ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ପାଇଁ ସମନ୍ବୟ ବୈଠକ, ବୟସ୍କ ଓ ଶିଶୁଙ୍କୁ ପ୍ରବେଶ ମନା

ଆଡ଼କାଠରୁ ଦର୍ଶନ ଅନୁମତି, ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର: ଆସନ୍ତା ୧୧ ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରି। ଏନେଇ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନେଇ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ ବୈଠକ ସ୍ବତନ୍ତ୍ର ସର୍କିଟ୍‌ ହାଉସ୍‌ଠାରେ ଅନୁଷ୍ଠିତ ହୋଇଛି। ଏଥିରେ କୋଭିଡ୍‌ କଟକଣା, ଟ୍ରାଫିକ୍‍ ନିୟନ୍ତ୍ରଣ, ବିଏମ୍‌ସି, ଆର୍‌ଏଣ୍ଡ୍‌ବି, ପ୍ରତ୍ନତତ୍ତ୍ୱ ବିଭାଗର କାର୍ଯ୍ୟ ଓ ଆଇନଶୃଙ୍ଖଳା ଆଦି ବିଷୟ ଆଲୋଚନା ହୋଇଥିଲା। ବୈଠକରେ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିବା ସହ ଠିକଣା ସମୟରେ ମହାଦୀପ ଉଠିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ବିଏମସି ତରଫରୁ ହୋଇଥିବା ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ଅନୁଯାୟୀ, ମହାଶିବରାତ୍ରି ପାଳନ କରାଯିବ। ଚଳିତବର୍ଷ ୬୦ ବର୍ଷରୁ ଅଧିକ ବୟସ୍କ ଓ ୧୨ବର୍ଷରୁ କମ ପିଲାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନଙ୍କୁ ଆଡ଼କାଠ ପର୍ଯ୍ୟନ୍ତ ପ୍ରବେଶ ଅନୁମତି ମିଳିବ।

ଚଳିତବର୍ଷ ଭକ୍ତ ସାହାଣମେଲା ଦର୍ଶନ କରିପାରିବେ ନାହିଁ। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ମନ୍ଦିର ନିକଟରେ ଥର୍ମାଲ ସ୍କ୍ରିନିଂ କରି ଭକ୍ତମାନଙ୍କୁ ମନ୍ଦିର ପରିସର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯିବ। ତେବେ ସନ୍ଦିଗ୍ଧମାନଙ୍କର କରୋନା ଆଣ୍ଟି‌ଜେନ୍‌ ପରୀକ୍ଷା କରାଯିବ। ସମସ୍ତ ଭକ୍ତ ୬ଫୁଟ୍‌ ଦୂରତା ପାଳନ ସହ ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ କରିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ବିଏମ୍‌ସି ରାସ୍ତା ମରାମତି ଓ ସଫେଇ ସହ ନାଳଗୁଡ଼ିକରେ ସ୍ଲାବ୍‌ ପକାଇବ। ଯାତ୍ରାର ପୂର୍ବଦିନ ଓ ପରଦିନ ଅଧିକ ସଂଖ୍ୟକ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରିବା ପାଇଁ କୁହାଯାଇଛି। ବିଏମ୍‍ସି ହସ୍ପିଟାଲରେ ଜରୁରୀକାଳୀନ ସେବା ପ୍ରଦାନ ପାଇଁ ବିଏମ୍‍ସିକୁ କୁହାଯାଇଛି। ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଧିକ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଯାତ୍ରା ଦିନ ଓ ପରଦିନ ‘ମୋ ବସ୍‌’ ଚଳାଇବାକୁ ନିଷ୍ପତ୍ତି ହୋଇଛି। ପ୍ରତି ଅଧଘଣ୍ଟାରେ ଗୋଟିଏ ଟାଉନ୍‌ ବସ୍‌ ଲିଙ୍ଗରଜ ମାର୍କେଟ୍‌ ନିକଟକୁ ଆସିବା ପାଇଁ ସ୍ଥିର ହୋଇଛି। ପିଡବ୍ଲ୍ୟୁଡି ମନ୍ଦିର ପାଚେରି କଡ଼ରେ ଅସ୍ଥାୟୀ ବ୍ୟାରିକେଡ୍‌ କରିବ। ପୂର୍ବବର୍ଷ ଅପେକ୍ଷା ଅଧିକ ଲମ୍ବା ବ୍ୟାରିକେଡ୍‌ କରାଯିବା ସହ ଉପରେ ଛାମୁଣ୍ଡିଆ କରାଯିବ। ଏଥିସହ ଭକ୍ତଙ୍କ ସୁବିଧା ପାଇଁ ଏହା ତଳେ ମ୍ୟାଟ୍‌ ପକାଯିବ। ମନ୍ଦିର ପରିସରରେ ଓ ବାହାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ବିଭିନ୍ନ ସୂଚନା ପ୍ରଦାନ କରାଯିବ। ଏଥିସହ ପ୍ରବଚନ ଦିଆଯିବ। ସେହିପରି ୱାଟ୍‌କୋ ପକ୍ଷରୁ ବିଭିନ୍ନ ଛକରେ ପାଣି ଟାଙ୍କି ରଖାଯିବ। ବିଏମ୍‌ସି ପକ୍ଷରୁ ମଧ୍ୟ ସ୍ଥାନେ ସ୍ଥାନେ ଶୁଦ୍ଧ ପିଇବା ପାଣି ରଖାଯିବ। ବିଏମ୍‍ ହାଇସ୍କୁଲ ଓ ଗୋସାଗରେଶ୍ୱର ଉପ୍ରା ବିଦ୍ୟାଳୟ ପରିସରରେ ପାର୍କିଂ ବ୍ୟବସ୍ଥା କରାଯିବ। ସେହିପରି ସେବାୟତମାନଙ୍କ ଗାଡ଼ି ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଅସ୍ଥାୟୀ ପରିସ୍ରାଗାର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି।

ବୈଠକରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଏଏସ୍‍ଆଇ ଭୁବନେଶ୍ୱର ସଂଗ୍ରାଧୀକ୍ଷକ, ଜିଲ୍ଲା ସୂଚନା ଅଧିକାରୀ, ୱାଟ୍‌କୋର ଏସ୍‌ଡିଓ ଈଶ୍ବର ଚନ୍ଦ୍ର ପ୍ରଧାନ, ନିଯୋଗ ପ୍ରତିନିଧି ଅଞ୍ଚଳ ବଟୁ, କମଳାକାନ୍ତ ବଡ଼ୁ, ବିରଞ୍ଚି ପତି, ସଚ୍ଚିକାନ୍ତ ପୂଜାପଣ୍ଡା, ଅଗାଧୁ ପୂଜାପଣ୍ଡା, ଶ୍ୟାମସୁନ୍ଦର ମହାପାତ୍ର, ହେମନ୍ତ କୁମାର ପଣ୍ଡା, ପ୍ରଶାନ୍ତ ସମର୍ଥା ଓ ବହୁ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ରାତି ୧୦ଟାରେ ଉଠିବ ମହାଦୀପ
ମହାଶିବରାତ୍ରି ପୂର୍ବ ରାତି ସାଢ଼େ ୨ଟାରେ ମନ୍ଦିର ଦ୍ୱାର ଖୋଲିବ। ଭୋର ୩ଟାରୁ ୩ଟା ୩୦ମଧ୍ୟରେ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ଏହାପରେ ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ କେବଳ ଦର୍ଶନ ହେବ। ୧୧.୩୦ମିନିଟ୍‌ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଛାମୁ ପରିଷ୍କାର, ୧୨ଟାରେ ମହାସ୍ନାନ ବେଶ, ୧୨ଟା ୪୫ରୁ ସୂର୍ଯ୍ୟ ପୂଜା, ଦ୍ବାରପାଳ ପୂଜା, ଶ୍ରୀଜିଉ ଓ ଠାକୁରାଣୀଙ୍କ ବଲ୍ଲଭ ଓ ଶ୍ରୀଜିଉଙ୍କ ସକାଳ ଧୂପ। ୨ଟା୩୦ରୁ ଶ୍ରୀ ଭୁବନେଶ୍ବରୀଙ୍କ ସକାଳ ଧୂପ, ୨ଟା ୪୫ରୁ ଭୋଗମଣ୍ଡପ, ଅପରାହ୍ନ ୩.୪୫ରୁ ୪ଟା ୪୫ ମଧ୍ୟରେ ପୁଣି ଦର୍ଶନ। ଅପରାହ୍‌ଣ ୪.୪୫ରୁ ଛାମୁ ପରିଷ୍କାର, ୫ଟା ୧୫ରେ ଶ୍ରୀଜିଉଙ୍କ ବେଶ, ୫ଟା ୫୪ରୁ ବୀରକିଶୋର ବଲ୍ଲଭ, ଦ୍ବିପ୍ରହର ଧୂପ, ସନ୍ଧ୍ୟା ୭ଟାରେ ପହୁଡ଼ ଅନୁଷ୍ଠିତ ହେବ। ସଂଧ୍ୟା ୭ଟା ୧୦ରୁ ଶ୍ରୀଜିଉଙ୍କ ସନ୍ଧ୍ୟା ଆଳତି ଓ ଟେରା ଫିଟା, ସନ୍ଧ୍ୟା ସାଢ଼େ ୭ରୁ ଶ୍ରୀଜିଉଙ୍କ ମାଜଣା ଓ ବେଶ, ରାତି ୮ଟା ୧୦ରେ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ପରିକ୍ରମା ହେବ। ରାତି ୮ଟା ୫୫ମିନିଟ୍‌ରେ ସନ୍ଧ୍ୟା ଧୂପ ଓ ତୀର୍ଥଜଳ ଆନୟନ କରାଯାଇ ରାତି ୧୦ରେ ମହାଦୀପ ଉଠିବ ବୋଲି ବୈଠକରେ ସ୍ଥିର ହୋଇଛି। ଏହାପରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ କେବଳ ଦର୍ଶନ ଅନୁଷ୍ଠିତ ହେବ।

ଓଡ଼ିଆରେ କୁହ
ବୈଠକ ଆରମ୍ଭରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂରାଜୀରେ ବିଏମ୍‌ସି ଗାଇଡ୍‌ଲାଇନ୍‌ ପଢ଼ିବା ସହ ଇଂରାଜୀରେ କହିଥିଲେ। ଏହାକୁ ବ୍ରାହ୍ମଣ ନିଯୋଗ ସମ୍ପାଦକ ଓ ବଡ଼ୁ ନିଯୋଗ ସମ୍ପାଦକ ପ୍ରତିବାଦ କରିଥିଲେ। ବୈଠକରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ, ଆମ ଓଡ଼ିଶାରେ ସବୁ ସରକାରୀ କାର୍ଯ୍ୟ ଓଡ଼ିଆରେ ହେବାକୁ ନିର୍ଦେଶ ରହିଛି। ତେବେ ଓଡ଼ିଆରେ କାହିଁକି ଅଧିକାରୀ କହୁନାହାନ୍ତି ବୋଲି କହିଥିଲେ। ଏହା ପରେ ଓଡ଼ିଆ ଭାଷାରେ ବୈଠକ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର