ଖଣ୍ଡଗିରି: ଡୁମୁଡୁମା ୪ର୍ଥ ଫେଜ୍ ହାଉସିଂବୋର୍ଡ କଲୋନିରେ ଥିବା ଏକ ଜମିକୁ ନେଇ ଟଣାଓଟରା ଚାଲିଛି। ଜମିଟି ବିଏମ୍‌ସିର ୬୫ ନମ୍ବର ୱାର୍ଡରେ ଥିବା ସ୍ଥାନୀୟ ଲୋକେ କହୁଥିବା ବେଳେ ଏହା ୬୪ ନମ୍ବର ୱାର୍ଡର ଦର୍ଶାଇ ବିଏମ୍‌ସି ୱାର୍ଡ ଅଫିସ୍ ନିର୍ମାଣ କରିବାକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଛି। ବିବାଦ ବଢ଼ିବାରୁ ଡୁମୁଡୁମା ହାଉସିଂ ବୋର୍ଡ ଉନ୍ନୟନ କମିଟି ପ୍ରଶାସନର ସହାୟତା ଲୋଡ଼ିଛି। ୱାର୍ଡ ଅଫିସ ବଦଳରେ ଏଠାରେ ହାଉସିଂ ବୋର୍ଡ କଲୋନିବାସୀଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଇବାକୁ କମିଟି ପତ୍ର ଲେଖିଛି।

Advertisment

ହାଉସିଂବୋର୍ଡ କଲୋନୀବାସୀଙ୍କ କହିବା କଥା ହେଉଛି ଯେ ୧୯୯୭ ମସିହାରେ ଏଠାରେ ହାଉସିଂ ବୋର୍ଡ ପକ୍ଷରୁ ଘର ଆବଣ୍ଟନ କରାଯାଇଥିଲା। ଆଇନ ଅନୂଯାୟୀ ବିଦ୍ୟାଳୟ, ଚିକିତ୍ସାଳୟ, କମ୍ୟୁନିଟି ହଲ୍, ରିକ୍ରିଏସନ କ୍ଲବ୍, ପାଠାଗାର, ଖେଳ ପଡିଆ, ପାର୍କ ଇତ୍ୟାଦି କରିବା ପାଇଁ ହାଉସିଂ ବୋର୍ଡ ଯଥେଷ୍ଟ ଖାଲି ଜାଗା ଛାଡିଥିଲା। ସେହି ଜାଗାଗୁଡ଼ିକ କାଳେ ଜବରଦଖଲ ହେଇଯିବ, ସେଥିପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ହାଉସିଂ ବୋର୍ଡ ୨୦୦୬ ଜୁଲାଇ ୨୪ରେ ବିଏମ୍‌ସିକୁ ଚିଠି ଲେଖିଥିଲା। ପ୍ଲଟ ନମ୍ୱର୍-୭୪୨(ପାର୍ଟ)ରେ ଏକ କମ୍ୟୁନିଟି ହଲ ନିର୍ମାଣ କରିବା ପାଇଁ କମିଟି ୨୦୧୪ରେ ତତ୍‌କାଳୀନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଅନୁରୋଧ କରିଥିଲା। ମେୟର ଶ୍ରୀ ଜେନା ଘଟଣାସ୍ଥଳ ପରିଦର୍ଶନ କରି ପ୍ରଥମ ପଦକ୍ଷେପ ସ୍ବରୂପ ଜମିକୁ ଜବରଦଖଲରୁ ରକ୍ଷା କରିବା ପାଇଁ ପାଚେରି ନିର୍ମାଣ କରାଇଥିଲେ। ଏହାପରେ ପୌର ନିର୍ବାଚନ ବିଳମ୍ବ ହେବା ଓ କରୋନା ଯୋଗୁଁ କିଛି ନିର୍ମାଣ ହୋଇପାରିନଥିଲା। ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ କମିଟି ଜଣାଇବା ପରେ ସେଠାରେ କଲ୍ୟାଣ ମଣ୍ଡପ କରିବାକୁ ସେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀଙ୍କୁ ଦାବି ବାବଦରେ ସୁପାରିସ କରିଥିଲେ। କିନ୍ତୁ ଇତିମଧ୍ୟରେ ଏହି ଜାଗା(ପ୍ଲଟ୍‌ ନଂ ୭୪୨)କୁ କିଛି ଲୋକ ଅକ୍ତିଆର କରି ନେଇଥିଲେ।

ଏ ସବୁ ଜାଣିବା ପରେ ବି ଏଠାରେ ୬୪ ନମ୍ବର ୱାର୍ଡ ଅଫିସ୍ ନିର୍ମାଣ କରିବାକୁ ଯୋଜନା ହୋଇଥିଲା। ଗୃହ ଓ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ଏହି ଜାଗା ୬୫ ନମ୍ବର ୱାର୍ଡରେ ହୋଇଥିଲେ ମଧ୍ୟ ୬୪ ନମ୍ବର ୱାର୍ଡ କର୍ପୋରେଟର ଏଠାରେ ୱାର୍ଡ ଅଫିସ କରିବାକୁ ବିଏମ୍‌ସିରେ ଚାପ ପକାଇବା ସହ ଶୁଭ ଦେବା ବ୍ୟବଦସ୍ଥା କରିଥିବା କମିଟି ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଉନ୍ନୟନ କମିଟି ସଭାପତି ବିଜୟ ଚନ୍ଦ୍ର ସାହୁ ଓ ସମ୍ପାଦକ କପିଳେନ୍ଦ୍ର ନାୟକଙ୍କ କହିବା କଥା ହେଉଛି, ଏହା ଅତ୍ୟନ୍ତ ଦୁଃଖଦାୟକ। ଏ ନେଇ ବିଏମ୍ସି କମିସନର ଓ ମେୟରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନ କରିବାରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କୁ ଜଣାଇଛୁ। ଏହି ବିବାଦ ଉପରେ ଦୃଷ୍ଟି ଦେବାକୁ ସମ୍ପୃକ୍ତ ବିଭାଗ ବିଏମ୍‌ସି କମିସନରଙ୍କୁ ଚିଠି ଲେଖିଛି। ତଥାପି ବିଏମ୍‌ସି କମ୍ୟୁନିଟି ହଲ୍ ନ କରି ୱାର୍ଡ ଅଫିସ କରିବାକୁ ଜିଦି ଧରିଛି ତାହା ବୁଝା ପଡ଼ୁ ନାହିଁ। ତୁରନ୍ତ ଏହି ଜାଗାରେ ଏକ କମ୍ୟୁନିଟି ହଲ ନିର୍ମାଣ କରାଯାଉ ବୋଲି ସେମାନେ କହିଛନ୍ତି। ଏନେଇ ୬୪ ନମ୍ବର ୱାର୍ଡ କର୍ପୋରେଟର ସକିବା ମୁଶାରତଙ୍କ କହିବା କଥା, ବିଏମ୍‌ସି ଯେଉଁ ସ୍ଥାନର ମ୍ୟାପ୍‌ ଦେଇଛି ସେହି ଆଧାରରେ କାମ ହେଉଛି। ମ୍ୟାପ୍‌ରେ ଥିବା ଜାଗାଟି ୬୪ ନମ୍ବର ୱାର୍ଡ ଅଧୀନରେ ରହିଛି। ଏଥିରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ।