ଟିପିସିଓଡିଏଲ୍‌ର ପିଛା ଛାଡ଼ୁନି ବିବାଦ: ଏ ମାସର ବିଲ୍‌ ନ ଆସିଲେ ପୂର୍ବମାସ ଅନୁଯାୟୀ ଦେଇଦିଅ

ଧାର୍ଯ୍ୟ ସମୟରେ ବିଲ୍‌ ଆସୁନି; ରିହାତି ନେବାକୁ ଉପଭୋକ୍ତାଙ୍କୁ ପରାମର୍ଶ

ଭୁବନେଶ୍ବର: ବିଦ୍ୟୁତ ବିଲ୍‌କୁ ନେଇ ବିବାଦ ପିଛା ଛାଡ଼ୁନି। ଟିପିସିଓଡିଏଲ୍‌(ଟାଟା ପାୱାର ସେଣ୍ଟ୍ରାଲ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌)ଦେୟ ପୈଠ ବ୍ୟବସ୍ଥାକୁ ଯେତିକି ସହଜ କରୁଛି, ସଂସ୍ଥା ବିରୋଧରେ ସେତିକି ଅଭିଯୋଗ ବଢ଼ୁଛି। ନିକଟ ଅତୀତରେ ‘ମିତ୍ର’ ଆପ୍‌ ବ୍ୟବହାର କରି ନିର୍ଦ୍ଦିଷ୍ଟ ସମୟରେ ବିଲ୍‌ ଦେବାକୁ ସଂସ୍ଥା ଉପଭୋକ୍ତାଙ୍କୁ ପରାମର୍ଶ ଦେଇଥିବା ବେଳେ ଆଜି ନୂଆ ଘୋଷଣା କରିଛି। ଉଚିତ ସମୟରେ ବିଲ୍‌ ଦାଖଲ କରି ମୂଳ ରିହାତି ସହ ଅତିରିକ୍ତ ୨ ପ୍ରତିଶତ ରିହାତି ନେବାକୁ ସଂସ୍ଥା ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛି। ଏଣେ କିନ୍ତୁ ବିଲ୍‌ ଆସିବା ନିୟମିତ ହୋଇନାହିଁ। ଗୋଟିଏ ମାସର ୧୦ ତାରିଖରେ ଆସିଲେ ପର ମାସରେ ୨୦ ତାରିଖରେ ଆସୁଛି। ବିଲ୍‌ ବ୍ୟବସ୍ଥାକୁ ନିୟମିତ ନ କରି ଧାର୍ଯ୍ୟ ସମୟରେ ବିଲ୍‌ ପ୍ରଦାନ ଲାଗି ଅବାସ୍ତବ ପ୍ରସ୍ତାବ ଦିଆଯାଉଥିବାରୁ ଉପଭୋକ୍ତା ଏହାକୁ ନାପସନ୍ଦ କରିଛନ୍ତି। କେବଳ ସେତିକି ନୁହେଁ; ଏହି ସମସ୍ୟାର ସମାଧାନ କରିବାକୁ ଯାଇ ଟିପିସିଓଡିଏଲ୍‌ ଏକ ବିଚିତ୍ର ପରାମର୍ଶ ଦେଇଛି। କେହି ଯଦି ମାସର ନିର୍ଦ୍ଦିଷ୍ଟ ତାରିଖରେ ବିଲ୍‌ ପାଉନାହାନ୍ତି; ସେମାନେ ନିକଟସ୍ଥ ବିଦ୍ୟୁତ ଅଫିସରେ ଯୋଗାଯୋଗ କରନ୍ତୁ କିମ୍ବା ପୂର୍ବ ମାସର ବିଲ୍‌ ଅନୁସାରେ ହିସାବ କରି ଦେଇ ଦିଅନ୍ତୁ ବୋଲି ସଂସ୍ଥା କହିଛି।

