ଜଟଣୀ: ରଥିପୁରରେ କୁଦିଆରୀ ଆର୍‌ଆଇ କାର୍ଯ୍ୟାଳୟ ଗୃହ ନିର୍ମାଣକୁ ନେଇ ବିବାଦ କମିବାର ନାଁ ଧରୁନି। ଗୋଟିଏ ପଟେ କୁଦିଆରୀରେ ଆର୍‌ଆଇ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଥିବା ବେଳେ ଅନ୍ୟପଟେ ରଥିପୁର ମୌଜାବାସୀ ମଧ୍ୟ ଜିଦ୍‌ରେ ଅଟଳ ରହିଛନ୍ତି। ତେବେ ତହସିଲ୍‌ ପ୍ରଶାସନର ଖାମଖିଆଲ ନୀତି ପାଇଁ ଏତେ ବଡ଼ ସମସ୍ୟା ମୁଣ୍ଡ ଟେକିଛି ବୋଲି ଉଭୟ ଗୋଷ୍ଠୀ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସୋମବାର ରଥିପୁର ମୌଜାର କିଛି ଗ୍ରାମବାସୀ ତହସିଲ୍ କାର୍ଯ୍ୟାଳୟରେ ହୋ ହାଲ୍ଲା କରୁଥିବା ଦେଖିବାକୁ ମିଳିଛି।
ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତହସିଲଦାର ରଥିପୁରରେ ନିର୍ମାଣ ହେଉଥିବା ଗୃହ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଇ ସାରିଲାଣି। କାମ ନେଇଥିବା ସଂସ୍ଥା ୮ଲକ୍ଷ ଟଙ୍କାର ରନିଂ ବିଲ ଉଠାଇ ସାରିଥିବା ରଥିପୁର ମୌଜାର ପଦ୍ମଚରଣ ସୁବୁଦ୍ଧି କହିଛନ୍ତି। ଯଦି କାର୍ଯ୍ୟାଳୟ ଏଠାରୁ ଉଠିଯାଏ ତାହେଲେ ୧୦ ଲକ୍ଷ ଟଙ୍କାର କ୍ଷତି ହେବ। ତେଣୁ ଏହି ଟଙ୍କା କିଏ ଭରଣା କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ କୁଦିଆରୀ ଦଶଦୋଳ ମେଳଣ କମିଟି ପକ୍ଷରୁ କୁହାଯାଇଛି ଯେ ଆର୍‌ଆଇ କାର୍ଯ୍ୟାଳୟ ରଥିପୁରରେ ନିର୍ମାଣ କରିବାକୁ ଏନ୍‌ଓସି ଦିଆଯାଇ ନାହିଁ। କାହା ଅନୁମତିରେ ସେଠାରେ ନିର୍ମାଣ ଆରମ୍ଭ କରାଗଲା ବୋଲି ପ୍ରଶ୍ନ କରାଯାଇଛି। ଏହି ବିବାଦ ଉପରେ ପୌରାଧ୍ୟକ୍ଷ ଅନନ୍ତ ବେହେରା କହିଛନ୍ତି, ଗାଁ ଗାଁ ଭିତରେ ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରାଯାଉଛି। ଦୁଇଟି ଗାଁ ମୁହାମୁହିଁ ପରିସ୍ଥିତିକୁ ଉଠିଲେଣି। ଯଦି ୨୨ତାରିଖ ସୁଦ୍ଧା ଆର୍‌ଆଇ ଅଫିସ୍ କୁଦିଆରୀରେ ନ ହୁଏ ତାହେଲେ ରାସ୍ତାରୋକ କରିବୁ। ସେଥିରେ ସଫଳ ନହେଲେ ଅନଶନ ଓ ପରେ ଆତ୍ମାହୂତି ଦେବାକୁ ପଛାଇବି ନାହିଁ। ଯଦି କିଛି ଅଘଟଣ ଘଟେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ।