ଭୁବନେଶ୍ୱର: ବିଏମ୍ସିରେ ଭଡ଼ାରେ ଲାଗୁଥିବା ଗାଡ଼ି ପାଇଁ ଏକକ ଟେଣ୍ଡର ହେବା ପରେ ବିବାଦ ବଢ଼ିବାରେ ଲାଗିଛି। ପୁରୁଣା ଗାଡ଼ି ମାଲିକଙ୍କର ୫କୋଟି ଟଙ୍କା ବାକି ନସୁଝି ଏଭଳି ନୂଆ ଟେଣ୍ଡର କରିବାକୁ ଗାଡ଼ିମାଲିକମାନେ ଗ୍ରହଣ କରିପାରୁ ନାହାନ୍ତି। ଏଣେ ନୂଆ ଟେଣ୍ଡର ଅନୁସାରେ ବିଏମ୍ସିର କ୍ଷତି ହେବାକୁ ଯାଉଥିବାରୁ ଏହି ଟେଣ୍ଡରକୁ ବାତିଲ କରିବାକୁ ସମ୍ପୃକ୍ତ ମାଲିକମାନେ ଦାବି କରି ଆଜି ବିଏମ୍ସି ଅଫିସ୍ ସାମ୍ନାରେ ଧାରଣା ଦେଇଥିଲେ। ଦୀର୍ଘ ସମୟ ବସିବା ପରେ ମେୟର ସୁଲୋଚନା ଦାସ ତାଙ୍କ ସହ ଏ ବାବଦରେ ଆସନ୍ତାକାଲି ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ହଟିଛନ୍ତି।
ବିଏମ୍ସି ଭଡ଼ା ଗାଡ଼ିମାଲିକ ସଂଘ ସଭାପତି ଅରବିନ୍ଦ ମହାନ୍ତିଙ୍କ ଅଭିଯୋଗ ହେଉଛି, ବିଏମ୍ସିରେ ପରିମଳ ଟେଣ୍ଡରରେ ତ୍ରୁଟି ଯୋଗୁ ଆବର୍ଜନା ସହର ସାରା ବିଭିନ୍ନ ଜାଗାରେ ଗଦା ହୋଇ ରହିଥିଲା। ବିଏମ୍ସି ବଡ଼ ବଡ଼ ଗାଡ଼ି ଭଡ଼ାରେ ଲଗାଇ ଏହି ସବୁ ଆବର୍ଜନାକୁ ଦିନରାତି ଲାଗି ସଫା କଲା। ଏହା ସହ ଦେଢ଼ଶହରୁ ଅଧିକ ଗାଡ଼ି ବିଭିନ୍ନ କାମରେ ଲାଗିଥିଲା। ପ୍ରଥମେ ପ୍ରଥମେ ଠିକ୍ ସମୟରେ ଗାଡ଼ି ଭଡ଼ା ମିଳୁଥିଲା। କିନ୍ତୁ ୨୦୨୨ ମସିହାରୁ ନିୟମିତ ଗାଡ଼ି ଭଡ଼ା ମିଳିଲା ନାହିଁ। ଏଭଳି ୨ ବର୍ଷ ହେବ ୧୫ରୁ ଊର୍ଦ୍ଧ୍ବ ଗାଡ଼ି ମାଲିକଙ୍କର ୫ କୋଟିରୁ ଅଧିକ ବାକି ପଡ଼ିଛି। ସେମାନଙ୍କୁ ବାକି ପଇସା ନ ଦେଇ ବିଏମ୍ସି ୧୫୧ ଗାଡ଼ି ଯୋଗାଇ ଦେବା ପାଇଁ ଗୋଟିଏ ସଂସ୍ଥାକୁ ଚୟନ କରିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବଡ଼କଥା ହେଉଛି, ଅଫିସରମାନେ ଯିବା ଆସିବା କରିବା ପାଇଁ ବିଭିନ୍ନ ବର୍ଗର ହାଲୁକା ଯାନ ସହ ଭାରୀ ଯାନ ମଧ୍ୟ ସେହି ଗୋଟିଏ ସଂସ୍ଥା ଯୋଗାଇବ। ଯେଉଁ ସଂସ୍ଥାକୁ ଦିଆଯାଇଛି ସେ ସଂସ୍ଥା ବିଏମ୍ସି ଚାହିଦା ମୁତାବକ ଗାଡ଼ି ରଖି ନାହିଁ। ଏଣୁ ସେ ବି ଭଡ଼ାରେ ଆଣିବ। କିନ୍ତୁ ଯେଉଁମାନେ ପୂର୍ବରୁ ବିଏମ୍ସି ସହ ବର୍ଷ ବର୍ଷ ଧରି କାମ କରିଆସୁଥିଲେ ସେମାନଙ୍କୁ ନିଆଯାଉନି। ଗୋଟିଏ ସଂସ୍ଥା ସବୁ ଗାଡ଼ି ଯୋଗାଉଥିବାରୁ ସଂସ୍ଥା ସଂହ କିଛି ସମସ୍ୟା ହେଲେ ବା ସଂସ୍ଥା ମନମାନି କଲେ ବିଏମ୍ସିର ସବୁ କାମ ଏକାଠି ଠପ୍ ହୋଇ ଯିବା ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି।
ଅନ୍ୟଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପୂର୍ବରୁ ଜେସିବି ଘଣ୍ଟାକୁ ୧୩୦୦ ଟଙ୍କାରେ ବିଏମ୍ସି ନେଉଥିଲା। କିନ୍ତୁ ଏବେ ଏଜେନ୍ସି ଜରିଆରେ ସମାନ ସମୟ ପାଇଁ ନୂଆ ଏଜେନ୍ସିକୁ ୧୫୫୦ ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍ ଘଣ୍ଟାକୁ ଗୋଟିଏ ଗାଡ଼ିରେ ବିଏମ୍ସି ୨୫୦ ଟଙ୍କା ଅଧିକ ଖର୍ଚ୍ଚ କରିବ। ଏଭଳି ସମସ୍ତ ୧୫୧ ଗାଡ଼ିର ଭଡ଼ା ଅଧିକ ରହିଛି। ଯଦି ହିସାବ କରାଯାଏ ତେବେ ମାସକୁ ବିଏମ୍ସି ଲକ୍ଷାଧିକ ଟଙ୍କା କ୍ଷତି ସହିବ। ଏହା ଏଜେନ୍ସି ପକେଟ୍କୁ ଯିବ ନା ଏଭଳି ବ୍ୟବସ୍ଥା ପାଇଁ ଷଡ୍ଯନ୍ତ୍ର କରିଥିବା ଅଧିକାରୀଙ୍କ ପକେଟ୍କୁ ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି।
ମେୟରଙ୍କ ସହ ଯଦି ଆଲୋଚନା ସଫଳ ନହୁଏ ତେବେ ଶହ ଶହ ଗାଡ଼ି ମାଲିକମାନେ ବିଏମ୍ସି କାର୍ଯ୍ୟାଳୟ ଘେରାଉ କରିବା ସହ ଆଇନର ଆଶ୍ରୟ ନେବେ ବୋଲି ସଭାପତି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ବିଏମ୍ସି ନିଜ ଜିଦ୍ରେ ଅଟଳ ରହିଛି। ଟେଣ୍ଡର ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ। କିମ୍ବା ପୂର୍ବାପେକ୍ଷା ବିଏମ୍ସି କ୍ଷତି ସହିବ ନାହିଁ ବରଂ ଲାଭରେ ରହିବ ବୋଲି କହିଛି।