ବଢ଼ୁଛି ବୟନିକା-ଓଡ଼ିଶା ବୁଣାକାର ମହାସଂଘର ବିବାଦ

ମୁଖ୍ୟମନ୍ତ୍ରୀଙ୍କ ୧୫ କୋଟିର ଅନୁଦାନ ଖର୍ଚ୍ଚ ସାର୍ବଜନୀନ ପାଇଁ ଦାବି
ନିର୍ଦ୍ଦେଶକଙ୍କ ଜବାବ: ସଟ୍‌ଡାଉନରେ ବି ବୁଣାକାରଙ୍କ ସହ ରହିଛି ବୟନିକା

ଭୁବନେଶ୍ବର : ମୁହାଁମୁହିଁ ହୋଇଛନ୍ତି ବୟନିକା ଏବଂ ଓଡ଼ିଶା ବୁଣାକାର ମହାସଂଘ। ଲୁଗା କିଣା କ୍ଷେତ୍ରରେ ବୟନିକା ପକ୍ଷପାତ କରୁଥିବା ନେଇ ଅଭିଯୋଗ କରିବା ସହିତ ଏଥିପାଇଁ ଜିଏମ୍‌ଙ୍କ ସମେତ ୩ଜଣ ଅଧିକାରୀଙ୍କୁ ସିଧାସଳଖ ଦାୟୀ କରିଛି ସଂଘ। କରୋନା ବିପଦରୁ ରକ୍ଷା ପାଇଁ ବୟନିକା ମାଧ୍ୟମରେ ବୁଣାକାରମାନଙ୍କୁ ଲୁଗା କିଣିବା ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ୧୫ କୋଟି ଟଙ୍କା କେଉଁ ଉଦ୍ଦେଶ୍ୟରେ ଖର୍ଚ୍ଚ ହୋଇଛି, ତାକୁ ସାର୍ବଜନୀନ କରିବା ପାଇଁ ଦାବି କରିଛି ଓଡ଼ିଶା ବୁଣାକାର ମହାସଂଘ। ଅନ୍ୟପକ୍ଷରେ ବୟନିକା ନିର୍ଦ୍ଦେଶକ ଜ୍ୟୋତିପ୍ରକାଶ ଦାସ କହିଛନ୍ତି, ଅଭିଯୋଗକୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ମିଳିଥିବା ରିପୋର୍ଟରେ ଲୁଗା କ୍ରୟରେ କୌଣସି ପ୍ରକାର ପକ୍ଷପାତ ହୋଇନାହିଁ, ବରଂ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏହି ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, ସଟ୍‌ଡାଉନ ସମୟରେ ବୟନିକା ପକ୍ଷରୁ ଅଗ୍ରିମ ଆକାରରେ ଟଙ୍କା ଦିଆଯାଇ ବୁଣାକାରମାନଙ୍କଠାରୁ ପୋଷାକ କ୍ରୟ କରାଯାଇଛି। ସାଧାରଣ ସମୟରେ ବୟନିକା ୭ କୋଟି ଟଙ୍କାର ଉତ୍ପାଦ କ୍ରୟ କରେ କିନ୍ତୁ କୋଭିଡ୍‌ ସମୟରେ ୧୫ କୋଟି କ୍ରୟ କରିଛି।

ବୁଣାକାର ମହାସଂଘର ଅଭିଯୋଗ ଅନୁଯାୟୀ, ବରଗଡ଼ ଜିଲ୍ଲାର ଜାତୀୟ ପୁରସ୍କାରପ୍ରାପ୍ତ ବୟନଶିଳ୍ପୀ ସୁକାନ୍ତି ମେହେର ୨୦୨୦ ଏପ୍ରିଲଠାରୁ ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରାୟ ବର୍ଷକ ମଧ୍ୟରେ ଅନେକଥର ନିଜ ଲୁଗା ବିକ୍ରି ପାଇଁ ବୟନିକାକୁ ଆସିଥିଲେ। ମାତ୍ର ତାଙ୍କଠାରୁ ଗୋଟିଏ ଖଣ୍ଡ ମଧ୍ୟ ଲୁଗା କ୍ରୟ କରାଗଲା ନାହିଁ। କିନ୍ତୁ ସେହି ଜିଲ୍ଲାର ଭଲ ସମ୍ପର୍କ ଥିବା ବ୍ୟକ୍ତିମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ପୋଷାକ କ୍ରୟ କରାଯାଇଛି। ଦ୍ବିତୀୟରେ ଯାଜପୁର ଜିଲ୍ଲାର ଟସର ବସ୍ତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିବା ଗୋପାଳପୁରର ଜୟଜଗନ୍ନାଥ ତନ୍ତୁବାୟ ସହଯୋଗ ସମିତିର ସମ୍ପାଦକ ମକରଧ୍ବଜ ଗୁଇଁ କହିଛନ୍ତି, ପ୍ରଥମେ ୫ଲକ୍ଷ ଏବଂ ପରେ ୨୦ଲକ୍ଷ ଟଙ୍କା ପୋଷାକ କ୍ରୟ କରିବା ପାଇଁ କହି ଫେରାଇ ଦେଲା ବୟନିକା। ଏଥିଯୋଗୁଁ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି। ଅନେକ ସମବାୟ ସମିତିଙ୍କ ସହିତ ବୟନିକା ବର୍ତ୍ତମାନ ଏହିଭଳି ବ୍ୟବହାର କରୁଛି।

ମାତ୍ର ଏ ସଂକ୍ରାନ୍ତରେ ପଚାରିଲେ ଲୁଗା କିଣା ଦାୟିତ୍ବରେ ଥିବା ଅଧିକାରୀମାନେ କହୁଛନ୍ତି, ସେମାନେ ତାଙ୍କ ଇଚ୍ଛାରେ ଯାହାଠାରୁ ଲୁଗା କ୍ରୟ କରିପାରିବେ। ଏହାକୁ ନେଇ ପଚାରିବାର କାହାର ଅଧିକାର ନାହିଁ। ଏ ହେଲା ବୟନିକାର ପକ୍ଷପାତିତାର ଚିତ୍ର। ଲୁଗା କିଣିବା ପାଇଁ ମୁଖ୍ୟମନ୍ତ୍ରୀ ୧୫ କୋଟି ଟଙ୍କା ଦେଇଥିବା ସତ୍ତ୍ବେ ବର୍ତ୍ତମାନ ମଧ୍ୟ କଟକ ଜିଲ୍ଲା ନୂଆପାଟଣାର ଖଣ୍ଡୁଆ ଶାଢ଼ି, ମାଣିଆବନ୍ଧ ଶାଢ଼ି, ସୋନପୁର ପାଟ, କଟନ ବମକେଇ, ଗଞ୍ଜାମର ସିଲ୍‌କ, ପିତଳର କଟନ ଶାଢ଼ି, ସମ୍ବଲପୁରୀ ବସ୍ତ୍ରଠାରୁ ଆରମ୍ଭ କରି ଗୋପାଳପୁର ଟସର ବସ୍ତ୍ର, କୋରାପୁଟ କୋଟପାଡ଼ର ଟ୍ରାଇବାଲ ପ୍ରଡକ୍ଟ, ଖୋର୍ଧା ଜିଲ୍ଲାର ଲୁଙ୍ଗି, ଗାମୁଛା ସବୁଠି ଅଭାବୀ ବିକ୍ରିର ଚିତ୍ର। ମାତ୍ର ବୟନିକା କର୍ତ୍ତୃପକ୍ଷ ଏହାକୁ ନେଇ ଯେଉଁଭଳି ତତ୍ପରତା ପ୍ରକାଶ କରିବା କଥା, ତାହା କରୁନଥିବା ଅଭିଯୋଗ ହୋଇଛି। ବୟନିକାର ଏହି ଅନିୟମିତତା ନେଇ ବିଭାଗୀୟ ସଚିବ, ନିର୍ଦ୍ଦେଶକଙ୍କୁ ଜଣାଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରାଯାଉନାହିଁ।

ସଂଘ ଅଭିଯୋଗ କରିଛି ଯେ ବୟନିକାର ମୁଖ୍ୟ ଦାୟିତ୍ବରେ ହସ୍ତତନ୍ତ ବୈଷୟିକ ତାଲିମପ୍ରାପ୍ତ ବ୍ୟକ୍ତି ରହିବା କଥା। ମାତ୍ର ଏଠାରେ ଜଣେ ଓଆର୍‌ଏସ୍‌ ଅଧିକାରୀଙ୍କୁ ଜିଏମ୍‌ ଭାବେ ନିଯୁକ୍ତି ଦିଆଯିବା ନେଇ ପ୍ରଶ୍ନ କରାଯାଇଛି। ଯିଏକି ସୂତା, ରଙ୍ଗ, ବାନ୍ଧ ଡିଜାଇନ ସମ୍ପର୍କରେ ଅବଗତ ନାହାନ୍ତି। ଏଥିଯୋଗୁଁ ବୟନିକାର ଗୁଣ, ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଠାରେ ଆଉ ଜଣେ କର୍ମଚାରୀଙ୍କ ଅଭିଜ୍ଞତାକୁ ପ୍ରଶ୍ନ କରାଯାଇ କାହିଁକି ତାଙ୍କୁ ୭୦ ହଜାର ଟଙ୍କା ଦିଆଯାଉଛି ବୋଲି ମଧ୍ୟ ସଂଘ କହିଛି। ବୟନିକା ଲୁଗା ନ କିଣିବା ଯୋଗୁଁ ବର୍ତ୍ତମାନ ରାଜ୍ୟର ପ୍ରାଥମିକ ସମିତିମାନେ ଗ୍ରାମାଞ୍ଚଳର ବୁଣାକାରମାନଙ୍କୁ ଠିକ୍‌ ଭାବେ କାମ ଯୋଗାଇ ପାରୁନାହାନ୍ତି। ଏପରିକି ସେମାନଙ୍କ ପାଖରେ ମଜୁରି ଦେବା ପାଇଁ ମଧ୍ୟ ଟଙ୍କା ନାହିଁ। ବିଭାଗୀୟ ଅଧିକାରୀଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁଁ ଲକ୍ଷାଧିକ ଟଙ୍କା ପଡ଼ି ରହିଛି। ଏଣେ ବୁଣାକାର ଭୋକରେ ରହୁଛି ବୋଲି ସଂଘ କହିଛି।

ସମ୍ବନ୍ଧିତ ଖବର