପାରନ୍ତି। ସ୍ମାର୍ଟ ସିଟିର ପ୍ରକଳ୍ପ କାମ ହେଉ, କିନ୍ତୁ ଘୋଡ଼ାକୁ ସେହିଠାରେ ଅଧିକ ମର୍ଯ୍ୟଦାର ସହ ରଖାଯାଉ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର