କରୋନା ବିଜୟୀଙ୍କ ମୁହଁରୁ, ନର୍ସମାନେ ଦେଉଥିଲେ ପରିବାରର ସେବା

ଭୁବନେଶ୍ବର: ‘କୋଭିଡ୍‌ ହସ୍ପିଟାଲ‌୍‌ରେ ଡାକ୍ତର, ନର୍ସ ଓ ଅନ୍ୟ ଆଟେଣ୍ଡାଣ୍ଟମାନେ ହେଉଛନ୍ତି ରୋଗୀର ପରିବାର। କାରଣ ପରିବାର ଲୋକ ଓ ଆତ୍ମୀୟସ୍ବଜନଙ୍କ ଅନୁପସ୍ଥିତିରେ ରୋଗୀକୁ ସେଠି ରହିବାକୁ ପଡ଼େ। ମନରେ ପ୍ରତି ମୁହୂର୍ତ୍ତରେ ଥାଏ ଅଜଣା ଆତଙ୍କ। ସେତିକିବେଳେ ପାଖରେ ‌କେବଳ ଡାକ୍ତର, ନର୍ସ ଓ ଅନ୍ୟ ପରିଚାରକଙ୍କ ଛଡ଼ା ଆଉ କେହି ନଥାନ୍ତି। ସେମାନେ ହିଁ ପରିବାର ଲୋକଙ୍କଠାରୁ ଅଧିକ ସେବା ଯତ୍ନ କରି ରୋଗୀର ମନବଳ ବଢ଼ାଇଥାନ୍ତି ଓ ମନରେ ବଞ୍ଚିବାର ଆଶା ଜାଗ୍ରତ କରନ୍ତି।’ ଦୀର୍ଘ ୯ ଦିନ କାଳ କୋଭିଡ୍‌ ହସ୍ପିଟାଲ ଶଯ୍ୟାରେ କରୋନା ସହ ଲଢ଼ି ବିଜୟୀ ହୋଇଥିବା ତଥ‌ାଗତଙ୍କ ଏହା ହେଉଛି ଅନୁଭୂତି। ସମ୍ କୋଭିଡ୍‌ ହସ୍ପିଟାଲରୁ ଘରକୁ ଫେରିବା ପରେ ତଥାଗତ ତାଙ୍କ ପ୍ରତିକ୍ରିୟା‌ରେ ଏମିତି କହିଛନ୍ତି। ଭଦ୍ରକର ବାସିନ୍ଦ‌ା କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମନରେ ଭୟ ପାଇଯାଇଥିଲେ। ପରିବାର ଲୋକ ବି ସ୍ବାଭାବିକ ଭାବେ ଚିନ୍ତିତ ହୋଇପଡ଼ିଥିଲେ। ତେବେ ୪ ଦିନ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେବା ପରେ ମଧ୍ୟ ଜ୍ବର କମିନଥିଲା। ତେଣୁ ଭଦ୍ରକ ସାଳନ୍ଦୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତଥାଗତ ପୂରା ଭାଙ୍ଗି ପଡ଼ିଥିଲେ।

ସାଳନ୍ଦୀ ହସ୍ପିଟାଲରେ ମଧ୍ୟ ଉପଯୁକ୍ତ ଚିକିତ୍ସା ଅଭାବରୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହେଲା ନାହିଁ, ବରଂ ଧୀରେ ଧୀରେ ତାଙ୍କ ଦେହରୁ ଅମ୍ଳଜାନ ସ୍ତର କମିବାକୁ ଲାଗିଲା। ସେଠାରୁ ତାଙ୍କୁ ଭୁବନେଶ୍ବର ସମ୍ କୋଭିଡ୍‌ ହସ୍ପିଟାଲକୁ ସ୍ଥାନ‌ାନ୍ତର କରାଗଲା। ଭଦ୍ରକରୁ ଭୁବନେଶ୍ବର ସ୍ଥାନାନ୍ତର ହେବା କଥା ଜାଣିବା ପରେ ତଥାଗତ ଆହୁରି ଭୟଭୀତ ହୋଇପଡ଼ିଥିଲେ। ସମ୍ ହସ୍ପିଟାଲର ଅଡିଟୋରିୟମ୍‌ କ୍ୟାବିନ୍‌ରେ ଅମ୍ଳଜାନ ସିଲିଣ୍ଡର ଲଗାଇ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଗଲା। ସେତିକିବେଳେ କିଛି ଡାକ୍ତର ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରିବାକୁ ବିଚାର କରିଥିଲେ। ସେତେବେଳେ ସେ ପୂରା ଭୟଭୀତ ହୋଇପଡ଼ିଥି‌ଲେ। କିନ୍ତୁ ଡାକ୍ତର ଓ ନର୍ସମାନେ ତାଙ୍କୁ ପ୍ରତି ମୁହୂର୍ତ୍ତରେ ଭୟ ନକରିବାକୁ ବୁଝାଉଥିଲେ। ତଥାଗତଙ୍କ କହିବା କଥା ବହୁ ସମୟରେ ଡାକ୍ତରମାନେ ପାଖକୁ ଆସୁନଥିଲେ ଓ ଦୂରରେ ଥାଇ ପଚରାଉଚରା କରୁଥିଲେ। କିନ୍ତୁ ନର୍ସମାନେ ପାଖରେ ରହି ସବୁ କିଛି ବୁଝୁଥିଲେ। ପରିବାର ଲୋକଙ୍କ ଭଳି କଥା କହୁଥିଲେ। ମା’ଭଳି ସେବା କରୁଥିଲେ। ଭଉଣୀ ଭଳି ସ୍ନେହଭରା କଥା କହୁଥିଲେ। ତେଣୁ ମାତ୍ର ଦୁଇ ଦିନ ଭିତରେ ତାଙ୍କ ମନରୁ ଭୟ ଦୂରେଇ ଯାଇଥିଲା।

ଭଗବାନଙ୍କ ଦୟାରୁ ଅମ୍ଳଜାନସ୍ତର ସ୍ବାଭାବିକ ହେବାକୁ ଲାଗିଲା ଓ ସେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଲେ। ନର୍ସମାନେ ସକାଳୁ ଯୋଗ ଅଭ୍ୟାସ କରାଇଲେ। ତେଣୁ ମନ ଖୁସି ରହିଲା ଓ ମୃତ୍ୟୁ ଭୟ ପୂରା ଦୂରେଇ ଗଲା। ୧୦ ଦିନ ପରେ ତାଙ୍କୁ ଯେତେବେଳେ ଡିସ୍‌ଚାର୍ଜ କରାଗଲା ସେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ନର୍ସମାନଙ୍କୁ ବହୁତ ଧନ୍ୟବ‌ାଦ ଦେଇଥିଲେ। ନୂଆ ଜୀବନ ପାଇବାର ସମସ୍ତ ଶ୍ରେୟ ସେ ନର୍ସ ଓ ଡାକ୍ତରଙ୍କୁ ଦେଇଛନ୍ତି। ହସ୍ପିଟାଲରେ ପରିବାରର କେହି ନଥିବା ବେଳେ ସେମାନଙ୍କ ସେବା ସାରା ଜୀବନ ଅଭୂଲା ହୋଇ ରହିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର