ଏନ୍‌ଆଇଏଫ୍‌ଟିର ସମାବର୍ତ୍ତନ ଉତ୍ସବ: ପାରମ୍ପରା ଓ ସଂସ୍କୃତିକୁ ପାଥେୟ କରି ଆଗକୁ ବଢ଼

ଚନ୍ଦ୍ରଶେଖରପୁର: ସମାବର୍ତ୍ତନ ଉତ୍ସବ ପ୍ରତି ଛାତ୍ରଛାତ୍ରୀଙ୍କ ଜୀବନରେ ଆସେ। ସେଠାରୁ ଆରମ୍ଭ ହୁଏ ନୂଆ ଆହ୍ବାନ। ଡିଗ୍ରି ହାସଲ ପରେ ଭବିଷ୍ୟତ କ’ଣ ହେବ, ସେନେଇ ଏବେଠାରୁ ହିଁ ଯୋଜନା କରିବାକୁ ପଡ଼ିବ। ବର୍ତ୍ତମାନ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୃଷ୍ଟି ହେଉଥିବା ଆହ୍ବାନର ମୁକାବିଲା କରିବା ସହ ପାରମ୍ପରିକ ସଂସ୍କୃତିକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ। ମଡେଲିଂ, ମାର୍କେଟିଂ ଓ ସାମ୍ପଲିଂକୁ ଅଧିକ ଗୁରୁତ୍ବ ଦେଇ ଦେଶବିଦେଶରେ ପହଞ୍ଚାଇବାକୁ ପଡ଼ିବ ବୋଲି ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ୍‌ ଟେକ୍ନୋଲୋଜି(ଏନ୍‌ଆଇଏଫ୍‌ଟି), ଭୁବନେଶ୍ବର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଓଡ଼ିଶା ହାଇକୋର୍ଟ ବିଚାରପତି ଭି.ନରସିଂହ ଛାତ୍ରଛାତ୍ରୀଙ୍କୁ ଆ‌ହ୍ବାନ ଦେଇଛନ୍ତି।

ରେଳ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ଏନ୍‌ଆଇଏଫ୍‌ଟି ମହାନିର୍ଦ୍ଦେଶକ ରୋହିତ୍‌ କନ୍‌ସଲ୍‌ ଯୋଗଦେଇ କହିଲେ, ତୁମେମାନେ ଫ୍ୟାସନ୍‌ ଡିଜାଇନ୍‌ର ଛାତ୍ରଛାତ୍ରୀ ନୁହେଁ, ବରଂ ୨୫୦୦ବର୍ଷ ତଳ ସଭ୍ୟତାର ପ୍ରତିନିଧିତ୍ବ କରୁଛ। ଆମ ପରମ୍ପରା ଅତ୍ୟନ୍ତ ଗୌରବମୟ। ତାହାକୁ ପାଥେୟ କରି ଭବିଷ୍ୟତରେ ଆଗକୁ ବଢ଼ିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏନ୍‌ଆଇଏଫ୍‌ଟି ଭୁବନେଶ୍ବରର ନିର୍ଦ୍ଦେଶକ ରାଜେଶ କୁମାର ଝା ବାର୍ଷିକ ବିବରଣୀ ପାଠ କରି କହିଲେ, ୨୦୧୦ରେ ପ୍ରତିଷ୍ଠା ହୋଇଥିବା ଏହି ପ୍ରତିଷ୍ଠାନ ଧୀରେଧୀରେ ଆଗକୁ ବଢ଼ୁଛି। ବିଭିନ୍ନ ୟୁଜି, ପିଜି, ପିଏଚ୍‌ଡି ପାଠ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କ ଲାଗି ସାର୍ଟିଫିକେଟ୍‌ ‌କୋର୍ସରେ ଶିକ୍ଷା ପ୍ରଦାନ କରାଯାଉଛି। କ୍ୟାମ୍ପସର ବିକାଶ ଲାଗି ରାଜ୍ୟ ସରକାର ୨ ଏକର ଜମି ଯୋଗାଇବା ସହ ୨୮ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଫଳରେ ଏହି ଶିକ୍ଷାନୁଷ୍ଠାନ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଆଜି ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ବହୁସଂଖ୍ୟକ ଛାତ୍ରଛାତ୍ରୀ ଅନ୍ତର୍ଜାତୀୟ ସଂସ୍ଥାରେ ନିଯୁକ୍ତି ପାଇଥିବା ସେ ସୂଚନା ଦେଇଥିଲେ। ନିଟ୍‌ ଏକାଡେମିକ୍‌ ପ୍ରଫେସର୍‌ ବନ୍ଦନା ନାରଙ୍ଗ ଛାତ୍ରଛାତ୍ରୀଙ୍କୁ ସମାବର୍ତ୍ତନ ଉତ୍ସବରେ ଶପଥ ପାଠ କରାଇଥିଲେ। ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ୍‌ ଅସୁସ୍ଥତା କାରଣରୁ ଉତ୍ସବରେ ଯୋଗ ଦେଇପାରି ନଥିବାରୁ ତାଙ୍କ ବାର୍ତ୍ତା ପାଠ କରାଯାଇଥିଲା। ଏହି ଅବସରରେ ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯିବା ସହ ସମାବର୍ତ୍ତନ ଉତ୍ସବ ବ୍ରୋଚର୍‌ ଓ ‘କଳିଙ୍ଗମ୍‌’ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର