କୁଟୀର ଶିଳ୍ପରେ କରୋନା ଚଡ଼କ, ଦୁର୍ଦ୍ଦିନରେ ୩୧ କମାର ପରିବାର

ପଡ଼ି ରହିଛି ଲକ୍ଷାଧିକ ଟଙ୍କାର ଲୌହ ସାମଗ୍ରୀ, ବିକ୍ରି ହେଉନି

ବାଲିପାଟଣା: ରଡ଼ ନିଆଁ‌ରେ ଲୁହାକୁ ତତେଇ ସେଥିରୁ ପନିକି, କୋରଣା, କୋଦାଳ, କଟୁରୀ, ଗୁଆକାତି, ଦାଆ, କୁରାଢ଼ି, ଟାଙ୍ଗିଆ ଭଳି ମଣିଷର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କରନ୍ତି। କାମ କଲା ବେଳେ ଟିକିଏ ଅନ୍ୟମନସ୍କ ହେଲେ ଜୀବନ ଚାଲିଯିବାର ବି ଭୟ ରହିଛି। କିନ୍ତୁ ପେଟ ଚାଖଣ୍ଡକ ପାଇଁ ସେମାନେ ଏହି କୌଳିକ ବୃତ୍ତିକୁ ଛାଡ଼ି ପାରିନାହାନ୍ତି। ପିପିଲି, ୧ ନମ୍ବର ହାଟ, ବାଳକାଟି, ବାଲିପାଟଣା, ନିମାପଡ଼ା ଆଦି ବଜାରରେ ଏହି ଲୌହନିର୍ମିତ ସାମଗ୍ରୀ ବିକ୍ରି କରି ଯାହା ମିଳେ, ସେଥି‌ରେ ସେମାନଙ୍କ ପରିବାର ଦୁଃଖକଷ୍ଟେ ଚଳିଯାଏ। ସେହିପରି ବିଭିନ୍ନ ମେଳା, ଯାତ୍ରା, ମହୋତ୍ସବରେ ବି ପସରା ମେଲାଇ ବେଶ୍‌ ଦୁଇ ପଇସା ରୋଜଗାର କରିଥାନ୍ତି। କିନ୍ତୁ କରୋନା ଏବେ ସେମାନଙ୍କ ପେଟପାଟଣାକୁ ନାତ ମାରିଛି। ଲକ୍‌ଡାଉନ୍‌ ଯୋଗୁଁ ୪୦ ଦିନରୁ ଊର୍ଧ୍ବ ହେବ ସେମା‌‌ନେ ବାହାରକୁ ବାହାରି ପାରୁନାହାନ୍ତି କି ସେମାନଙ୍କ ହାତ ତିଆରି ସାମଗ୍ରୀ ବିକ୍ରି କରିପାରୁନାହାନ୍ତି। ସ୍ଥିତି ତୁରନ୍ତ ନ ସୁଧୁରିଲେ, ସେମାନଙ୍କ ସ୍ଥିତି ଭୟାବହ ହୋଇଯିବ ବୋଲି କହିଛନ୍ତି ବାଲିପାଟଣା ବ୍ଲକ ଆଳିଶି ପଞ୍ଚାୟତ ବିନ୍ଧା ଗ୍ରାମର ଲୁହା କାରିଗର ଅନାମ ଓଝା। କେବଳ ଅନାମ ନୁହନ୍ତି, ଏହି ଗାଁରେ ରହୁଥିବା ୨୧ ଓ ମୁକୁନ୍ଦଦାସପୁର ପଞ୍ଚାୟତର ଅଦଲାବାଦ ଗ୍ରାମର ୧୦ରୁ ଊର୍ଧ୍ବ କମାର ପରିବାର ଏବେ ଏଇ ଚିନ୍ତାରେ ଘାରି ହେଉଛନ୍ତି।

ପ୍ରତିଦିନ ସକାଳୁ ଏମାନେ ସପରିବା‌‌ରେ ଲୁହା ଶାଳରେ ଝାଳ ବୁହାଇ ବିଭିନ୍ନ ଲୌହନିର୍ମିତ ସାମଗ୍ରୀ ତିଆରି କରନ୍ତି। କିନ୍ତୁ ଗତ ମାର୍ଚ୍ଚ ଶେଷ ସପ୍ତାହରେ ରାତିଅଧିଆ ଲକ୍‌ଡାଉନ୍‌ ଯୋଗୁଁ ସେମାନଙ୍କ ଜୀବନଜୀବିକା ଭୀଷଣ ଭାବେ ପ୍ରଭାବିତ ହୋଇଛି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଘରେ ପଡ଼ି ରହିଥିଲେ ହେଁ ସେଗୁଡ଼ିକ ବିକ୍ରି ହୋଇପାରୁ ନାହିଁ। ତେଣୁ ଏହି ଦୁର୍ଦ୍ଦିନରେ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଲୌହ କାରିଗର ବିଜୟ ଓଝା, ପଂଚାନନ ଓଝା ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର