ଖଣ୍ଡଗିରି: ଡୁମୁଡୁମାସ୍ଥିତ ମହିଳା ଭେଣ୍ଡିଂ ଜୋନ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କସ୍ମୋପୋଲିସ୍ର କ୍ଷତିଗ୍ରସ୍ତ ଦୋକାନୀମାନଙ୍କ ପରେ କର୍ପୋରେଟରମାନେ ମଧ୍ୟ ଏହାକୁ ନେଇ ପ୍ରଶ୍ନ କରିଛନ୍ତି। ଏପରିକି ଖୋଦ୍ ବିଜେଡି ଦଳର କର୍ପୋରେଟର ମଧ୍ୟ ବିଏମ୍ସିକୁ ଘେରିଛନ୍ତି। ୱାର୍ଡ ନମ୍ବର ୩୪ର କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ ଏବଂ ୱାର୍ଡ ନମ୍ବର ୬୫ର କର୍ପୋରେଟର ରଶ୍ମିରଞ୍ଜନ ପାଟସାହାଣୀ କହିଛନ୍ତି ଯେ ସେମାନଙ୍କୁ ନ ଜଣାଇ ମହିଳା ଭେଣ୍ଡିଂ ଜୋନ୍ରେ ଏସ୍ଏଚ୍ଜିମାନଙ୍କୁ ଦୋକାନ ଆବଣ୍ଟିତ ହୋଇଛି। ଏଭଳି ଆବଣ୍ଟନ ପୂର୍ବରୁ ସେମାନଙ୍କୁ ପଚାରିବା ଉଚିତ ନଥିଲା କି ବୋଲି ଉଭୟ କହିଛନ୍ତି। ରଶ୍ମିରଞ୍ଜନଙ୍କ ନିଜ ୱାର୍ଡରେ ଭେଣ୍ଡିଂ ଜୋନ୍ ସ୍ଥାପନ ହୋଇଥିଲେ ମଧ୍ୟ କାହାକୁ ଦୋକାନ ଦିଆଗଲା ସେ ଜାଣିପାରିନଥିବା କହିଛନ୍ତି।
ଏହାକୁ ନେଇ ବିଏମ୍ସି କହିଛି, ଏହି ଭେଣ୍ଡିଂ ଜୋନ୍ର ୪୦ କିଓସ୍କୋ ମଧ୍ୟରୁ ୩୦ଟି ଏସ୍ଏଚ୍ଜିମାନଙ୍କୁ ଦେବା ପାଇଁ ମେୟରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ବାକି ୧୦ଟି କିଓସ୍କୋରେ ସରକାରୀ ଷ୍ଟଲ୍ ଖୋଲିବ। ବିଏମ୍ସିର ଅତିରିକ୍ତ କମିସନର-୩ କହିଛନ୍ତି, ଦୋକାନ ଆବଣ୍ଟନ ନେଇ ରାଜ୍ୟ ସରକାର କମ ସମୟ ମଧ୍ୟରେ ନିଷ୍ପତ୍ତି ନେଇଥିବାରୁ ସିଡିପିଓଙ୍କ ମାଧ୍ୟମରେ ଏସ୍ଏଚ୍ଜିଙ୍କୁ ଚୟନ କରାଯାଇଛି। ପ୍ରଥମରୁ ଏହାକୁ କାର୍ଯ୍ୟକାରୀ କରିବାରେ କୌଣସି ନୀତି ନିୟମ ନଥିବାରୁ ସିଡିପିଓଙ୍କ ମାଧ୍ୟମରେ ଚୟନ କରାଯାଇଛି। ପରବର୍ତ୍ତୀ ସମୟରେ ଏଥିପାଇଁ ଏସ୍ଓପି ପ୍ରସ୍ତୁତ କରାଯାଇ କର୍ପୋରେଟରଙ୍କ ଜ୍ଞାତସାରରେ ଦୋକାନ ଆବଣ୍ଟିତ କରାଯିବ ବୋଲି ସୂଚନା ଦିଆଯାଇଛି। ବିଶ୍ବକପ ହକି ସମୟରେ କସ୍ମୋପୋଲିସର ଅନେକ ଦୋକାନ ଗୃହକୁ ଭଙ୍ଗା ଯାଇଥିଲା। ନୂତନ ଭେଣ୍ଡିଂ ଜୋନ୍ରେ ସେମାନଙ୍କୁ ଦିଆନଯାଇ ଏସ୍ଏଚ୍ଜିମାନଙ୍କୁ ଦିଆଯିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଥିଲେ। ସୂଚନା ଅନୁଯାୟୀ, ଡୁମୁଡୁମାର ଏହି ମହିଳା ଭେଣ୍ଡିଂ ଜୋନ୍କୁ ଏପ୍ରିଲ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/40-23.jpg)