ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ରାରୋପଣ ବା ପଇତା ଲାଗି ନୀତି କିଏ କରିବେ? ବଡୁ ନିଯୋଗ ନା ପୂଜାପଣ୍ଡା ? ଦୁଇ ନିଯୋଗ ଭିତରେ ଲାଗି ରହିଥିବା ଏହି ବିବାଦ ପାଇଁ ଗତକାଲି ସନ୍ଧ୍ୟା ଧୂପ ପରଠାରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକୁ ବନ୍ଦ କରି ଦିଆଯାଇଛି। ଆଜି ପଇତା ଲାଗି ବିଧି ଥିବାବେଳେ ସେବାୟତମାନେ ପଇତା ତ ଲାଗି କଲେ ନାହିଁ, ଓଲଟା ନୀତି ବନ୍ଦ କରି ଦିନ ସାରା ପ୍ରଭୁଙ୍କୁ ଖାଡ଼ା ଉପବାସରେ ରଖିଲେ। ଯାହାକୁ ନେଇ ଭକ୍ତଙ୍କ ଭିତରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ଆଜି ସକାଳୁ ମନ୍ଦିର ଖୋଲିଥିଲା। ହେଲେ ସେବାୟତମାନେ ଠାକୁରଙ୍କ କୌଣସି ନୀତି କରିନଥିଲେ। ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ଯୋଗୁଁ ଭୁବନେଶ୍ବରୀଙ୍କ ନୀତି ଓ ଧୂପ ହୋଇ ନଥିଲା। ଏଥିସହ ଅନ୍ୟ ଦେବଦେବୀଙ୍କ ମଧ୍ୟ ପୂଜାର୍ଚ୍ଚନା ହୋଇନଥିଲା। ଅନେକ ଭକ୍ତ ସେବାୟତଙ୍କୁ ନିନ୍ଦା କରି ସାମାଜିକ ଗଣମାଧ୍ୟମରେ ପ୍ରତିବାଦ କରିଛନ୍ତି।
ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ହୋଇଥିଲେ ହେଁ ସରକାର, ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ କାହିଁକି ସେବାୟତଙ୍କ ମନମାନିକୁ ବନ୍ଦ କରି ପାରୁନାହାନ୍ତି ବୋଲି ଭକ୍ତମାନେ ପ୍ରଶ୍ନ କରିଛନ୍ତି। ସରକାର ତୁରନ୍ତ ବଡ଼ ପଦକ୍ଷେପ ନେବାକୁ ଭକ୍ତମାନେ ଦାବି କରିଛନ୍ତି। ଏନେଇ ଭୁବନେଶ୍ବର ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ମାମଲା କୋର୍ଟରେ ବିଚାରଧୀନ ଥିବାରୁ ସେବାୟତମାନେ ନିଜ ଭିତରେ ସମନ୍ବୟ ରକ୍ଷା କରି ନୀତି କରିବା ପାଇଁ ନିବେଦନ କରାଯାଇଥିଲା। ହେଲେ ଦୁଇ ସେବାୟତ ନିଜ ଜିଦ୍ରେ ରହିବାରୁ ଆଜି ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଲା। ଏନେଇ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯିବ। ଅନ୍ୟପଟେ ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ନାରାୟଣ ପତି କ୍ଷୋଭର ସହ କହିଛନ୍ତି ଗତକାଲି ସନ୍ଧ୍ୟାରେ ଅଧିବାସ ପୂଜା କରାଗଲା ନାହିଁ। ତେଣୁ ଏହାପରେ ସମସ୍ତ ପୂଜା ଆପେ ଆପେ ବନ୍ଦ ହୋଇଗଲା। ପ୍ରତି ଚତୁର୍ଦଶୀରେ ବର୍ଷକୁ ୨୪ ଥର ମନ୍ଦିରକୁ ମହାଦୀପ ଉଠିଥାଏ। କିନ୍ତୁ ଏହି ବିବାଦ କାରଣ ପାଇଁ ୨୦୨୦ରୁ ବର୍ଷକୁ ୨୩ ଥର ମହାଦୀପ ଉଠୁଛି। ନିଯୋଗ ମଧ୍ୟରେ ଥିବା ବିବାଦ ତୁରନ୍ତ କିଭଳି ସମାଧାନ ହେବ ଏଥିପ୍ରତି ମନ୍ଦିର ପ୍ରଶାସନ ଦୃଷ୍ଟି ଦେଉ।