ଜଟଣୀ: ‌ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ବାରିଓ ଫାରେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ରାଜ୍ୟପାଳ ପ୍ରଫେସର ଲାଲ୍ କହିଥିଲେ ଯେ ସଫଳତା କିମ୍ବା ବିଫଳତା ଜୀବନର ଏକ ଅଂଶମାତ୍ର। ସବୁଠୁ ବଡ଼ କଥା ହେଲା, ବିବେକାନୁମୋଦିତ କାର୍ଯ୍ୟ କରିବା ଓ ସତ୍ୟନିଷ୍ଠ ରହିବା।

Advertisment

ନବୁଝି ନ ବିଚାରି ଅନ୍ୟକୁ ଅନୁସରଣ ନକରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପ୍ରୟାସ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ମହାମାରୀ ସମୟରେ ଅନଲାଇନ୍ ଶିକ୍ଷାଦାନ ଜାରି ରଖି ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରିଥିବାରୁ ସେ ସେଞ୍ଚୁରିଅନ୍ ବିଶ୍ବବିଦ୍ୟାଳୟର ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଅଷ୍ଟ୍ରେଲିଆର ଉଚ୍ଚାୟୁକ୍ତ ବାରିଓ ଫାରେଲ କହିଥିଲେ ଯେ ସାରା ବିଶ୍ବ ପାଇଁ ଭାରତ ସର୍ବଦା ଏକ ଜ୍ଞାନର ଉତ୍ସ ଭାବେ ରହି ଆସିଛି ଏବଂ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଏହାର ନିଆରା ଶିକ୍ଷାଦାନ ପଦ୍ଧତି ଓ କୌଶଳଭିତ୍ତିକ ଶିକ୍ଷାକ୍ଷେତ୍ରରେ ଏହାର ଅବଦାନ ଦ୍ୱାରା ସେହି ଗରିମାକୁ ରୁଦ୍ଧିମନ୍ତ କରିଛି l

କାର୍ଯ୍ୟକ୍ରମ ଆରମ୍ଭରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରି କହିଥିଲେ, ବିଶ୍ବବିଦ୍ୟାଳୟ ଦ୍ୱାରା ସ୍ଥାପିତ ୨୧ଟି ଗବେଷଣା କେନ୍ଦ୍ର ଗବେଷଣା କରିବାକୁ ପ୍ରୋତ୍ସାହିତ କରୁଛି। ବିଶ୍ବବିଦ୍ୟାଳୟ ୨୭ଟି ପ୍ୟାଟେଣ୍ଟ ଓ ୭ଟି କପିରାଇଟ୍‌ ପାଇଁ ଆବେଦନ କରିଛି। ୨୫ଟି ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରାଯାଉଥିବା ବେଳେ କୋଭିଡ୍‌ ଟିକାକରଣ ପାଇଁ କମ୍ୟୁନିଟି ଡାଇଗ୍ନୋଷ୍ଟିକ ସେଣ୍ଟର୍‌ ସ୍ଥାପନ କରାଯାଇଛି।

ଏହି ଉତ୍ସବରେ ୨୩ଜଣ ଗବେଷକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍‌ ଉପାଧି ହାସଲ କରିଥିଲା ବେଳେ ୧୫ଜଣ ଛାତ୍ରଛାତ୍ରୀ ସ୍ବର୍ଣ୍ଣପଦକ ଲାଭ କରିଛନ୍ତି। ଏହି ଅବସରରେ ବିଶ୍ୱବିଦ୍ୟାଳୟର ଡିନ୍‌ ପ୍ରଫେସର୍‌ ପ୍ରଶାନ୍ତ ମହାନ୍ତି, ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର, ଉପସଭାପତି ପ୍ରଫେସର ଡି.ଏନ ରାଓ, ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ର ଏବଂ ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।