ଟିପିସିଓଡିଏଲ୍‌ର ଏଭଳି ପରାମର୍ଶକୁ ନେଇ ବିବାଦ ଉଠିଛି। ଅନେକ ଉପଭୋକ୍ତାଙ୍କ ଅଭିଯୋଗ ହେଲା; ବିଳମ୍ବରେ ବିଲ୍‌ ଆସୁଥିବାରୁ ଉପଭୋକ୍ତାଙ୍କୁ ପ୍ରକୃତ ଦେୟଠାରୁ ଅଧିକ ଅର୍ଥ ଦେବାକୁ ପଡ଼ୁଛି। ବାରମ୍ବାର ଏହା ବିରୋଧରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଏହା ବ୍ୟତୀତ ଅନେକ ସମୟରେ କମ୍‌ ବିଦ୍ୟୁତ ବ୍ୟବହାର ହେଉଥିଲେ ମଧ୍ୟ ବିଲ୍‌ ଅଧିକ ଆସୁଛି। ପୂର୍ବରୁ ଯେଉଁଠି ୩ଶହରୁ ୪ଶହ ଟଙ୍କା ଆସୁଥିଲା ଏବେ ସମାନ ବ୍ୟବହାରରେ ୬ଶହରୁ ଊର୍ଦ୍ଧ୍ବ ଟଙ୍କା ବିଲ୍‌ ଆସୁଛି। ଏଣୁ ପୂର୍ବ ମାସର ବିଲ୍‌ ଅନୁସାରେ ଦେୟ ପ୍ରଦାନ କଲେ ଉପଭୋକ୍ତା କ୍ଷତି ସହିବେ। ସେଥିପାଇଁ ବିଲ୍‌ ଯେଭଳି ମାସର ଗୋଟିଏ ନିର୍ଦ୍ଦିଷ୍ଟ ତାରିଖରେ ଆସିବ ସେ ନେଇ ବ୍ୟବସ୍ଥା କରିବାକୁ ଅଧିକାଂଶ ଉପଭୋକ୍ତା ଦାବି କରିଛନ୍ତି।

ଅନେକ ଉପଭୋକ୍ତା ପ୍ରଶ୍ନ କରିଛନ୍ତି, ଟିପିସିଓଡିଏଲ୍‌ ଯେମିତି ବିଲ୍‌ ନେବାକୁ ତତ୍ପର ସେମିତି ଉଚିତ ସମୟରେ ବିଲ୍‌ ଘରେ ଦେବା ପାଇଁ ତତ୍ପର ନୁହେଁ କାହିଁକି? ସଂସ୍ଥା ବେଶ୍‌ ଲାଭ କରୁଥିଲେ ମଧ୍ୟ ଅଧିକ କର୍ମଚାରୀ ରଖି ମାସର ନିର୍ଦ୍ଦିଷ୍ଟ ତାରିଖରେ ବିଲ୍‌ ଦେବ ନାହିଁ କାହିଁକି? ଉପଭୋକ୍ତା କାହିଁକି ଅନୁମାନ କରି ବିଲ୍‌ ଦେବେ? ଆଉ କେତେକ ଉପଭୋକ୍ତା କହିଛନ୍ତି, ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ବିଲ୍‌ ଦାଖଲ କରିଥିଲେ ମଧ୍ୟ ଅତିରିକ୍ତ ଦୁଇ ପ୍ରତିଶତ ରିହାତି ମିଳିନାହିଁ। ଉପଭୋକ୍ତାଙ୍କର ଏଭଳି ଅନେକ ପ୍ରଶ୍ନ ଏବେ ଟିପିସିଓଡିଏଲ୍‌କୁ ବିବାଦକୁ ଟାଣିଛି।

ଟିପିସିଓଡିଏଲ୍‌ ପରାମର୍ଶ ମୁତାବକ, ମିତ୍ର ଆପ୍‌ ବ୍ୟତୀତ ଉପଭୋକ୍ତା www.tpcentralodisha.com କୁ ଯାଇ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ନେଟ୍‌ ବ୍ୟାଙ୍କିଙ୍ଗ୍‌ ଦ୍ବାରା ଦେୟ ଦାଖଲ କରିପାରିବେ। ସେହିଭଳି ଆମାଜନ୍‌ ପେ’, ଫୋନ୍‌ ପେ’, ପେ ଟିଏମ୍‌, ଏୟାରଟେଲ୍‌ ପେମେଣ୍ଟ ଆପ୍‌ ଡାଉନ୍‌ଲୋଡ୍‌ କରି ସେଥିରେ ମଧ୍ୟ ବିଦ୍ୟୁତ ବିଲ୍‌ ଦାଖଲ କରିପାରିବେ। ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ବିଲ୍‌ ଦାଖଲ କଲେ ମୂଳ ରିହାତି ସହ ଅତିରିକ୍ତ ୨ ପ୍ରତିଶତ ରିହାତି ହାସଲ କରି ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର