ବିବାଦରେ ଜାଗା ମିସନ ସର୍ଭେ: ତାଲିକାରୁ ନାଁ କଟୁଛି, ଯୋଡ଼ା ହେଉଛି

ଏସ୍‌ଡିଏକୁ ବିଏମ୍‌ସିର ନୋଟିସ୍‌

ଭୁବନେଶ୍ବର: ବିବାଦକୁ ଆସିଛି ଜାଗା ମିସନ ସର୍ଭେ। ଏସ୍‌ଡିଏ (ବସ୍ତି ଉନ୍ନୟନ ସଂଘ)ଏଥିରେ ହସ୍ତକ୍ଷେପ କରି ନିଜ ସ୍ବାର୍ଥ ସାଧନ କରୁଛି। କେଉଁଠି ତାଲିକାରୁ ନାଁ କାଟି ଦେଉଛି ତ’ କେଉଁଠି ନାଁ ଯୋଡ଼ିଦେଉଛି। ଅଭିଯୋଗ ଆସିବା ପରେ ଗୋଟିଏ ଏସ୍‌ଡିଏକୁ କୈଫିୟତ ତଲବ କରିଛି ବିଏମ୍‌ସି। କିନ୍ତୁ ସର୍ଭେ ହେଉଥିବା ବିଭିନ୍ନ ବସ୍ତିରେ ଏଭଳି ଅଭିଯୋଗ ଆସିଛି। ଯୋଗ୍ୟ ଲୋକ ସର୍ଭେରୁ ବାଦ୍‌ ପଡ଼ୁଥିବା ବେଳେ ଅଯୋଗ୍ୟ ଏହି ତାଲିକାରେ ଯୋଡ଼ି ହୋଇଯାଉଛନ୍ତି। ଏଣୁ ଅସନ୍ତୋଷ ବଢ଼ିବାରେ ଲାଗିଛି। ଫଳରେ ସରକାରଙ୍କର ଏହି ବହୁଚର୍ଚ୍ଚିତ ମିସନ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

ଜାଗା ମିସନ୍‌ରେ ସରକାର ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରିବାକୁ ଯାଉଛନ୍ତି। ବର୍ଷ ବର୍ଷ ଧରି ଉଚ୍ଛେଦ ଆଶଙ୍କାରେ ବସବାସ କରୁଥିବା ବସ୍ତିବାସିନ୍ଦା ଏହି ଯୋଜନାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି ମିସନ୍‌ରେ ଏବେ ‘ଉଷା’ ସର୍ଭେ ଚାଲିଛି। ବିଏମ୍‌ସି ପକ୍ଷରୁ ଠିକାସଂସ୍ଥା ଘର ଘର ବୁଲି ସର୍ବେକ୍ଷଣ ଜାରି ରଖିଛି। କିଏ କେତେ ଦିନ ହେଲା ବସ୍ତିରେ ରହୁଛି? କେତେ ଜମି ନିଜ ଦଖଲରେ ରଖିଛି? ଏ ସବୁ ଆଧାରରେ ଯୋଗ୍ୟ ଅଯୋଗ୍ୟଙ୍କ ତାଲିକା ପ୍ରସ୍ତୁତ ହେଉଛି। କିନ୍ତୁ ବସ୍ତିମାନଙ୍କରେ ରହିଥିବା ଏସ୍‌ଡିଏ କର୍ମକର୍ତ୍ତାମାନେ ଏଥିରେ ହସ୍ତକ୍ଷେପ କରୁଛନ୍ତି। ନିଜ ସମ୍ପର୍କୀୟ ବା କାହା ଠାରୁ ହାତଗୁଞ୍ଜା ନେଇ ସେମାନଙ୍କର ନାମକୁ ଏହି ତାଲିକାରେ ଯୋଡ଼ୁଛନ୍ତି। ଯେଉଁମାନେ ବିରୋଧୀ ବା ସେମାନଙ୍କ ଗୋଷ୍ଠୀରେ ରହୁନାହାନ୍ତି ସେମାନଙ୍କୁ ଏହି ତାଲିକାରୁ କାଟି ଦେଉଛନ୍ତି।

ଠିକାସଂସ୍ଥା ଉପରେ ଚାପ ପକାଇ ଏଭଳି କାର୍ଯ୍ୟ ଚାଲିଥିବା ଜାଣିବା ପରେ ବିଏମ୍‌ସି ୱାର୍ଡ ନମ୍ବର ୬୫ର ସୁଭାଷ ବୋଷ ନଗର ବସ୍ତି ଉନ୍ନୟନ ସଂଘକୁ ନୋଟିସ୍‌ ଦେଇଛି। ବେଆଇନ କାର୍ଯ୍ୟ କରୁଥିବାରୁ ସଂଘ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆନଯିବ ସେ ନେଇ ଉତ୍ତର ତଲବ କରିଛି। ଅତିରିକ୍ତ କମିସନରଙ୍କ ନିକଟରେ ୩ ଦିନ ମଧ୍ୟରେ ଉପଯୁକ୍ତ କାରଣ ଦାଖଲ କରିବାକୁ କୁହାଯାଇଛି। ଦାଖଲ ହୋଇଥିବା କାରଣ ସନ୍ତୋଷଜନକ ନ ହେଲେ ସମ୍ପୃକ୍ତ ଏସ୍‌ଡିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି ଚେତାବନୀ ଦେଇଛି। ବିଏମ୍‌ସିର ଚିଠି ମୁତାବକ, ଓଡ଼ିଶା ଭୂମି ଅଧିକାର ନିୟମ-୨୦୧୭ ଓ ଓଡ଼ିଶା ମୁନିସିପାଲ୍‌ କର୍ପୋରେସନ ସଂଶୋଧନ ଅଧିନିୟମ-୨୦୨୨ ଅନୁଯାୟୀ ଏସ୍‌ଡିଏ ସଭାପତି, ସମ୍ପାଦକ ଓ ସଭ୍ୟମାନଙ୍କୁ ସେମାନଙ୍କର ଅଧିକାର ବା ଦାୟିତ୍ବ ବାବଦରେ ସ୍ପଷ୍ଟ କରାଯାଇଛି। ବସ୍ତିର ଉନ୍ନତି ଓ ଏହାର ବିକାଶ ନିମନ୍ତେ ଏମାନେ କାମ କରିବେ। କୌଣସି ସରକାରୀ ବିଧି ବ୍ୟବସ୍ଥାରେ ହସ୍ତକ୍ଷେପ କରିପାରିବେ ନାହିଁ। କିନ୍ତୁ ଏମାନେ ଜାଗା ମିସନ୍‌ ସର୍ବେକ୍ଷଣରେ ହସ୍ତକ୍ଷେପ କରି ବେଆଇନ କାର୍ଯ୍ୟ କରିଛନ୍ତି। ଏଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କହିଛି।

ତେବେ କେବଳ ଜାଗା ମିସନ ନୁହେଁ, ବିଭିନ୍ନ ଆବାସ ଯୋଜନା ପାଇଁ ହିତାଧିକାରୀ ଚୟନ ତାଲିକାରେ ମଧ୍ୟ ଏଭଳି ହସ୍ତକ୍ଷେପ ହେଉଥିବା ଅଭିଯୋଗ ହୋଇଛି। ରାଜନୈତିକ ଅଭିସନ୍ଧି ରଖି କେତେକ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଉଥିବା ଅଭିଯୋଗ ରହିଛି। କେତେକ ଏହି ଅଭିଯୋଗକୁ ନେଇ କୋର୍ଟ ଯିବାକୁ ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର