ଓୟୁଏଟିର ସମାବର୍ତ୍ତନ ଉତ୍ସବ: ଆଜିର ଆହ୍ବାନ ‘ଜୟ ଅନୁସନ୍ଧାନ’

ମୃତ୍ୟୁଞ୍ଜୟ ମହାପାତ୍ର, ସାବରମତୀଙ୍କୁ ଡକ୍ଟରେଟ୍

ଭୁବନେଶ୍ବର: ଭାରତର ଐତିହ୍ୟ ମହାନ୍‌। କିନ୍ତୁ କେବଳ ଇତିହାସକୁ ନେଇ ଆଗକୁ ବଢ଼ି ହେବ ନାହିଁ। ସମାନ କାମ କରି ନୂତନ ଫଳ ଆଶା କରାଯାଇପାରିବ ନାହିଁ। ଆମକୁ ଆଜି ଏବଂ ଆସନ୍ତାକାଲି ପାଇଁ ବଞ୍ଚିବାକୁ ହେବ। ଏଥିପାଇଁ ନୂତନ ଗବେଷଣା, ବୈଜ୍ଞାନକ କୌଶଳ, ଦକ୍ଷତାର ଆବଶ୍ୟକତା ରହିଛି। ତେଣୁ ସମୟର ଆହ୍ବାନ ଓ ଆବଶ୍ୟକତା ଅନୁଯାୟୀ ଜୟ ଯବାନ, ଜୟ କିସାନ, ଜୟ ବିଜ୍ଞାନ ସହ ଏଥିରେ ‘ଜୟ ଅନୁସନ୍ଧାନ’ ନାରାକୁ ଯୋଗ କରିବାକୁ ପଡ଼ିବ। ସାର, ବିହନ, ଦକ୍ଷତା ବିକାଶ, ମାର୍କେଟିଂ ପ୍ରତ୍ୟେକ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ। ଓୟୁଏଟି ଭଳି ବିଶ୍ବବିଦ୍ୟାଳୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଓୟୁଏଟିର ୩୯ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ କୃଷି ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡ. ହିମାଂଶୁ ପାଠକ ଆଜି ଏହା କହିଛନ୍ତି। ଏହି ଅବସରରେ ସେ ବିଦ୍ୟାର୍ଥୀମାନଙ୍କୁ ଉତ୍ସର୍ଗୀକୃତ, ଶୃଙ୍ଖଳିତ ଓ ଦୃଢ଼ ପ୍ରତିଜ୍ଞା ମନୋଭାବ ଏବଂ କାର୍ଯ୍ୟ ମାଧ୍ୟମରେ ସମାଜର ସେବା କରିବାକୁ ଆହ୍ବାନ ଦେଇଥିଲେ।

କୁଳାଧିପତି ତଥା ପ୍ରଫେସର୍‌ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଲେ, ପୂର୍ଣ୍ଣାଙ୍ଗ ଶିକ୍ଷା ପଦ୍ଧତି ମାଧ୍ୟମରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଅନ୍ତୁ। ଏହି ଶିକ୍ଷା ପଦ୍ଧତି ବ୍ୟକ୍ତିର ଆଚରଣ ଏବଂ ଉଚ୍ଚାରଣରେ ଶୁଦ୍ଧତା ଆଣିବାରେ ସହାୟକ ହେବ। କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ କୁମାର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ଉତ୍ସବ ପ୍ରାରମ୍ଭରେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଗବେଷଣା ଓ ସମ୍ପ୍ରସାରଣ ବ୍ୟବସ୍ଥାର ସଫଳତା ସମ୍ବନ୍ଧିତ ଏକ ବିଶେଷ ରିପୋର୍ଟ ପ୍ରଦାନ କରିଥିଲେ। ଓୟୁଏଟି ପକ୍ଷରୁ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ଜୈବିକ କୃଷି ଓ ଜୈବ ବିବିଧତା ସଂରକ୍ଷଣରେ ପାରଦର୍ଶିତା ଲାଭ କରିଥିବା ସୁଶ୍ରୀ ସାବରମତୀଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା। ଏହି ଅବସରରେ ୮୨୧ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ୫୧୦ ଜଣଙ୍କୁ ସ୍ନାତକୋତ୍ତର ଏବଂ ୬୪ଜଣଙ୍କୁ ପିଏଚ୍‌ଡି ଡିଗ୍ରି ପ୍ରଦାନ କରାଯାଇଥିଲା। ଏହାସହ ବିଭିନ୍ନ ବିଭାଗ ଏବଂ ପ୍ରତିଯୋଗିତାରେ ଯୋଗ୍ୟତା ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ୧୧୩ଟି ସ୍ୱର୍ଣ୍ଣପଦକ ଏବଂ ୬ଟି ଆର୍ଥିକ ପୁରସ୍କାର ଦିଆଯାଇଛି। କୁଳସଚିବ ଲୋପାମୁଦ୍ରା ମହାନ୍ତି ଡିଗ୍ରି ଏବଂ ମେଡାଲ ପ୍ରଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

୧୭୧ ଉନ୍ନତ କିସମ ବିହନ ବିକଶିତ କରିଛି ଓୟୁଏଟି

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପ୍ରଭାତ ରାଉଳ ସୂଚନା ଦେଇ କହିଥିଲେ ଯେ ଚଳିତ ବର୍ଷ ଓୟୁଏଟି ପକ୍ଷରୁ କଳିଙ୍ଗ ସୁଆଁ ୧୮ସହ ୧୭୧ଟି ଉନ୍ନତ ବିହନ କିସମ ଓ ଶଙ୍କର କିସମ ବିକଶିତ କରାଯାଇଛି। ମାଣ୍ଡିଆ ଚୋପାଛଡ଼ା ଏବଂ ସଫାକରା ଯନ୍ତ୍ର ପ୍ୟାଟେଣ୍ଟ ଲାଭ କରିଛି। କଳିଙ୍ଗ ପଲ୍ଲିଶ୍ରୀ ଭଳି ବିଲୁପ୍ତ ଏକ ମାଂସାଳ ରଙ୍ଗିନ୍‌ କୁକୁଡ଼ାକୁ ପୁନଃ ବିକଶିତ କରାଯାଇଛି। ମୟୂରଭଞ୍ଜ କାଇ ଚଟଣୀ, ଢେଙ୍କାନାଳ ମଗ୍‌ଜୀ ଏବଂ ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ ନିକଟ ଭବିଷ୍ୟତରେ ଜି.ଆଇ. ଟ୍ୟାଗ୍ ହାସଲ କରିବା ନେଇ ଆଶା ରହିଛି। ଏଥିପାଇଁ ଓୟୁଏଟି ପକ୍ଷରୁ ପ୍ରୟାସ କରାଯାଉଛି। ଏହି ବିଶ୍ୱବିଦ୍ୟାଳୟ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଶିକ୍ଷା ଓ ଗବେଷଣା ସଂସ୍ଥା ସହ ସମ୍ପର୍କ ସ୍ଥାପନ କରି ଛାତ୍ରଛାତ୍ରୀ ତଥା ଶିକ୍ଷକମାନଙ୍କ ପାଇଁ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ଅନୁଷ୍ଠାନଗୁଡ଼ିକ ମାଧ୍ୟମରେ ନୂତନ ଜ୍ଞାନକୌଶଳ ଆହରଣ କରିବାର ସୁଯୋଗ ସୃଷ୍ଟି କରିଛନ୍ତି।

ସମ୍ବନ୍ଧିତ ଖବର