ବାପୁ ପଣ୍ଡାଙ୍କ ଗୀତକୁ ନେଇ ବିବାଦ

ଭୁବନେଶ୍ବର: ଅଶ୍ଳୀଳ ଶବ୍ଦ ସମ୍ବଳିତ ଆଲବମ୍ ଗୀତ ‘ପ୍ରେମ ଗୋଟେ କିଳା’ ସୋସିଆଲ ମିଡିଆରେ ଏବେ ‌ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ କଣ୍ଠଶିଳ୍ପୀ ବାପୁ ପଣ୍ଡା ବିବାଦରେ ଛନ୍ଦି ହୋଇଛନ୍ତି। ଏନେଇ ଓଡ଼ିଆ କଳାକାରଙ୍କ ସ୍ବର (ଓକେଏସ୍) ସଂଗଠନ ପକ୍ଷରୁ ଭୁବନେଶ୍ବର ଡିସିପିଙ୍କ ନିକଟରେ ଅଭିଯୋଗ କରାଯାଇଛି। ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ମୁତାବକ, ବାଲେଶ୍ବରର ବାପୁ ପଣ୍ଡା ଏହି ଗୀତ ଗାଇଛନ୍ତି। ଯାହା ଅତି କଦର୍ଯ୍ୟ ଶବ୍ଦରେ ଭରି ରହିଛି। ସଂଗୀତ ନିର୍ଦ୍ଦେଶକ ଗୋପୀନାଥ ପାଣିଗ୍ରାହୀଙ୍କ ନିର୍ଦ୍ଦେଶନାରେ ତାଙ୍କ ଷ୍ଟୁଡିଓରେ ଏହି ଗୀତ ରେକଡିଂ ହୋଇଛି। ଉକ୍ତ ଗୀତରେ ବ୍ୟବହୃତ କିଛି ଶବ୍ଦ ଅତ୍ୟନ୍ତ ଅଶ୍ଳୀଳ, ଅସାମ୍ବାଧାନିକ ତଥା ଭଦ୍ର ସମାଜରେ ଗ୍ରହଣୀୟ ନୁହେଁ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଉକ୍ତ ଗୀତଟି କୋମଳମତି ପିଲାମାନଙ୍କ ଉପରେ କୁପ୍ରଭାବ ପକାଉଛି। ସମାଜ ପ୍ରତି ଏହି ଗୀତ ଖରାପ ପ୍ରଭାବ ପକାଉଛି ବୋଲି ସଂଗଠନ ଅଭିଯୋଗ କରି ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଡିସିପିଙ୍କ ନିକଟରେ ଫେରାଦ ହୋଇଛି।

ସମ୍ବନ୍ଧିତ ଖବର