କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ସ୍ବାଗତକୁ ନେଇ ବିବାଦ

ଭୁବନେଶ୍ବର: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତ କରିଥିଲେ। ହେଲେ ଅମିତ ଶାହଙ୍କୁ ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଠିକ୍ ଭାବେ ସ୍ବାଗତ କରାଯାଇନି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି, ସ୍ବରାଷ୍ଟ୍ର ମନ୍ତ୍ରୀ ଗତକାଲି ରାତିରେ ଭୁବନେଶ୍ବରରେ ପହଞ୍ଚିଲେ। ବହୁ ସଂଖ୍ୟାରେ ଲୋକ ବିମାନବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ। କିନ୍ତୁ ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ କିମ୍ବା ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ/ପ୍ରମୁଖ ଶାସନ ସଚିବ କିମ୍ବା ପୁଲିସ ମହାନିର୍ଦ୍ଦେଶକ କେହି ବିମାନବନ୍ଦରରେ ଉପସ୍ଥିତ ନଥିଲେ। ରାଜ୍ୟ ସରକାରଙ୍କର ଏପରି ଖାମଖିଆଲ ବ୍ୟବହାର ଆଶ୍ଚର୍ଯ୍ୟଜନକ। ଏପରି ଘଟଣା ଭବିଷ୍ୟତରେ ଯେପରି ପୁନରାବୃତ୍ତି ନହେବ, ସେଥିପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।

ସାଂସଦଙ୍କୁ ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି, ସାଂସଦ ଅପରାଜିତା ଷଡ଼ଙ୍ଗୀ ବିବାଦ ସୃଷ୍ଟି କରି କେବଳ ମିଡିଆ ଫୋକସ୍‌ରେ ରହିବାକୁ ଓ ନିଜର ପ୍ରାସଙ୍ଗିକତା ରଖିବାକୁ ଚାହୁଁଛନ୍ତି। ବ୍ୟବସ୍ଥା ଅନୁଯାୟୀ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଆବଶ୍ୟକ ପ୍ରୋଟୋକଲ୍ ଯୋଗାଇ ଦିଆଯାଇଥିବା କଥା ସେ ଜାଣିଛନ୍ତି। ରାଜ୍ୟ ସରକାର ସ୍ବରାଷ୍ଟ୍ର ମନ୍ତ୍ରୀକୁ ଉଚ୍ଚ ସମ୍ମାନ ଦେଇଛନ୍ତି। ଅନ୍ୟ କିଛି ପ୍ରସଙ୍ଗରେ ସାଂସଦଙ୍କର ଥିବା ହତାଶବୋଧର ଏହା ପ୍ରତିଫଳନ କି?

ସମୀର ମହାନ୍ତିଙ୍କ ଘରେ ଜଳପାନ

ଶ୍ରୀଲିଙ୍ଗରାଜ ମନ୍ଦିରରୁ ବାହାରି ମନ୍ତ୍ରୀ ଶ୍ରୀ ଶାହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବାସଭବନକୁ ଯାଇଥିଲେ। ସଭାପତି ଶ୍ରୀ ମହାନ୍ତିଙ୍କ ପରିବାର ପକ୍ଷରୁ ତାଙ୍କୁ ପ୍ରସିଦ୍ଧ କୋରାଖଇ, ପଟ୍ଟଚିତ୍ର ଓ ଉତ୍ତରୀୟ ଦେଇ ପାରମ୍ପରିକ ରୀତିରେ ସ୍ବାଗତ କରାଯାଇଥିଲା। ସେଠାରେ ତାଙ୍କୁ ଜଳପାନରେ ଚକୁଳି, ଘୁଗୁନି, ଡାଲମା ଓ ଉପମା ଆଦି ପରସା ଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଏହି ଅବସରରେ ଶ୍ରୀ ମହାନ୍ତିଙ୍କ ଆତିଥେୟତା ଗ୍ରହଣ କରିଥିଲେ। ଶ୍ରୀ ମହାନ୍ତିଙ୍କ ପତ୍ନୀ ଓ ଝିଆରୀ ନିଜ ହାତରେ ଜଳଖିଆ ତିଆରି କରିଥିଲେ।

ସମ୍ବନ୍ଧିତ ଖବର