ଭୁବନେଶ୍ବର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍କୁ ରାଜ୍ୟ ପରିବହନ କର୍ତୃପକ୍ଷ ବାଧ୍ୟତାମୂଳକ କରିବା ପରେ ଏବେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏହି ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ରାଜ୍ୟରେ ୪ଟି ସ୍ବୀକୃତିପ୍ରାପ୍ତ ସଂସ୍ଥାକୁ ଅନୁମତି ମିଳିଛି। ହେଲେ ପୂର୍ବରୁ ରାଜ୍ୟରେ ଥିବା ହଜାର ହଜାର ନମ୍ବର ପ୍ଲେଟ୍ ଆର୍ଟିଷ୍ଟଙ୍କ ଦୋକାନରେ ତାଲା ପଡ଼ିଛି। ଯାହାକୁ ନେଇ ଆଜି ଓଡ଼ିଶା ନମ୍ବର ପ୍ଲେଟ୍ ଆଣ୍ଡ ଷ୍ଟିକରିଂ ଆର୍ଟିଷ୍ଟ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି। ୨୦ହଜାର ପରିବାର ଏବେ ଚିନ୍ତାଘେରକୁ ଚାଲିଆସିଛନ୍ତି। ସରକାର ଏହି ନିୟମକୁ ତୁରନ୍ତ ବଦଳାଇ ନମ୍ବର ପ୍ଲେଟ୍ ଆର୍ଟିଷ୍ଟଙ୍କୁ ସୁଯୋଗ ଦେବାକୁ ସଂଘ ଦାବି କରିଛି। ନଚେତ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।
ସଂଘ ପକ୍ଷରୁ କୁହାଯାଇଛି ଯେ ନୂଆ ପରିବହନ ନୀତି ବ୍ୟବହାର ଫଳରେ ସେମାନଙ୍କ ହାତରୁ ରୋଜଗାରକୁ ଛଡ଼ାଇ ନିଆଯାଇଛି। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମକରି ରୋଜଗାର କରୁଥିବା ରାଜ୍ୟର୨୦ ହଜାରରୁ ଊର୍ଧ୍ବ ନମ୍ବରପ୍ଲେଟ ଆର୍ଟିଷ୍ଟ ବେକାର ହୋଇଯାଇଛନ୍ତି। ଅଥଚ ସେମାନଙ୍କ ଜୀବନ ଜୀବିକାର ସୁରକ୍ଷା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ସବୁଠୁ ସାଂଘାତିକ କଥା ହେଲା ଯେ, ଗାଡ଼ିରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟଗୁଡ଼ିକ ଅତ୍ୟନ୍ତ ନିମ୍ନମାନର। ସାମାନ୍ୟ କିରାସିନି ଓ ପେଟ୍ରୋଲ ବ୍ୟବହାର କରି ନମ୍ବର ପ୍ଲେଟରେ ଦିଆଯାଇଥିବା ବାରକୋଡ ଏବଂ ଚିପ୍କୁ ଲିଭାଇଦିଆଯାଇ ପାରୁଛି। ସଂଘ ଯାହାର ଡେମୋ ମଧ୍ୟ କରି ଦେଖାଇଥିଲା। ହାଇ ସିକ୍ୟୁରିଟି ନାମରେ ଜନସାଧାରଣଙ୍କୁ ଭୁଆଁ ବୁଲାଇ ଲୁଟ୍ କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।
ପେଟ୍ରୋଲ୍ ଓ କିରାସିନିରେ ଲିଭିଯାଉଛି!
ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ
ସରକାରଙ୍କ ଝିଣ୍ଟିକା ମାରି ବଣିପୋଷା: ସମାଜବାଦୀ ପାର୍ଟି
ନମ୍ବର ପ୍ଲେଟକୁ ଠିକାକାରଦଙ୍କ ମାଧ୍ୟମରେ ନ କରାଇ ରାଜ୍ୟର ସମସ୍ତ ନମ୍ବର ପ୍ଲେଟ ଆର୍ଟିଷ୍ଟ କିପରି ଏହି କାମ ପାଇବେ ସେ ବ୍ୟବସ୍ଥା କରିବା ପାଇଁ ସରକାର ଓ ପରିବହନ ବିଭାଗ ନିକଟରେ ଦାବି କରାଯାଇଛି। ଯଦି ସରକାର ଏହି ଦାବି ପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ ୨୦ ହଜାରରୁ ଊର୍ଧ୍ବ ନମ୍ବର ପ୍ଲେଟ ଆର୍ଟିଷ୍ଟ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସଂଘ ସଭାପତି ରଣଜିତ ସିଂହ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗଙ୍ଗାଧର ଡାକୁଆ, ଶିବଶଙ୍କର ଡାକୁଆ, କୃଷ୍ଣଚନ୍ଦ୍ର ସାହୁ, ଆଦିତ୍ୟ ଲେଙ୍କା, ନାରାୟଣ ଚନ୍ଦ୍ର ଓଝା ଓ ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ସରକାରଙ୍କ ଏହି ନୀତିକୁ ସମାଜବାଦୀ ପାର୍ଟି ବିରୋଧ କରିଛି। ସରକାରଙ୍କ ଏହା ଝିଣ୍ଟିକା ମାରି ବଣି ପୋଷା ନୀତି ବୋଲି ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ ବିବୃତିରେ କହିଛନ୍ତି।